ଅନରକିଲିଂ: ବେଶି ଦିନ ଗଲାନି ନବ ଦମ୍ପତ୍ତିଙ୍କ ବୈବାହିକ ଜୀବନ, ଜ୍ଵାଇଁର ତଣ୍ଟି ଚିପି ହତ୍ୟା କଲେ ଶ୍ଵଶ୍ଵର ଘର ଲୋକେ

Published By : Prameya-News7 Bureau | September 25, 2020 IST

ହାଇଦ୍ରାବାଦ ୨୫।୦୯: ହାଇଦ୍ରାବାଦରେ ଏକ ଅନରକିଲିଂ ଘଟଣା ସାମ୍ନାକୁ ଆସିଛି। ଜଣେ ନୂତନ ବିବାହିତ ଯୁବକଙ୍କୁ ଘରୁ ଅପହରଣ କରି ହତ୍ୟା କରାଯାଇଛି। ଏହି ଘଟଣା ସହରର ଚନ୍ଦନନଗର ଅଞ୍ଚଳରେ ଘଟିଛି। ଯୁବକଙ୍କ ମୃତ ଶରୀର ଗତକାଲି ରାତିରେ ସଙ୍ଗରେଡି  ଜିଲ୍ଲାରୁ  ମିଳିଛି। ମୃତକଙ୍କ ନାମ ହେମନ୍ତ କୁମାର।

ହେମନ୍ତ ଓ ଅବନ୍ତି ଚାରି ମାସ ତଳେ ବିବାହ କରିଥିଲେ।  ହେଲେ ସେମାନଙ୍କର ବୈବାହିକ ଜୀବନ ବେଶି ଦିନ ଗଲାନି। ଘଟଣାର ତଦନ୍ତ କରୁଥିବା ସାଇବରାବାଦ ପୋଲିସ ଏହି ହତ୍ୟାକାଣ୍ଡ ପଛରେ ଅବନ୍ତିଙ୍କ ପରିବାର ଲୋକ ଥିବା ପ୍ରମାଣ ପାଇଛି। ମାଧପୁରର ଅତିରିକ୍ତ ଡିସିପି ଏମ ଭେଙ୍କଟେଶଓ୍ଵାରଲୁ କହିଛନ୍ତି ଅବନ୍ତିଙ୍କ ମାମୁଁ ଯୁଗେନ୍ଦ୍ର ରେଡ୍ଡୀ ଓ ଦୁଇ ଅନ୍ୟ ହେମନ୍ତଙ୍କ ତଣ୍ଟି ଚିପି ହତ୍ୟା କରିଛନ୍ତି। ଏହି ଘଟଣାରେ ପୂର୍ବରୁ ୧୦ ଜଣଙ୍କୁ ପୋଲିସ ଗିରଫ କରି ସାରିଛି। ଘଟଣାର ତଦନ୍ତ ଚାଲିଥିବା ସେ କହିଛନ୍ତି।

ନବ ଦମ୍ପତ୍ତି ଚାରି ବର୍ଷ ପୂର୍ବରୁ ସଂପର୍କରେ ଥିଲେ ଏବଂ ୨୦୨୦ ଜୁନରେ କୁଥୁବୁଲ୍ଲାପୁର ସବ ରେଜିଷ୍ଟ୍ରେସନ ଅଫିସରେ ବିବାହ କରିଥିଲେ। ହେମନ୍ତ ସ୍ନାତକ ପୂରା କରିଥିବା ବେଳେ ଅବନ୍ତି ଇଞ୍ଜିନିୟରିଂରେ ପୂରା କରି ସାରିଥିଲେ। ଅବନ୍ତି ଅଭିଯୋଗ କରିଛନ୍ତି ଯେ, ହେମନ୍ତଙ୍କ ହତ୍ୟା ପଛରେ ତାଙ୍କ ମାମୁ ଯୁଗାନ୍ଧର ରେଡ୍ଡୀ ମୁଖ୍ୟ ଅଭିଯୁକ୍ତ ଏବଂ ତାଙ୍କ ବାପା-ମାଙ୍କ ମଧ୍ୟ ଏହି ହତ୍ୟାକାଣ୍ଡରେ ସାମିଲ ଅଛନ୍ତି।

