ସ୍ୱାମୀକୁ ଗୁଳି କରି ହତ୍ୟା କଲା ନବ ବିବାହିତା : କାରଣ ଅସ୍ପଷ୍ଟ, ବନ୍ଧୁକ ସହ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | April 12, 2019 IST

ସୀତାପୁର ୧୨/୪ : ଉତ୍ତର ପ୍ରଦେଶ ସୀତାପୁର ଜିଲ୍ଲା ମଛରହଟା ଥାନା ଅନ୍ତର୍ଗତ ହାଲପୁର ଗାଁରେ ଆଜି ସକାଳୁ ସକାଳୁ ଏକ ଏକ ଅଭବନୀୟ ଘଟଣା ଘଟିଛି | ଆଜି ଭୋର ପାଖାପାଖି ୩ଟା ବେଳେ ନବ ବିବାହିତା ସ୍ତ୍ରୀ ସ୍ୱାମୀକୁ ଗୁଳି କରି ହତ୍ୟା କରିଛି | ଗୁଳି କରିବା ଯୋଗୁଁ ଘଟଣାସ୍ଥଳରେ ହିଁ ସ୍ୱାମୀର ମୃତ୍ୟୁ ହୋଇଯାଇଥିଲା |


ମୃତକଙ୍କ ବଡ ଭାଇ ଅମରିଶ କହିଛନ୍ତି ଯେ, ମୃତକ ପୁସ୍କର ନିଜ ସ୍ତ୍ରୀ ରୁବି ସହ ତାଙ୍କ ପ୍ରକୋଷ୍ଠରେ ଶୋଇଥିଲେ | ଅଚାନକ ଭୋର ୩ଟା ବେଳେ ତାଙ୍କ ପ୍ରକୋଷ୍ଠରୁ ଗୁଳି ବାଜିବା ଶବ୍ଦ ହୋଇଥିଲା | ଗୁଳି ଶବ୍ଦ ଶୁଣି ଅମରିଶ ଦୌଡ଼ି ଯାଇ ଅମରିଶଙ୍କ ପ୍ରକୋଷ୍ଠ ପାଖରେ ପହଂଚିଥିଲେ | ପୁସ୍କରଙ୍କ ରୁମର କବାଟ ଖୋଲା ଥିଲା | ଘର ଭିତରେ ସେ ଯାହା ଦେଖିଲେ ସେଥିରେ ତାଙ୍କ ହୋସ ଉଡ଼ିଗଲା | ଘର ଭିତରେ ସାନ ଭାଇ ରକ୍ତାକ୍ତ ଅବସ୍ଥାରେ ପଡିଥିଲା | ସେତେବେଳେ ତାଙ୍କ ମୃତ୍ୟୁ ହୋଇସାରିଥିଲା | ମୃତ ସ୍ୱାମୀ ପାଖରେ ରୁବି ବସିଥିଲା | ରୁବିଙ୍କ ପାଖରେ ଏକ ୩୧୫ ବୋରର ବନ୍ଧୁକ ଥିଲା | ପୁସ୍କରଙ୍କ ମୁଣ୍ଡକୁ ଗୁଳି କରି ହତ୍ୟା କରିଥିଲା ରୁବି |

ଘଟଣା ପରେ ପଡୋଶୀରେ ରହୁଥିବା ଲୋକେ ମଧ୍ୟ ଚାଲି ଆସିଥିଲେ | ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଥିଲା | ପଡୋଶୀ ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ | ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା | ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା | ପୋଲିସ ରୁବିକୁ ବନ୍ଧୁକ ସହ ଗିରଫ କରିଥିଲା | ସ୍ୱାମୀ ନିଜେ ଗୁଳି କରି ହତ୍ୟା କରିଥିବା ରୁବି ସ୍ୱୀକାର କରିଥିଲା | ତେବେ କେଉଁ କାରଣ ପାଇଁ ରୁବି ପୁସ୍କରଙ୍କୁ ହତ୍ୟା କରିଥିଲା ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ |


ପୋଲିସ ରୁବିକୁ ହେପାଜତରେ ରଖି ପଚରାଉଚୁରା କରୁଛି | ପଡୋଶୀଙ୍କ କହିବାନୁଯାୟୀ, ୧୦ ମାସ ପୂର୍ବରୁ ପୁସ୍କର ଏବଂ ରୁବିର ବିବାହ ହୋଇଥିଲା | ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.