ମାଡ଼ିଆସିବ ଆଉ ଏକ ମହାମାରୀ ! ‘ଇବୋଲା’ ସମ୍ପର୍କରେ ପ୍ରଥମେ ତଥ୍ୟ ଦେଇଥିବା ପ୍ରଫେସର ଦେଲେ ଭୟାନକ ଚେତାବନୀ
4/01/2021 at 5:34 PM

ନୂଆଦିଲ୍ଲୀ ୦୪/୦୧: ପରବର୍ତ୍ତୀ ମହାମାରୀ ଡିଜିଜ୍ ଏକ୍ସ (Disease X) ? କରୋନା ମହାମାରୀ ପାଇଁ ୨୦୨୦ ବର୍ଷକୁ ଲୋକେ ଏକ କାଳ ବର୍ଷ ବୋଲି କହୁଥିବା ବେଳେ ୨୦୨୧ ନୂଆ ଆଶା ନେଇ ଆସିଛି ବୋଲି ବିଶ୍ବାସ ମଧ୍ୟ କରୁଛନ୍ତି। ୨୦୨୧ରେ କରୋନା ଭ୍ୟାକସିନ୍ ଉପଲବ୍ଧ ହୋଇସାରିଥିବା ବେଳେ ଭାରତ ସମେତ ଅନକେ ଦେଶରେ ଏବେ ଟିକାକରଣ ଆରମ୍ଭ ହୋଇଯିବ। ଯଦିଓ ଇଂଲଣ୍ଡ, ଆମେରିକା ଭଳି ଦେଶରେ ପୂର୍ବରୁ ଟିକାକରଣ ଆରମ୍ଭ ହୋଇସାରିଛି କିନ୍ତୁ ଏବେ ବିଶ୍ବର ଅନ୍ୟ ଦେଶରେ ଟିକାକରଣ ଆରମ୍ଭ ହୋଇଯିବ ବୋଲି ଆଶା ପ୍ରକାଶ ପାଇଛି। ୨୦୨୦ର ଦୁଃଖକୁ ଭୁଲି ୨୦୨୧ରେ ମନରେ ନୂଆ ଆଶା ସଞ୍ଚାର ହୋଇଆସୁଥିବା ବେଳେ ପୁଣି ଏକ ଦୁଃଖଦ ଖବର ଚିନ୍ତା ବଢ଼ାଉଛି।
କରୋନାର ନୂଆ ରୂପ ମିଳୁଥିବା ବେଳେ ଏଥିପ୍ରତି ସରକାର ସଜାଗ ହେଉଥିବା ବେଳେ ପୁଣି ବିଶ୍ବ ଆଉ ଏକ ମହାମରୀ ‘ଡିଜିଜ୍ ଏକ୍ସ’କୁ ସାମ୍ନା କରିବାକୁ ଯାଉଛି ବୋଲି ରିପୋର୍ଟ ପ୍ରକାଶ ପାଉଛି। ଇବୋଲା ଭାଇରସ୍ ସମ୍ପର୍କରେ ପ୍ରଥମେ ସୂଚନା ଦେଇଥିବା ପ୍ରଫେସର ଜିନ୍ ଜାକ୍ୟୁସ୍ ମୁୟେମ୍ବେ ତାମଫମ୍ ନୂଆ ମହାମାରୀ ସମ୍ପର୍କରେ ସୂଚନା ଦେଇଛନ୍ତି। ପୁଣି ମଣିଷ ସମାଜ ପାଇଁ ଘାତକ ରୂପ ଧାରଣ କରିବାକୁ ଯାଉଛି ଆଉ ଏକ ରୋଗ ଯାହାକି ମହାମାରୀ ରୂପେ ଉଭା ହେବାକୁ ଯାଉଛି ବୋଲି ଜିନ୍ କହିଛନ୍ତି।