ହେମନ୍ତ ଓ ଅବନ୍ତି ହାଇଦ୍ରାବାଦ ସହରର ଚନ୍ଦନନଗର ଅଞ୍ଚଳରେ ରହୁଥିଲେ। ଗୁରୁବାର ଅପରାହ୍ନରେ ହେମନ୍ତ ନିଜ ବାପା ମୁରଲୀ କ୍ରିଷ୍ଣାଙ୍କୁ ଫୋନ କରି ଜଣାଇଥିଲେ ଯେ ଅବନ୍ତିଙ୍କ ପରିବାର ଲୋକ ତାଙ୍କ ଘରକୁ ଆସୁଛନ୍ତି। ମୁରଲୀ  ଭାବିଥିଲେ ଯେ,  ବୋଧହୁଏ ଝିଅ ଘରର ଲୋକ ମାମଲାର ରଫାଦଫା କରିବାକୁ ଆସୁଛନ୍ତି। ମାତ୍ର ଘରେ ପହଞ୍ଚିବା ପରେ ଅବନ୍ତିଙ୍କ ପରିବାର ଲୋକ ବଳପୂର୍ବକ ହେମନ୍ତ ଓ ଅବନ୍ତିଙ୍କୁ କାରରେ ବସାଇ ନେଇ ଯାଇଥିଲେ।

{"id":334532,"sizeSlug":"large"}

ହେମନ୍ତ ସହାୟତା ପାଇଁ ଚିତ୍କାର କରିଥିଲେ। ମୁରଲୀ କୁମାର ପୁଅ-ବୋହୂଙ୍କ ସହାୟତା ପାଇଁ ସ୍କୁଟରରେ କାରକୁ ଅନୁସରଣ କରିଥିଲେ। ଯେତେବେଳେ କାର ଗୋପାନପାଲି ତଣ୍ଡା ପହଞ୍ଚିଲା, ଦମ୍ପତ୍ତି ଗାଡିରୁ ବାହାରିବାକୁ ଉଦ୍ୟମ କରିଥିଲେ। ଅବନ୍ତି କାରରୁ ବାହାରିବାକୁ ସକ୍ଷମ ହୋଇଥିଲେ, ମଧ୍ୟ ହେମନ୍ତ ବାହାରି ପାରିନଥିଲେ। ସେମାନେ ହେମନ୍ତଙ୍କୁ ଦୂରକୁ ନେଇ ଯାଇଥିଲେ। ଅନ୍ୟପଟେ ମୁରଲୀ କ୍ରିଷ୍ଣା ୧୦୦ରେ ଫୋନ କରି ଘଟଣା ସଂପର୍କରେ ପୋଲିସକୁ ଜଣାଇଥିଲେ। ପୋଲିସ ସୂଚନା ମିଳିବା ମାତ୍ରେ ଘଟଣାସ୍ଥଳରେ ପହଞ୍ଚିଥିଲା।

ଅବନ୍ତି କହିଛନ୍ତି ପୋଲିସ ପହଞ୍ଚିବାରେ ବିଳମ୍ବ କରିଛି। ପୋଲିସକୁ ଘଟଣା ବିଷୟରେ ଜଣାଇଥିଲେ ମଧ୍ୟ କୌଣସି ଉତ୍ତର ମିଳିନଥିଲା। ଯଦି ସେମାନେ ଘଟଣାକୁ ଗମ୍ଭୀରତାର ସହ ନେଇଥାନ୍ତେ ତେବେ ଆଜି ମୋତେ ମୋ ସ୍ଵାମୀଙ୍କ ହରାଇବାକୁ ପଡିନଥାନ୍ତା।

ଅବନ୍ତି କହିଛନ୍ତି, ବିବାହ ପରେ ତାଙ୍କ ବାପା ଲକ୍ଷ୍ମଣ ରେଡ୍ଡୀ ତାଙ୍କୁ କୌଣସି ପରିବାର ଲୋକଙ୍କ ସଂସ୍ପର୍ଶରେ ନ ରହିବାକୁ ଚେତାବନୀ ଦେଇଥିଲେ। ଏପରିକି ସଂପତ୍ତି ଉପରେ ତାଙ୍କର କୌଣସି ଅଧିକାର ନାହିଁ ବୋଲି କହିଥିଲେ। ହେମନ୍ତଙ୍କ ବାପା ମୁରଲୀ କହିଛନ୍ତି ଯେ, ଧନସଂପତ୍ତିରେ ଆମ ଘର ଝିଅ  ଘର ସହିତ ସମକକ୍ଷ ନଥିଲୁ। ତେଣୁ ସେମାନେ ପ୍ରତିଶୋଧପରାୟଣ ହୋଇ ପୁଅକୁ ହତ୍ୟା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.