କରୋନା ଛଡେଇନେଲା ପେସା : ଦିନେ ଥିଲେ ନ୍ୟୁଜ୍ ଚାନେଲ୍ର କ୍ୟାମେରା ମ୍ୟାନ୍, ଏବେ ବିକୁଛନ୍ତି ପରିବା
9/07/2020 at 3:24 PM

ଭୋପାଲ ୦୯/୦୭ : ବେଳେବେଳେ ପରିସ୍ଥିତି ଆଗରେ ମଣିଷ ହାର ମାନିଯାଇ | କରୋନା ଭାଇରସ ଅନେକ ଲୋକଙ୍କ ଜୀବନ ଜୀବିକା ଛଡେଇ ନେଇଛି | ଅନେକ ଲୋକ ନିଜ ଚାକିରୀ ହରେଇ ବେକାର ହୋଇଯାଇଛନ୍ତି | କିଛି ଲୋକ ପେଟପାଟଣା ପାଇଁ ଅନ୍ୟ ବିକଳ୍ପ ନ ପାଇ ପରିବା ବିକ୍ରି କରୁଛନ୍ତି ତ କିଏ ଠେଲା ଲଗାଇ ଖାଇବା ବରା ସିଙ୍ଗଡ଼ା ତିଆରି କରୁଛନ୍ତି | ଏହିଭଳି ଅନେକ ମାମଲା ସାମ୍ନାକୁ ଆସିଛି | ସଂକ୍ରମଣ ସମୟରେ ଲୋକଙ୍କ ପାଖକୁ ଖବର ପହଞ୍ଚୁଥିବା ଅନେକ ଲୋକ ଖବର ଦୁନିଆରୁ ମଧ୍ୟ ହଜି ଯାଇଛନ୍ତି | ଏହିଭଳି ଏକ ଘଟଣା ଭୋପାଲରେ ଦେଖିବାକୁ ମିଳିଛି | ଭୋପାଲର ଏକ ନ୍ୟୁଜ ଚାନେଲର କ୍ୟାମେରା ମ୍ୟାନ ଏବେ ପନିପରିବା ବିକ୍ରି କରୁଛନ୍ତି | ନ୍ୟୁଜ ଚାନେଲର କ୍ୟାମେରା ମ୍ୟାନ ଡିପ୍ଲୋମା ଛାତ୍ରଛାତ୍ରୀଙ୍କୁ କ୍ୟାମେରା ମଧ୍ୟ ଶିଖାଉଥିଲା | କିନ୍ତୁ ଏବେ ତାଙ୍କ ପାଖରେ କୌଣସି କାମ ନ ଥିବାରୁ ପେଟପାଟଣା ପାଇଁ ସେ ପନିପରିବା ବିକ୍ରି କରୁଛନ୍ତି | ପରିସ୍ଥିତି ଦେଖି ସେ ନିଜ ପେସା ବି ବଦଳି ଦେଇଛନ୍ତି | କିନ୍ତୁ ସେ ସ୍ୱାଭିମାନ ଭୁଲି କାହା ଆଗରେ ହାତ ପତେଇ ନାହାନ୍ତି | ସେ କହିଛନ୍ତି ଯେ କୌଣସି ବି କାମ ଛୋଟ କିମ୍ବା ବଡ ନୁହେଁ |
ମୋହିତ ଖାଁ ନିୟାଜି ଆଗରୁ ଏକ ନ୍ୟୁଜ ଚାନେଲରେ କ୍ୟାମେରା ମ୍ୟାନ ଥିଲେ | ପରେ ଏକ ୟୁନିଭର୍ସିଟିରେ ଫିଲ୍ଡ କ୍ୟାମେରାମ୍ୟାନ ଭାବେ କାମ କରୁଥିଲେ | ଲକଡାଉନ ତାଙ୍କ ଚାକିରୀ ଚାଲିଗଲା | ଏବେ ସେ ଭୋପାଲ ଜବାହର ଛକରେ ପନିପରିବା