ନ୍ୟୁଜ ୭ରେ କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ, ସର୍ଟ ଫିଲ୍ମ କଣ୍ଟେଷ୍ଟ୍ 'ସୋ କେସ୍ ୨୦୨୦'ର ମନୋନୀତ ସିନେମା ପ୍ରସାରଣ ୩୦ରୁ ଆରମ୍ଭ

Published By : Prameya-News7 Bureau | October 29, 2020 IST

ଭୁବନେଶ୍ଵର ୨୯।୧୦: ଆସନ୍ତା ୩୦ ତାରିଖରୁ ଆରମ୍ଭ ହେଉଛି ନ୍ୟୁଜ୍ ସେଭେନ୍ କ୍ଷୁଦ୍ର ଚଳଚ୍ଚିତ୍ର ୨୦୨୦ ମହୋତ୍ସବ । କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାତା  ନିର୍ଦ୍ଦେଶକଙ୍କୁ ସ୍ବୀକୃତି ତଥା ପରିଚିତିର ସୁଯୋଗ । ଦର୍ଶକଙ୍କୁ ଏକ ନିଆରା  ଅନୁଭବ ସହ  ମନୋରଞ୍ଜନ ଦେବାର  ଏକ ପ୍ରୟାସ । ତା ସହ ଜୀବନର , ସମାଜର ଆଉ ସମୟର  କିଛି  ନିଚ୍ଛକ କଥା  । ଶୁକ୍ର, ଶନି ଓ ରବିବାର  ନ୍ୟୁଜ ସେଭେନ୍‌ରେ ପ୍ରସାରଣ ହେବାକୁ ଯାଉଥିବା ଚଳଚ୍ଚିତ୍ର ମହୋତ୍ସବ  ଦର୍ଶକଙ୍କ ମନକୁ ଛୁଇଁବ ନିଶ୍ଚୟ ।

 ଅନନ୍ୟ ଆରମ୍ଭ । ଆଗ୍ରହକୁ  ପ୍ରତିଭାକୁ ସୁଯୋଗ ଆଉ ଏବେ ଦର୍ଶକ ଦେବେ ସ୍ବୀକୃତି ।  “News7 Short Film Contest Shocase 2020” ଏବେ ଦ୍ବିତୀୟ ତଥା ସବୁଠୁ ଗୁରୁତ୍ବପୂର୍ଣ୍ଣ ସୋପାନରେ ପହଞ୍ଚିଛି । ଟ୍ରଫି ଉନ୍ମୋଚନର  ପ୍ରଥମ ପର୍ବ ପରେ ଏବେ ଦ୍ବିତୀୟ ପର୍ବରେ ମନୋନୀତ କ୍ଷୁଦ୍ର ଚଳଚ୍ଚିତ୍ର ଗୁଡିକର ପ୍ରସାରଣ ନ୍ୟୁଜ୍ ସେଭେନରେ ଆରମ୍ଭ ହେବ । ଆସନ୍ତା ୩୦ ତାରିଖରୁ ପ୍ରତ୍ୟେକ ଶୁକ୍ରବାର, ଶନିବାର ଓ ରବିବାର ଦିନ ୧୦ଟା ୪୫ମିନିଟ୍ ଏବଂ ଅପରାହ୍ନ ୩ଟା ୧୫ମିନିଟରେ ମନୋନୀତ କ୍ଷୁଦ୍ର ଚଳଚ୍ଚିତ୍ର ଗୁଡିକୁ ଦେଖିବେ ନ୍ୟୁଜ୍ ସେଭେନ  ଦର୍ଶକ । ଦର୍ଶକଙ୍କ ରାୟ  ବିଜେତାଙ୍କୁ ପିନ୍ଧାଇବ ବିଜୟ ମୁକୁଟ ।

