ନ୍ୟୁଜ୍ ୭ର ପ୍ରଭାବ / ଶେରଗଡ ଟୋଲଗେଟ୍ କେଳେଙ୍କାରୀ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲା ଏନଏଚଏଆଇ

Published By : Prameya-News7 Bureau | November 08, 2019 IST

ବାଲେଶ୍ବର ୮।୧୧: ବାଲେଶ୍ବର ଶେରଗଡ଼ ଟୋଲଗେଟ୍ କେଳେଙ୍କାରୀ ଧରାପଡ଼ିବା ପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି ଏନଏଚଏଆଇ । ଶେରଗଡ ଟୋଲଗେଟରେ କିଭଳି ଏନଏଚଏଆଇର ଧାର୍ଯ୍ୟ ଦରଠାରୁ ଅଧିକ ଟୋଲ୍ ଫି ନିଆଯାଉଛି ତାର ପ୍ରମାଣ ନ୍ୟୁଜ ୭ କ୍ୟାମେରାରେ ଧରାପଡିବା ପରେ ଏନଏଚଏଆଇ ପଦକ୍ଷେପ ନେଇଛି । ଆଖିରେ ଆଙ୍ଗୁଠି ଗେଞ୍ଜି ଟୋଲ ଗେଟରେ ଚାଲିଛି ଲୁଟ୍ । ଦୈନିକ ୧୦ରୁ ୧୫ ଲକ୍ଷ ଟଙ୍କା ଲୁଟୁଛନ୍ତି ଗେଟ୍ କର୍ତ୍ତୃପକ୍ଷ ।

ଗତ ମେ ମାସ ୭ତାରିଖ ଦିନ ଏନଏଚଏଆଇର ଚିଠି ନଂ ୯୫୦/୭.୫.୨୦୧୯ରେ ଶେରଗଡ଼ ଟୋଲ ପ୍ଲାଜାକୁ ଏକ ଟୋଲ ରିଭିଜନ ଚିଠି ଆସିଛି। ସେଥିରେ ଉଲ୍ଲେଖ ଅଛି ଯେ ୬ ଲେନ୍ ବିଶିଷ୍ଟ ରାସ୍ତା କାମ ଚାଲିଥିବା ବେଳେ କାମ ଶେଷ ହେବା ପର୍ଯ୍ୟନ୍ତ ଆଦାୟ କରାଯାଉଥିବା ଟୋଲ ଫି' ର ୭୫ ପ୍ରତିଶତ ଟୋଲ୍ ଫି ଆଦାୟ କରାଯିବ। କେଉଁ ଗାଡିକୁ କେତେ ଟଙ୍କା ଆଦାୟ ହେବ ତାହା ମଧ୍ୟ ଲେଖା ଯାଇଛି । ହେଲେ ଏସବୁ ଯେମିତି ପାଣିର ଗାର ପାଲଟିଛି ।

ମନଇଚ୍ଛା ରସିଦ କାଟୁଛନ୍ତି ଶେରଗଡ ଗେଟ୍ କର୍ତ୍ତୃପକ୍ଷ । ତେବେ ସବୁଠୁ ଆଶ୍ଚର୍ଯ୍ୟ, ଶେରଗଡ଼ ଟୋଲ ପ୍ଲାଜାରେ ଯେଉ ରସିଦ ଦିଆଯାଉଛି, ସେଥିରେ ଶେରଗଡ଼ ବୋଲି ଉଲ୍ଲେଖ ମଧ୍ୟ କରାଯାଉ ନାହିଁ। ଦିନରେ ଯାହା ଆଦାୟ ହେଉଛି ରାତିରେ ତାହା ଆହୁରି ବଢି ଯାଉଛି।  ରାତିରେ ମନଇଚ୍ଛା ଟୋଲ ଟ୍ୟାକ୍ସ ନିଆଯାଉଛି।

ଏନଏଚଏଆଇ ନିର୍ଦ୍ଦେଶକୁ ଖୋଲାଖୋଲି ଉଲଂଘନ କରାଯାଉଛି । ଏସବୁ ନ୍ୟୁଜ ୭ ଷ୍ଟିଙ୍ଗ ଅପରେସନରେ ଧରା ପଡିଥିଲା । ନ୍ୟୁଜ ୭ରେ ଖବର ପ୍ରସାରଣ ପରେ ରସିଦରେ ଶେରଗଡ ବୋଲି ଲେଖାଯାଇଛି । ତେବେ ମେ ମାସରୁ ଆଜି ଯାଏଁ ୧୦ କୋଟିରୁ ଅଧିକ ଟଙ୍କା ଲୁଟ୍ ହୋଇଛି ଶେରଗଡ଼ ଟୋଲ ଗେଟରେ । ଏସବୁ କଣ ଫେରିବ ।

ଏନଏଚଏଆଇର ବାଲେଶ୍ବର ପିଡିଙ୍କୁ ତଦନ୍ତ ଦାୟିତ୍ବ ଦିଆଯାଇଛି। ତେବେ ପ୍ରଶ୍ନ ଉଠୁଛି ବାଲେଶ୍ବର ପିଡି କଣ ଘଟଣା ବିଷୟରେ ଆଗରୁ ଜାଣିନଥିଲେ କି ? ଏନଏଚଏଆଇର ବାଲେଶ୍ବର ପିଡିଙ୍କ ହାତ ରେ ତଦନ୍ତ ନକରାଇ  ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଦ୍ବାରା ତଦନ୍ତ କରାଇବା ପାଇଁ ଦାବି ହୋଇଛି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.