ଭାରତୀୟ ବୋଲରଙ୍କ ଘାତକ ବୋଲିଂରେ ଧରାଶୟୀ ନ୍ୟୁଜିଲାଣ୍ଡ, ପ୍ରଥମ ଇନିଂସରେ ମାତ୍ର ୬୨ରନରେ ଅଲଆଉଟ, ଦୁଇ ଅଙ୍କ ଛୁଇଁପାରିଲେନି ୯ବ୍ୟାଟ୍ସମ୍ୟାନ୍

Published By : Prameya-News7 Bureau | December 04, 2021 IST

ମୁମ୍ବାଇ ୦୪/୧୨ : ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଜାରି ରହିଥିବା ଦ୍ବିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚରେ ଧରାଶୟୀ ହୋଇଛି ନ୍ୟୁଜିଲାଣ୍ଡ । ପ୍ରଥମ ଇନିଂସରେ କିଓ୍ବି ବୋଲର ଏଜାଜ ପଟେଲଙ୍କ ଦମଦାର ବୋଲିଂ ବଳରେ ଭାରତ ୩୨୫ରେ ଅଲଆଉଟ ହୋଇଯାଇଥିଲା ଭାରତ । ଏଜାଜ୍‌ ପଟେଲ ଏକାକି ୧୦ ଓ୍ବିକେଟ ନେଇ ଭାରତର ବ୍ୟାଟିଂ ଅର୍ଡରକୁ ମାତ୍‌ ଦେଇଥିଲେ । ଜବାବଦରେ ବ୍ୟାଟିଂ ପାଇଁ ଓହ୍ଲାଇଥିବା​‌ ନ୍ୟୁଜିଲାଣ୍ଡ ଦୟନୀୟ ପ୍ରଦର୍ଶନ କରିଛି । ଦ୍ବିତୀୟ ଦିନ ଶେଷ ହୋଇନଥିବା ବେଳେ ନ୍ୟୁଜିଲାଣ୍ଡ ମାତ୍ର ୬୨ରନରେ ଅଲଆଉଟ ହୋଇଯାଇଛି । ରବିଚନ୍ଦ୍ରନ ଅଶ୍ବିନ, ଅକ୍ଷର ପଟେଲ ଏବଂ ମହମ୍ମଦ ସିରାଜଙ୍କ ଘାତକ ବୋଲିଂ ବଳରେ ଧରାଶୟୀ ହୋଇଛି ଭ୍ରମଣକାରୀ ନ୍ୟୁଜିଲାଣ୍ଡ ଦଳ ।

 ପ୍ରଥମ ଇନିଂସରେ ଭାରତ ୩୨୫ ରନରେ ଅଲଆଉଟ ହୋଇଯିବା ପରେ ବ୍ୟାଟିଂ କରିବାକୁ ଆସିଥିବା ନ୍ୟୁଜିଲାଣ୍ଡ ପ୍ରଥମରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ଦଳର ୯ଜଣ ବ୍ୟାଟ୍ସମ୍ୟାନ ୨ ଅଙ୍କ ସ୍କୋର ମଧ୍ୟ ଛୁଇଁପାରି ନାହାନ୍ତି । ଓପନର ଟମ ଲାଥାମ୍‌ ଏବଂ ଓ୍ବିଲ ୟଙ୍ଗ ଫେଲ ମାରିଥିଲେ । ଲାଥାମ୍‌ ବ୍ୟକ୍ତିଗତ ୧୦ ରନ କରି ଆଉଟ ହୋଇଥିବା ବେଳେ ୟଙ୍ଗ୍ ୪ରନ କରି ପ୍ୟାଭିଲିୟନ ଫେରିଛନ୍ତି । ସେହିଭଳି ଡାରିଲ୍‌ ମିଚେଲ ୮ରନ କରି ଆଉଟ ହୋଇଥିବା ବେଳେ, ରସ୍‌ ଟେଲର ୧ରନ, ହେନରୀ ନିକୋଲସ୍‌ ୭ରନ, ଟମ ବ୍ଲଣ୍ଡେଲ ୮ରନ, ରଚିନ୍‌ ରବିନ୍ଦ୍ର ୪ରନ, କାଇଲ୍‌ ଜିମିସନ୍‌ ୧୭ରନ, ଟିମ ସାଉଥି ୦ରନ ଏବଂ ଓ୍ବିଲ ସମରଓ୍ବିଲ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଛନ୍ତି । ଏଜାଜ୍‌ ପଟେଲ ୦ରନକରି ଅପରାଜିତ ଅଛନ୍ତି ।

ଭାରତର ସ୍ପିନ୍‌ ବାହିନୀ କମାଲ କରିଛନ୍ତି । ପ୍ରଥମ ମ୍ୟାଚରେ ଚମତ୍କାର ବୋଲିଂ କରିଥିବା ଅଶ୍ବିନ-ଅଧକ୍ଷର ଯୋଡି ପୁଣି ଘାତକ ସାବ୍ୟସ୍ତ ହୋଇଛନ୍ତି । ଅଶ୍ବିନ ୮ ଓଭରରେ ମାତ୍ର ୮ରନ ଦେଇ ୪ଓ୍ବିକେଟ ନେଇଥିବା ବେଳେ, ଅକ୍ଷର ପଟେଲ ୯.୧ ଓଭରରେ ୧୪ରନ ଦେଇ ୨ ଓ୍ବିକେଟ, ମହମ୍ମଦ ସିରାଜ୍ ୪ ଓଭରରେ ୧୯ରନ ଦେଇ ୩ ଓ୍ବିକେଟ, ଜୟନ୍ତ ଯାଦବ ୨ ଓଭରରେ ୧୩ରନ ଦେଇ ଗୋଟିଏ ଓ୍ବିକେଟ ନେଇଛନ୍ତି । ଉମେଶ ଯାଦବ ୫ ଓଭରରେ ୭ରନ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.