ବରିଷ୍ଠ ସାମ୍ବାଦିକ ସମ୍ମାନିତ : ପଲ୍ଲୀବାଣୀ ମିଶନ ପକ୍ଷରୁ ନ୍ୟୁଜ୍ ୭ ଏଡିଟର ଅର୍ଦ୍ଧେନ୍ଦୁ ଦାସ ଏବଂ ପ୍ରମେୟ ନ୍ୟୁଜ୍ ଏଡିଟର ଧୀରେନ୍ଦ୍ର ନାରାୟଣ ମିଶ୍ର ସମ୍ମାନିତ

Published By : Prameya-News7 Bureau | August 11, 2019 IST

ନୂଆଦିଲ୍ଲୀ ୧୧|୮: ଦିଲ୍ଲୀର କନଷ୍ଟିଟ୍ୟୁସନ୍ କ୍ଲବ୍ ରେ ଅନୁଷ୍ଠିତ ହୋଇଛି ଓଡିଶା ସାମ୍ବାଦିକତା ପୁରସ୍କାର ପ୍ରଦାନ ସମାରୋହ । ଅଗ୍ରଣୀ ପ୍ରତିଷ୍ଠାନ "ପଲ୍ଲିବାଣୀ ମିଶନ' ପକ୍ଷରୁ ଓଡ଼ିଆ ଏବଂ ଓଡ଼ିଶାର ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ଶନିବାର ରାଜ୍ୟର ୭ ଜଣ ପ୍ରତିଭାବାନ ସାମ୍ବାଦିକଙ୍କୁ ଚଳିତ ବର୍ଷ ଓଡ଼ିଶା ସାମ୍ବାଦିକତା ପୁରସ୍କାର ପ୍ରଦାନ କରାଯାଇଛି ।

ସାମ୍ବାଦିକତା କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ନ୍ୟୁଜ୍ ସେଭେନ୍ ଏଡିଟର ଅର୍ଦ୍ଧେନ୍ଦୁ ଦାସଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଛି । ଏହାସହ ଦୈନିକ ଖବର କାଗଜ ପ୍ରମେୟର ନ୍ୟୁଜ୍ ଏଡିଟର୍ ଧୀରେନ୍ଦ୍ର ନାରାୟଣ ମିଶ୍ରଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି ।

ସେହିଭଳି ରାଜ୍ୟର ଆଉ କିଛି ବରିଷ୍ଠ ସାମ୍ବାଦିକ ଓ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା ।

ଏହି ସମାରୋହରେ ରାଜଧାନୀ ଦିଲ୍ଲୀରୁ ଦୀର୍ଘ ୨୩ ବର୍ଷ ଧରି ପ୍ରକାଶିତ ହେଉଥିବା ସାହିତ୍ୟ ପତ୍ରିକା ପଲ୍ଲୀବାଣୀ ଏକ ସଂଖ୍ୟାର ଲୋକାର୍ପିତ ହୋଇଥିଲା ।

ଏକ ସମାରୋହରେ ‘ପ୍ରସାର ଭାରତୀ’ର ଅଧ୍ୟକ୍ଷ ଏ. ସୂର୍ଯ୍ୟପ୍ରକାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଏ. ସୂର୍ଯ୍ୟପ୍ରକାଶ ତାଙ୍କ ବକ୍ତବ୍ୟରେ ଆଞ୍ଚଳିକ ଭାଷାମାନଙ୍କର ଗୁରୁତ୍ବକୁ ଆଲୋକପାତ କରିଥିଲେ । ସେ ଓଡ଼ିଆରେ ତାଙ୍କର ଭାଷଣ ଆରମ୍ଭ କରିଥିଲେ । ସୂର୍ଯ୍ୟ ପ୍ରକାଶ କହିଥିଲେ, ପ୍ରତ୍ୟେକ ଲୋକ ନିଜ ମାତୃଭାଷା ଛଡ଼ା ଅନ୍ୟ ଏକ ଆଞ୍ଚଳିକ ଭାଷା ଶିଖିବା ଦରକାର । ଦୁଷ୍କର୍ମ ଓ ହିଂସା ଆଦି ଦେଶର ବିଭିନ୍ନ ସାମାଜିକ ସମସ୍ୟାରେ ସାମ୍ବାଦିକଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକାକୁ ଆଲୋକପାତ କରିଥିଲେ ।

ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ଭାରତ ସରକାରଙ୍କ ମୁଖପାତ୍ର ତଥା ପିଆଇବି ପ୍ରମୁଖ ମହାନିର୍ଦ୍ଦେଶକ ସୀତାଂଶୁ କର, ଭାରତ ସରକାରଙ୍କ ପୂର୍ବତନ ରାଷ୍ଟ୍ରଦୂତ ଅମରେନ୍ଦ୍ର ଖଟୁଆ, ପ୍ରେସ୍‌ କାଉନ୍‌ସିଲର ସଦସ୍ୟା ସୁଷମା ଯାଦବ ଓ ପଲ୍ଲୀବାଣୀ ମିଶନର ଅଧ୍ୟକ୍ଷା ରାମଚନ୍ଦ୍ର ନାଥ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ଅମରେନ୍ଦ୍ର ଖଟୁଆ, ସୀତାଂଶୁ କର ଓ ସୁଷମା ଯାଦବ ସେମାନଙ୍କ ଭାଷଣରେ ଦେଶର ବିକାଶ ଓ ସମାଜ ଗଠନରେ ସାମ୍ବାଦିକଙ୍କ ଦାୟିତ୍ୱ ଉଲ୍ଲେଖ କରିଥିଲେ । ସୁଷମା କହିଥିଲେ, ସାମ୍ବାଦିକମାନେ ଯେପରି ସାଧାରଣ ଲୋକଙ୍କ ବିଶ୍ୱାସ ବଜାୟ ରଖିପାରନ୍ତି ସେନେଇ ବିଶେଷ ଗୁରୁତ୍ୱ ଦେବା ଆବଶ୍ୟକ । ସମାଜରେ ସାମ୍ବାଦିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ନିଜର ବିଶ୍ୱସନୀୟତା ପ୍ରତି ସେମାନଙ୍କୁ ଯତ୍ନବାନ ରହିବାକୁ ପଡ଼ିବ ବୋଲି ସେ ମତବ୍ୟକ୍ତ କରିଥିଲେ ।

ପଲ୍ଲୀବାଣୀ ମିଶନ ପକ୍ଷରୁ ସଂଗ୍ରାମ ଧର ଧନ୍ୟବାଦ ଦେଇଥିଲେ । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସମାରୋହ ପାଇଁ ତାଙ୍କର ବାର୍ତ୍ତା ପଠାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.