ସେବା ନଦେଇ କେବଳ ନେବା ନୀତିରେ ଚାଲିଛି NHAI , ଯାତ୍ରୀମାନଙ୍କୁ ସର୍ବନିମ୍ନ ସେବା ଯୋଗାଇ ଦେବାକୁ ଯେଉଁ ନିୟମ ରହିଛି ତାହା କିନ୍ତୁ ପାଳନ ହେଉନଥିବା ଅଭିଯୋଗ

Published By : Prameya-News7 Bureau | November 05, 2019 IST

ବାଲେଶ୍ୱର  ୦୫।୧୧- ଜାତୀୟ ରାଜପଥ  ଉପରେ ଟୋଲଗେଟ୍‌ କରି ସାଧାରଣ ଲୋକଙ୍କ ଠାରୁ କୋଟି କୋଟି ଟଙ୍କା ଆଦାୟ କରୁଛି ନ୍ୟାସନାଲ ହାଇଓ୍ବେ ଅଥରିଟି ଅଫ୍‌ ଇଣ୍ଡିଆ NHAI । ହେଲେ ତା’ ବଦଳରେ ଲୋକଙ୍କୁ ସର୍ବନିମ୍ନ ସୁବିଧା ଯୋଗାଇ ଦେବାକୁ ନିୟମ ଥିଲେ ମଧ୍ୟ ଏଥିରେ ଅବହେଳା କରିଆସୁଛନ୍ତି ଟୋଲଗେଟ୍‌ କର୍ତ୍ତୃପକ୍ଷ । ସେବା ନଦେଇ କେବଳ ନେବା ନୀତିରେ ଟୋଲ ଗେଟ୍‌ ଗୁଡ଼ିକ ଚାଲିଥିବାରୁ ଯାତ୍ରୀଙ୍କ ଭିତରେ ଏହାକୁ ନେଇ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି ।

{"id":179570}

ସେବା ନଦେଇ କେବଳ ନେବା ନୀତିରେ ଚାଲିଛି NHAI । ରାଜ୍ୟ ଭିତର ଦେଇ ଯାଇଥିବା ହାଇ ଓ୍ବେ ଗୁଡ଼ିକରେ ବିଭିନ୍ନ ସ୍ଥାନରେ ଟୋଲ୍‌ ଗେଟ୍‌ କରାଯାଇ ଯାତ୍ରୀମାନଙ୍କ ଠାରୁ ବେଧଡ଼କ ଟୋଲ୍‌ ଫି ଆଦାୟ ହେଉଛି । ହେଲେ ତା’ ବଦଳରେ  ଯାତ୍ରୀମାନଙ୍କୁ ସର୍ବନିମ୍ନ ସେବା ଯୋଗାଇ ଦେବାକୁ ଯେଉଁ ନିୟମ ରହିଛି ତାହା କିନ୍ତୁ ପାଳନ ହେଉନି । ଏହି ଟୋଲଗେଟ୍‌ ଉପରେ ଟିକେ ନଜର ପକାନ୍ତୁ । ଇଏ ହେଉଛି ବାଲେଶ୍ବର ଜିଲ୍ଲା  ୧୬ନମ୍ବର ଜାତୀୟ ରାଜପଥ ଉପରେ ଥିବା ସେରଗଡ଼ ଟୋଲ ଗେଟ୍‌ । ଏହି ଟୋଲଗେଟ୍‌ ଦେଇ ଯାଉଥିବା ଗାଡ଼ି ଗୁଡ଼ିକରୁ  ବାର୍ଷିକ ପ୍ରାୟ ୭୨କୋଟି ଟଙ୍କାର ଟୋଲ୍‌ ଫି ଆଦାୟ ହେଉଛି । ଏମିତିରେ ଲୋକେ କେବଳ ଟଙ୍କା ଦେଉଛନ୍ତି ସିନା ତା’ ବଦଳରେ କୌଣସି ସୁବିଧା ସୁଯୋଗ ପାଉନାହାନ୍ତି ।

{"id":179571}

ନ୍ୟାସ୍‌ନାଲ ହାଇଓ୍ବେ ଉପରେ ଟୋଲ ଗେଟ୍‌ ଗୁଡ଼ିକ ଯଦି ଟୋଲ୍‌ ଫି ଆଦାୟ କରୁଛନ୍ତି ତାହେଲେ ଯାତ୍ରୀଙ୍କ ସୁବିଧା ପାଇଁ ସେମାନଙ୍କୁ ଅନେକ କିଛି ବ୍ୟବସ୍ଥା କରିବାର ନିୟମ ମଧ୍ୟ ରହିଛି । ଯେମିତି କି ହାଇଓ୍ବେ ଉପରେ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଗୁଡ଼ିକୁ ତୁରନ୍ତ ହଟାଇ ବାକୁ କ୍ରେନ୍‌ ରହିବା କଥା । ଦୁର୍ଘଟଣାର ଶିକାର ଲୋକଙ୍କୁ ତୁରନ୍ତ ଚିକିତ୍ସା ସେବା ଯୋଗାଇଦେବାକୁ ଆମ୍ବୁଲାନସ୍‌ ଓ ଡାକ୍ତର ରହିବା କଥା । ସେହିଭଳି ଟୋଲ୍‌ ଗେଟ୍‌ ଗୁଡ଼ିକରେ ଯାତ୍ରୀଙ୍କ ପାଇଁ ରେଷ୍ଟ ରୁମ୍‌ ରହିବା କଥା । ରାସ୍ତା ଉପରେ କୌଣସି ଗୋରୁ ଗାଈଙ୍କ ମୃତଦେହକୁ ତୁରନ୍ତ ସଫା କରାଯିବା କଥା । ସେହିଭଳି ଡିଭାଇଡର ଉପରେ ଲାଗିଥିବା ଗଛ ଗୁଡ଼ିକୁ ନିୟମିତ ଭାବେ କାଟି ସଫା କରାଯିବା କଥା । ହେଲେ ଏସବୁ ଉପରେ କେହି ଧ୍ୟାନ ଦେଉନାହାନ୍ତି । ଯାହାକୁ ନେଇ  ସାଧାରଣ ଲୋକଙ୍କ ଭିତରେ ଅସନ୍ତୋଷ ଦେଖିବାକୁ ମିଳୁଛି ।

{"id":179572}

ଯାତ୍ରୀଙ୍କ  ସେଫଟି ପାଇଁ କୌଣସି ବ୍ୟବସ୍ଥାକୁ ଗୁରୁତ୍ବ ନଦେଇ କେବଳ ଟୋଲ୍‌ ଫି ଆଦାୟରେ ମାତିଛନ୍ତି NHAI କର୍ତ୍ତୃପକ୍ଷ । ଏହା କ’ଣ ନିୟମର ଖୋଲାଖୋଲି ଉଲଂଘନ ନୁହେଁ କି ?

{"id":179573}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.