ଶାରୀଶୁଆ ପଥର ଖଣି ଲିଜ୍‌କୁ ଏନ୍‌ଜିଟି ଛାଟ : ହାତୀ କରିଡରରେ କାର୍ଯ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ

Published By : Prameya-News7 Bureau | October 22, 2019 IST

ଭୁବନେଶ୍ବର ୨୨|୧୦: ହାତୀ କରିଡର ଅଞ୍ଚଳରେ ପଥର ଖାଦାନ କାର୍ଯ୍ୟ ବନ୍ଦ ରଖ । ଇକୋ ସେନସିଟିଭ୍ ଜୋନରେ ଏଭଳି କାର୍ଯ୍ୟ କରାଯାଇ ପାରିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ । ବାଲେଶ୍ୱର ଜିଲ୍ଲା ଖଇରା ତହସିଲର ଶାରୀଶୁଆ ଗ୍ରାମର ପଥର ଖଣି ଲିଜ୍ ଅନୁମୋଦନ ପ୍ରସଙ୍ଗରେ ଏଭଳି ରାୟ ଶୁଣାଇଛନ୍ତି ଏନଜିଟି । ରୁରାଲ ଅର୍ଗାନାଇଜେସନ ଫର୍ ସୋସିଆଲ ଏମପାୱାରମେଣ୍ଟ ଓ ଆସୋସିଏଟେଡ ସୋସିଆଲ୍ ସର୍ଭିସ୍ ଏଜେନ୍ସି ପକ୍ଷରୁ ଏଭଳି ଲିଜ ବିରୋଧରେ ଏନଜିଟିରେ ଆବେଦନ କରାଯାଇଥିଲା । ଆବେଦନରେ ଦର୍ଶାଯାଇଥିଲା କି ସଂପୃକ୍ତ ପଥର ଖଣି କୁଲଡିହା ବନ୍ୟପ୍ରାଣୀ ଅଭୟାରଣ୍ୟରେ ଆସୁଛି । ତେଣୁ ସେଠାରେ ପଥର ଖନନ ବନ୍ୟଜନ୍ତଙ୍କୁ ପ୍ରତି ବିପଦ ସୃଷ୍ଟି କରିବ । କେବଳ ଏତିକି ନୁହେଁ, ଏହା ଶିମିଳିପାଳ-ହଦଗଡ଼-କୁଲଡିହା ଆନ୍ତଃଜିଲ୍ଲା ବନ୍ୟପ୍ରାଣୀ କରିଡର ଅଞ୍ଚଳ ଅନ୍ତର୍ଗତ ଏକ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ । ପ୍ରାକୃତିକ ଜଳ ଉତ୍ସ ସହ ହାତୀ କରିଡର ମଧ୍ୟ । ଏହି ଅଭିଯୋଗକୁ ଆଖି ଆଗରେ ରଖି ଏନଜିଟି ପିସିସିଏଫଙ୍କୁ ଏ ସଂପର୍କରେ ଅନୁଧ୍ୟାନ କରି ରିପୋର୍ଟ ଦେବାକୁ କହିଥିଲେ । ରିପୋର୍ଟରେ ଏହା ସ୍ପଷ୍ଟ ହୋଇଥିଲା କି, ୮୬ଟି ପଥର ଖାଦାନ ହାତୀ କରିଡର ସଂଲଗ୍ନ ଅଞ୍ଚଳରେ ରହିଛି । ଏନଜିଟି ଏଭଳି ପଥର ଖାଦାନ ଲିଜ୍ ବିରୋଧରେ ରାୟ ଶୁଣାଇଛନ୍ତି । ଇକୋ ସେନସିଟିଭ୍ ଜୋନ୍ ନିକଟବର୍ତ୍ତୀ ଅଞ୍ଚଳରେ କୌଣସି ଏଭଳି କାର୍ଯ୍ୟ ଲାଗି ଅନୁମତି ମିଳିପାରିବ ନାହିଁ ବୋଲି ରାୟରେ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.