ଆଫ୍ରିକାର ଜଙ୍ଗଲ ସହ ଜଡ଼ିତ ଭୂତାଣୁ ଏବେ ବିଶ୍ବ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିବାକୁ ଯାଉଛି। ଏହି ଭାଇରସ୍ ପଶୁଙ୍କ ପାଖରୁ ମଣିଷଙ୍କୁ ସଂକ୍ରମିତ ହେବ ବୋଲି ତାମଫମ ସିଏନଏନକୁ କହିଥିବା ଜଣାପଡ଼ିଛି। ଏହା ସହ ସେ ହଳଦିଆ ଜ୍ବର, ଇନ୍ପ୍ଲୁଏନ୍ଜା, ରାବିଜ୍, ବ୍ରୁସେଲୋସିସ୍ର ଉଦାହରଣ ଦେଇ କହିଛନ୍ତି ଏହି ସବୁ ରୋଗ କୀଟ ପତଙ୍ଗଙ୍କ ଠାରୁ ମଣିଷକୁ ସଂକ୍ରମିତ କରିଥିଲା ଏବଂ ପରେ ଏହି ସବୁ ରୋଗ ମହାମାରୀ ଭାବେ ସାରା ବିଶ୍ବକୁ କବଳିତ କରିଥିଲା।
ଯଦିଓ ‘ସିଜିଜ୍ ଏକ୍ସ’କୁ କଳ୍ପନା କରାଯାଉଛି କିନ୍ତୁ ଏହାକୁ ନେଇ ବୈଜ୍ଞାନିକମାନେ ବିଶ୍ବରେ ହେବାକୁ ଯାଉଥିବା ପରିସ୍ଥିତି ସମ୍ପର୍କରେ ଆଶଙ୍କା ପ୍ରକାଶ କରୁଛନ୍ତି। ତେବେ ଭବିଷ୍ୟତରେ ଆସିବାକୁ ଥିବା ମହାମାରୀ ନିଶ୍ଚିତ ରୂପେ କରୋନା ଭୂତାଣୁ ଠାଣୁ ଅଧିକ ମରଣାନ୍ତକ ହେବ ବୋଲି ତାମଫମ୍ କହିଛନ୍ତି।
ମଣିଷ ସମାଜ ପାଇଁ ବ୍ୟାପକ କ୍ଷତି ପହଞ୍ଚାଇବାକୁ ଆସିବାକୁ ଥିବା ରୋଗକୁ ‘ଡିଜିଜ୍ ଏକ୍ସ’ ବୋଲି ନାମକରଣ କରାଯାଇଛି। ଏହା ସାର୍ସ କିମ୍ବା ଇବୋଲା ଭଳି ମଧ୍ୟ ଘାତକ ହୋଇପାରେ। ମିଳିଥିବା ସୂଚନା ଅନୁସାରେ ଡିଜିଜ୍ ଏକ୍ସ କରୋନା ଭାଇରସ୍ ଠାରୁ ତୀବ୍ର ବେଗରେ ବ୍ୟାପିବ କିନ୍ତୁ ଏଥିରେ ମୃତ୍ୟୁ ହାର ଇବୋଲାର ହାରଠୁ ୫୦ରୁ ୯୦ ପ୍ରତିଶତରେ ରହିବ। ଡେଲି ମେଲ୍ର ରିପୋର୍ଟ ଅନୁସାରେ ଜଣେ ରୋଗୀଙ୍କ ଶରୀରରେ ଇବୋଲା ଟେଷ୍ଟ ପରେ ମିଳିଥିବା ସାମ୍ପଲ ଡିଜିଜ୍ ଏକ୍ସ ହୋଇପାରେ ବୋଲି ଡାକ୍ତରମାନେ ବିଶ୍ବାସ କରୁଛନ୍ତି। ଡିଜିଜ୍ ଏକ୍ସ ଅକସ୍ମାତ, ଅଚିହ୍ନା ଯାହାକି କୋଭିଡ-୧୯ ମହାମାରୀ ପରେ ପରେ ଆସିପାରେ ବୋଲି ଆକଳନ କରାଯାଉଛି।