ନ୍ୟୁଜ୍ ୭ରେ ଅପରେସନ୍ ସ୍ୟାଣ୍ଡ-୨ର ପ୍ରସାରଣ ପରେ ଆକ୍ସନ : ଏନ୍ଜିଟିର ୧୨ଜଣିଆ ଟିମ୍ର ତଦାରଖ
4/12/2019 at 10:55 AM

ଜଳେଶ୍ବର ୪।୧୨: ନ୍ୟୁଜ୍ ୭ର ମହା ପ୍ରଭାବ । ବାଲି ଚୋରି ସଂପର୍କିତ ଖବର ଲଗାତାର ପ୍ରସାରଣ ପରେ ବାଲେଶ୍ବର ପ୍ରଶାସନର ଚେତା ପଶିଛି । ଜଳେଶ୍ବର ତହସିଲ ଅନ୍ତର୍ଗତ ବିଭିନ୍ନ ବାଲି ସୈରାତରେ ଏକ ସ୍ବତନ୍ତ୍ର ୧୨ଜଣିଆ ଏନଜିଟି ଟିମ୍ ତଦାରଖ କରିଛି ।

ପଶ୍ଚିମବଙ୍ଗର ବାଲି ମାଫିଆମାନେ ବାରମ୍ବାର ଓଡିଶାର ସୁବର୍ଣ୍ଣରେଖା ନଦୀରୁ ବେଆଇନ ଭାବରେ ବାଲି ଉତ୍ତୋଳନ କରୁଥିବା ନେଇ ବାରମ୍ବାର ଅଭିଯୋଗ ହେବା ପରେ ମଧ୍ଯ ପଶ୍ଚିମବଙ୍ଗର ବାଲି ମାଫିଆମାନେ କୌଣସି କର୍ଣ୍ଣପାତ ନକରି ବେଧଡକ ବାଲି ଉତ୍ତୋଳନ କରିଆସୁଥିଲେ । ଫଳରେ ସୁବର୍ଣ୍ଣରେଖା ନଦୀର ମାକିଡିଆ ଏବଂ ଓଲମରା ନଦୀପଠାରେ ଏନ୍ଜିଟିର ୧୨ଜଣିଆ ଟିମ୍ ସହ ବନବିଭାଗର ଅଧିକାରୀମାନେ ତଦନ୍ତ କରିଥିଲେ ।

ନ୍ୟୁଜ୍ ସେଭେନ୍ ଅପରେସନ ସ୍ୟାଣ୍ଡ -୨ରେ ଦେଖାଇଥିଲା ସୁବର୍ଣ୍ଣରେଖାରେ ମାଫିଆମାନେ କିଭଳି ଉଠାଉଛନ୍ତି ବେଆଇନ ବାଲି । ଖବର ପ୍ରସାରଣ ପରେ ନଦୀପଠାରୁ ମାଫିଆଙ୍କର ସବୁ ମେସିନ ଗାଏବ ହୋଇଯାଇଥିଲା । ତେବେ ଏନ୍ଜିଟି ଟିମ୍ର କହିବା କଥା ଏବେ ବେଆଇନ ବାଲି ଚାଲାଣ ବନ୍ଦ ଅଛି ।

ପଶ୍ଚିମବଙ୍ଗ ଓ ଓଡିଶା ସରକାରଙ୍କ ସହମତି ପରେ ପୁଣି ଥରେ ଟେଣ୍ଡର ହେବ । ତେବେ ଏହି ସୀମା ବିବାଦ ଦୀର୍ଘ ଦିନରୁ ଲାଗିରହିଥିବା ଯୋଗୁଁ ଆଜି କେନ୍ଦ୍ର ଏବଂ ଉଭୟ ପଶ୍ଚିମବଙ୍ଗ ଓ ଓଡିଶା ସରକାରଙ୍କର ବରିଷ୍ଠ ଅଧିକାରୀମାନେ ବାଲି ସୈରାତ ଗୁଡିକର ତଦାରଖ କରିଥିଲେ ।