ଦେବଗଡ: ନବ ବିବାହିତ ଯୁବକଙ୍କୁ ହତ୍ୟା, ଘର ଲୋକଙ୍କ ଅଭିଯୋଗ- ବାହାଘର ଭାଙ୍ଗିବାରୁ ପୁଅକୁ ମାରିଦେଲେ !

Published By : Prameya-News7 Bureau | December 04, 2020 IST

ଦେବଗଡ ୦୪।୧୨: ଦେବଗଡ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ତାଳକୁଣ୍ଡି ଗ୍ରାମ ନିକଟରେ ଜଣେ ନବ ବିବାହିତ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ପୁଅକୁ ହତ୍ୟା କରାଯାଇଥିବା ପରିବାର ଲୋକ ଥାନାରେ ଅଭିଯୋଗ କରିଛନ୍ତି।

ସୂଚନା ଅନୁଯାୟୀ ଦୁଧିଆନାଳୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭେରୁବଣୀ ଗ୍ରାମର ଗଣେଶ୍ବର ସାହୁଙ୍କ ୨୨ ବର୍ଷର ପୁଅ ଅନିଲ ସାହୁର ବିବାହ ଗତ ସୋମବାର ଦିନ ଜମନକିରା ଥାନା ଅନ୍ତର୍ଗତ ଦଶଘରିଆ ଗ୍ରାମରେ ଅନୁଷ୍ଠିତ ହୋଇଥିଲା। ଅନିଲ କୌଣସି କାମରେ ଦେବଗଡ ଆସି ଆଉ ଘରକୁ ଫେରିନଥିଲେ। ପରେ ପରିବାର ପକ୍ଷରୁ ଖୋଜାଖୋଜି କରିବା ପରେ ତାଳକୁଣ୍ଡି ଗ୍ରାମ ନିକଟରେ ରାସ୍ତା କଡରେ ଅନିଲଙ୍କ ମୃତ ଦେହ ବନ୍ଧା ହୋଇଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲା। ଏନେଇ ଅନିଲଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରି ପରିବାର ପକ୍ଷରୁ ରିଆମାଳ ଥାନା ରେ ଲିଖିତ ଅଭିଯୋଗ କରାଯାଇଛି।

ଅନିଲଙ୍କ ବାହାଘର ପ୍ରସ୍ତାବ ଅନ୍ୟ ଏକ ଜାଗାରେ ପଡିଥିବା ବେଳେ ସେଠାରେ କୌଣସି କାରଣ ବଶତଃ ବିବାହ ଭାଙ୍ଗି ଯାଇଥିଲା। ଏହାକୁ ନେଇ ସଂପୃକ୍ତ ପରିବାର ଅନିଲକୁ ହତ୍ୟା ଧମକ ଦେଇଥିଲେ ଓ ସେଥିପାଇଁ ସେମାନେ ହତ୍ୟା କାଣ୍ଡ ଘଟାଇ ଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ରିଆମାଳ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ କରିବା ସହ ଶବ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.