ବିକ୍ରି କରୁଛନ୍ତି | ସେ କହିଛନ୍ତି ଯେ ଚାକିରୀ ଚାଲିଯିବା ପରେ ସେ ଚିନ୍ତିତ ହୋଇପଡିଥିଲେ | ଘରେ ସ୍ତ୍ରୀ, ପିଲା, ମା’ ସମସ୍ତଙ୍କ ଭରଣପୋଷଣ ପାଇଁ ସେ କିଛି କାମ କରିବାକୁ ମନସ୍ଥ କଲେ | ପରିବା ବିକାଳୀଙ୍କୁ ଦେଖି ସେ ପାଇବା ବିକ୍ରି କରିବାକୁ ନିଷ୍ପତ୍ତି ନେଲେ | ଆଗରୁ ୧୦ ଦିନ ଯାଏଁ ଘରେ ସେ ଜଣେଇନଥିଲେ ଯେ ସେ ପରିବା ବିକ୍ରି କରୁଛନ୍ତି | କିନ୍ତୁ ପରେ ଘର ଲୋକଙ୍କୁ କହିଥିଲେ |

ହୋଷାଙ୍ଗାବାଦରେ ଜଣେ ଯାଦୁଗର ୮ ବର୍ଷ ହେଲା ବିଭିନ୍ନ ସହରରେ ଯାଦୁ ସର୍କସରେ କାମ କରି ମାସକୁ ୩୦ ହଜାର ଟଙ୍କା ରୋଜଗାର କରୁଥିଲେ | ଲକଡାଉନ ଯୋଗୁଁ ତାଙ୍କର ସବୁ କାମ ବନ୍ଦ ହୋଇଗଲା | ସେ ଏବେ ଘରକୁ ଫେରି ଯାଇଛନ୍ତି | ଏବେ ତାଙ୍କ ହାତ ଯାଦୁ ଦେଖାଉନି | ଏବେ ତାଙ୍କ ହାତ ଅନ୍ୟ କାମ କରୁଛି | ଗତ ୨-୩ ମାସ ହେଲା ସେ ଶ୍ରମିକ ଭାବେ କାମ କରୁଛନ୍ତି | ଘର ଆଦି ପଲସ୍ତର କରୁଛନ୍ତି |
ସିଏମଆଇଇଇ ତାଲିକା ଅନୁଯାୟୀ, ମାର୍ଚ୍ଚ ମାସରେ ମଧ୍ୟପ୍ରଦେଶରେ ବେକାରୀ ହାର ୨.୨ ପ୍ରତିଶତ ଥିଲା | ମେ ମାସରେ ତାହା ବଢି ୨୭.୫ ପ୍ରତିଶତ ହୋଇଛି | ରୋଜଗାର କେନ୍ଦ୍ର ସୂଚନା ଅନୁଯାୟୀ, ମଧ୍ୟପ୍ରଦେଶରେ ପୂର୍ବରୁ ହିଁ ୨୭ ଲକ୍ଷ ବେକାରୀ ପଞ୍ଜିକୃତ ହୋଇଛନ୍ତି | ଯୁବ ଆୟୋଗ ସର୍ଭେରେ ଜଣାପଡିଛି ଯେ କରୋନା ସମୟରେ ୧୨ ଲକ୍ଷ ଲୋକ ଚାକିରୀ ହରାଇଛନ୍ତି | ଲକଡାଉନ ବେଳେ ୭ ଲକ୍ଷରୁ ଅଧିକ ଶ୍ରମିକ ଅନ୍ୟ ରାଜ୍ୟରୁ ଫେରିଛନ୍ତି | ଏମାନଙ୍କୁ କାମ ଯୋଗାଇବା ପାଇଁ ସରକାର ରୋଜଗାର ସେତୁ ପୋର୍ଟାଲ ତିଆରି କରିଛନ୍ତି | କିନ୍ତୁ ଏହି ପୋର୍ଟାଲ ଆଧାରରେ ଏବେ ସୁଦ୍ଧା କିଛି ହଜାର ଲୋକଙ୍କୁ କାମ ମିଳିଛି |a