ଖବର ଉପରେ ନଜର ସହ କିଛି ନୂଆ ଦେଖାଇବାର ନିରନ୍ତର ପ୍ରୟାସରେ ସଫଳ ନ୍ୟୁଜ୍‌ ସେଭେନ୍‌ ର ଅନ୍ୟ ଏକ ପ୍ରୟାସ “News7 Short Film Contest Shocase 2020” ।   ସିନେମା ତଥା କଳା  ପ୍ରତି ଥିବା ଆଗ୍ରହ ଓ ସୃଜନଶୀଳତାକୁ ଆଗକୁ ଆଣିବାର ଲକ୍ଷ୍ୟ ସହ ଏକ ସାମାଜିକ ସଚେତନତାର ବାର୍ତ୍ତା । ଫେବୃଆରୀ ୧୮ ରେ ନ୍ୟୁଜ୍ ସେଭେନ୍ ଷ୍ଟୁଡିଓରେ “News7 Short Film Contest Shocase 2020”ର ଟ୍ରଫିକୁ ସୁମା ରିୟଲ ମିଡିଆର ନିର୍ଦ୍ଦେଶିକା ଶ୍ରୀମତୀ ଶାସ୍ବତୀ ଦାସ, ଜାତୀୟ ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ଏବଂ ଲୋକପ୍ରିୟ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଉନ୍ମୋଚନ କରିଥିଲେ । କହିଥିଲେ, ଏପରି ନିଆରା ପଦକ୍ଷେପ ଅନନ୍ୟ ଏବଂ ପ୍ରଶଂସନୀୟ । ଏହାପରେ କିଛି ସର୍ତ୍ତାବଳୀ ସହ ନିର୍ମାତା-ନିର୍ଦ୍ଦେଶକ ତଥା ସିନେପ୍ରେମୀଙ୍କ ଠାରୁ କ୍ଷୁଦ୍ର ଚଳଚ୍ଚିତ୍ର ଆହ୍ବାନ କରାଯାଇଥିଲା । କୋଭିଡ୍ ମହାମାରୀ  ଜନୀତ ଅସାଧାରଣ ସମୟରେ ବି ଆସିଥିଲା ୮୭ କ୍ଷୁଦ୍ର ସିନେମା ।

ତିନି ଜଣିଆ  ବିଚାରକ ମଣ୍ଡଳୀ  ବାଛିଲେ ୩୮ ଟି କ୍ଷୁଦ୍ର ସିନେମା ।ଲବ୍ଧ ପ୍ରତିଷ୍ଠିତ ନିର୍ଦ୍ଦେଶକ ସୁବାଷ ଦାସ, ଚଳଚ୍ଚିତ୍ର ସମୀକ୍ଷକ ସୂର୍ଯ୍ୟ ଦେଓ ଏବଂ ଲୋକପ୍ରିୟ ସିନେ ଅଭିନେତ୍ରୀ ଅନୁ ଚୌଧୁରୀ ଙ୍କୁ ନେଇ ଗଠିତ. ଏହି ତିନି ଜଣିଆ ଜୁରୀ  ସବୁ ସିନେମାର କରିଥିଲେ ବିଶ୍ଲେଷଣ, ମନ୍ଦ ଆଉ ଭଲ । ଏବେ  ଏହି ମନୋନୀତ ୩୮ କ୍ଷୁଦ୍ର ଚଳଚ୍ଚିତ୍ର ଗୁଡିକୁ ପର୍ଯ୍ୟାୟ କ୍ରମେ ନ୍ୟୁଜ୍ ସେଭେନରେ ପ୍ରସାରଣ କରାଯିବ ।

ମନୋନୀତ କ୍ଷୁଦ୍ର ଚଳଚ୍ଚିତ୍ର ଗୁଡ଼ିକର ପ୍ରସାରଣ ପରେ “News7 Short Film Contest Shocase 2020” ବିଜେତା  ବଛାହେବେ । ଦର୍ଶକଙ୍କ ରାୟ , ସୋସିଆଲ ମିଡିଆରେ  ଗ୍ରହଣୀୟତାକୁ ବିଚାରକୁ ନିଆଯିବ । ବିଭିନ୍ନ ବର୍ଗରେ ୧୦ରୁ ଅଧିକ ପୁରସ୍କାର ରହିଛି । ଏକ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ ବିଜେତାମାନଙ୍କୁ ପୁରସ୍କୃତ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.