ବିହାର ମୁଜାଫରପୁରରେ ବିବାହିତା ମହିଳାଙ୍କୁ ହାତଗୋଡ ବାନ୍ଧି ଗଣଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଫେରାର

Published By : Prameya-News7 Bureau | May 18, 2019 IST

ମୁଜାଫରପୁର ୧୮।୫:  ବିହାର ମୁଜାଫରପୁରରେ ଜନୈକା ନବବିବାହିତା ମହିଳାଙ୍କୁ ହାତଗୋଡ ବାନ୍ଧି ଗଣଦୁଷ୍କର୍ମ କରାଯାଇଥିବା ନେଇ ଗୁରୁତର ଅଭିଯୋଗ ହୋଇଛି। ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ପୋଲିସ ମହିଳାଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ଥିବା ଡାକ୍ତର କହିଛନ୍ତି।  କରଜା ଥାନା ଅଞ୍ଚଳରେ ହୋଇଥିବା ଏହି ଗଣ ଦୁଷ୍କର୍ମ ମାମଲାରେ ମୋଟ ୩ ଜଣ ଅଭିଯୁକ୍ତ ଥିବା ଓ ଘଟଣା ପରେ ସେମାନେ ଫେରାର ହୋଇଯାଇଥିବା ପୋଲିସ ସୂଚନାରୁ ଜଣାପଡିଛି।

ଗତକାଲି ଗାଁରେ ଏକ ବିବାହ ଉତ୍ସବ ଥିଲା। ମହିଳା ବିବାହ ଉତ୍ସବରେ ଯୋଗଦେଇ ବିଳମ୍ବିତ ରାତ୍ରିରେ ଘରକୁ ଫେରି ଶୋଇଯାଇଥିଲେ। ଆଜି ପ୍ରତ୍ୟୁଷରେ ମାଙ୍କ ସହ ଶୌଚ ହେବା ପାଇଁ ଯାଇଥିବା ବେଳେ କିଛି ଯୁବକ ତାଙ୍କୁ ଉଠାଇ ନେଇ ହାତଗୋଡ ବାନ୍ଧି ଗଣ ଦୁଷ୍କର୍ମ କରିଥିଲେ। ମହିଳା ଅଚେତ ହୋଇଯିବା ପରେ ସେମାନେ ମହିଳାଙ୍କୁ ସେହିଠାରେ ସେହି ଅବସ୍ଥାରେ ଛାଡି ପଳାଇଥିଲେ।

ଗାଁଲୋକେ ମହିଳାଙ୍କୁ ବିଲରେ ଅଚେତ ଓ ଅର୍ଦ୍ଧନଗ୍ନ ଅବସ୍ଥାରେ ହାତଗୋଡ ବନ୍ଧା ହୋଇପଡିଥିବା ଦେଖି ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ପହଞ୍ଚି ମହିଳାଙ୍କୁ ମୁର୍ମୁଷୁ ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତି କରିଛି । ଘଟଣାରେ ମୋଟ ୩ ଜଣ ଅଭିଯୁକ୍ତ ଥିବା ଜଣାପଡିଛି। ଏନେଇ କର୍ଜା ଥାନାରେ ଏକ ମୋକଦ୍ଦମା ରୁଜୁ ହୋଇଥିବା ବେଳେ ପୋଲିସ ମାମଲାର ତଦନ୍ତ ଜାରି ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.