ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍‌ ଫାଇନାଲ୍ ପୂର୍ବରୁ ନ୍ୟୁଜିଲାଣ୍ଡକୁ ବଡ ଝଟକା, ଆହତ ହେଲେ ଦୁଇ ବଡ ଖେଳାଳି

Published By : Prameya-News7 Bureau | June 09, 2021 IST

ଲଣ୍ଡନ ୦୯।୦୬: ଜୁନ ୧୮ରେ ଭାରତ ବିପକ୍ଷ ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍‌ର ଫାଇନାଲ ମୁକାବିଲା ପୂର୍ବରୁ ନ୍ୟୁଜିଲାଣ୍ଡ ବର୍ତ୍ତମାନ ଘରୋଇ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍ ଖେଳୁଛି। ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ମଧ୍ୟରେ ଜୁନ ୧୦ରୁ ଦ୍ଵିତୀୟ ଟେଷ୍ଟ ଖେଳାଯିବ। ଏହା ପୂର୍ବରୁ ଦଳକୁ ବଡ ଝଟକା ଲାଗିଛି। ଦଳର ଅଧିନାୟକ କେନ ଓ୍ଵିଲିୟମସନ ଓ ମିଚେଲ ସାଣ୍ଟନର ଆହତ ହୋଇଛନ୍ତି। ଫଳରେ ଏହି ଦୁଇ ଖେଳାଳି ଇଂଲଣ୍ଡ ବିପକ୍ଷ ଦ୍ଵିତୀୟ ଟେଷ୍ଟରୁ ବାଦ୍ ପଡିଛନ୍ତି।

ନ୍ୟୁଜିଲାଣ୍ଡର କୋଚ୍ ଗ୍ୟାରୀ ଷ୍ଟିଡ୍ ଏହି ଦୁଇ ଖେଳାଳିଙ୍କ ଆହତ ସୂଚନା ଦେଇଛନ୍ତି। ନ୍ୟୁଜିଲାଣ୍ଡ ନିଜର ଅଧିନାୟକ କେନ ଓ୍ଵିଲିୟମସନଙ୍କୁ ନେଇ ଚିନ୍ତିତ। ଅନ୍ୟପଟେ ସ୍ପିନର ମିଚେଲ ସାଣ୍ଟନର ମଧ୍ୟ ଆଙ୍ଗୁଠି ଆଘାତ କାରଣରୁ ଗୁରୁବାରଠୁ ଆରମ୍ଭ ହେଉଥିବା ଦ୍ଵିତୀୟ ଟେଷ୍ଟ ଖେଳି ପାରିବେ ନାହିଁ। ଓ୍ଵିଲିୟମସନଙ୍କ କହୁଣୀରେ ଆଘାତ ଲାଗିଛି। ଅନ୍ୟପଟେ ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟ ଅନ୍ତିମ ମୁକାବିଲାରେ ଉପଲବ୍ଧ ରହିବେ। ଏମିତିରେ ନ୍ୟୁଜିଲାଣ୍ଡର ଅନ୍ୟ ପ୍ରମୁଖ ବୋଲର ଟିମ୍ ସାଉଦି, ନିଲ ଓ୍ଵାଗନର ଏବଂ କାଇଲ ଜେମିସନଙ୍କ ମଧ୍ୟରୁ ଜଣଙ୍କୁ ବିଶ୍ରାମ ଦିଆଯାଇପାରେ।

ସବୁଠୁ ବଡ କଥା ଜୁନ ୧୮ରୁ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍‌ର ଫାଇନାଲ ମୁକାବିଲା ଖେଳାଯିବ। ଏହା ପୂର୍ବରୁ ଦୁଇ ଖେଳାଳି ଆହତ ହେବା ନ୍ୟୁଜିଲାଣ୍ଡ ପାଇଁ ଚିନ୍ତାର ବିଷୟ ପାଲଟିଛି। କାରଣ ନ୍ୟୁଜିଲାଣ୍ଡ ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍‌ର ଫାଇନାଲକୁ ଦୃଷ୍ଟିରେ ରଖି ଇଂଲଣ୍ଡ ସିରିଜ୍‌କୁ ଅଭ୍ୟାସ୍ ଭାବେ ନେଇଛି।

କୋଚ୍ କହିଛନ୍ତି, ଆମେ ଫାଇନାଲ୍ ପୂର୍ବରୁ ସମସ୍ତ ଖେଳାଳିଙ୍କୁ ଫିଟ୍ ରଖିବାକୁ ଚାହୁଁ। ଆମେ ୨୦ ଜଣିଆ ଦଳ ସହ ଇଂଲଣ୍ଡ ଗସ୍ତ କରିଛୁ। ଅନେକ ଖେଳାଳିଙ୍କ ଟେଷ୍ଟରେ ଭଲ ଅଭିଜ୍ଞତା ରହିଛି। କିନ୍ତୁ ଆହତଜନିତ ସମସ୍ୟା ଦଳ ପାଇଁ ଭଲ ନୁହେଁ। କାରଣ ଏହା ଦଳର ରଣନୀତିକୁ ପ୍ରଭାବିତ କରିଥାଏ ବୋଲି ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.