ଜଗନ୍ନାଥ ସଂସ୍କୃତିକୁ ଅପମାନ ! ଜଗନ୍ନାଥ ନାଁରେ ମିଛ
Published By : Prameya-News7 Bureau | August 01, 2018 IST
ଜଗନ୍ନାଥ ସଂସ୍କୃତିକୁ ଅପମାନ । ସାରା ବିଶ୍ବର କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଭାବାବେଗ ସହ ଖେଳ । ରଚାଯାଇଛି ସଂଘାତିକ ଷଡ଼ଯନ୍ତ୍ର । ପିଲାଙ୍କୁ ପଢାଯାଉଛି ଜଗନ୍ନାଥଙ୍କ ବିଷୟରେ ଭୁଲ୍ ତଥ୍ୟ । ଆନ୍ଧ୍ର ଓ ତେଲେଙ୍ଗେନାର ବିଭିନ୍ନ ବିଶ୍ବବିଦ୍ୟାଳୟର ବି.ଇଡି ପାଠ୍ୟକ୍ରମର ବହିରେ ରହିଛି ମହାପ୍ରଭୁ ଜଗନ୍ନାଥଙ୍କୁ ନେଇ ଭ୍ରମାତ୍ମକ ତଥ୍ୟ । ବିଶ୍ବପ୍ରସିଦ୍ଧ ପୁରୀ ରଥାଯାତ୍ରାର ଆୟୋଜକ ହେଉଛି ଇସ୍କନ । ଏଭଳି ପାଠ ପଢୁଛନ୍ତି ଛାତ୍ରଛାତ୍ରୀ । ଆନ୍ଧ୍ର ଓ ତେଲେଙ୍ଗେନାର ବିଭିନ୍ନ ବିଶ୍ବବିଦ୍ୟାଳୟର ବି.ଇଡି ପାଠ୍ୟକ୍ରମର ଆର୍ଟ ଏଜୁକେସନର ଦ୍ବିତୀୟ ସେମିଷ୍ଟାର ଲାଗି ଜୟାମ୍ ପବ୍ଲିକେସନ ଦ୍ବାରା ପ୍ରସ୍ତୁତ ବହିଲେ ରହିଛି ଏଭଳି ଗୁରୁତର ତ୍ରୁଟି । ଯାହାର ଅଥର ହେଉଛନ୍ତି ଜି.ରାଧାକ୍ରିଷ୍ଣା ଓ ଏନ. ସୁବା ରାୟୁଡ଼ୁ । ଏହି ବହିର ୧୫୪ ନମ୍ବର ପୃଷ୍ଠାରେ ଜଗନ୍ନାଥଙ୍କ ରଥଯାତ୍ରା ଓ ନବକଳେବରକୁ ନେଇ ରହିଛି ଏଭଳି କିଛି ତଥ୍ୟ ଯାହା ଜଗତର ନାଥ ଜଗନ୍ନାଥଙ୍କ ସହ ପୂରା ଓଡ଼ିଆ ଜାତି ଲାଗି ଅପମାନ । ବିଶ୍ବପ୍ରସିଦ୍ଧ ପୁରୀ ରଥଯାତ୍ରାର ଆୟୋଜକ କୁଆଡ଼େ ଇଣ୍ଟରନାସନାଲ ସୋସାଇଟି ଫର୍ କ୍ରିଷ୍ଣା କନସିଅସନେସ୍ ବା ଇସ୍କନ। ଖାଲି ଏତିକି ନୁହେଁ, ନବଦିନାତ୍ମକ ଯାତ୍ରାରେ କାଳିଆ ସାଆନ୍ତ କୃଷ୍ଣ ରୂପରେ ଭାଇ, ଭଉଣୀଙ୍କୁ ନେଇ ନିଜର ଯୁବ ବସ୍ଥାର ଲୀଳା ଖେଳାର ସ୍ଥାନ ବୃନ୍ଦାବନ ଯାତ୍ରା କରୁଥିବା କୁହାଯାଇଛି । ଏହି ପାଠକୁ ପ୍ରତି ବର୍ଷ ହଜାର ହଜାର ଛାତ୍ରଛାତ୍ରୀ ପଢନ୍ତି ଓ ବିଇଡି କରି ଶିକ୍ଷକତା କରିବା ବେଳେ ପଢିଥିବା ପାଠକୁ ପଢାନ୍ତି ।