ବାହାଘରକୁ ପୁରିନି ମାସେ, ପାଦରୁ ଲିଭିନି ଅଳତା : ଶାଶୁଘରୁ ଉଠିଲା ନବବଧୂଙ୍କ କୋକେଇ

Published By : Prameya-News7 Bureau | May 30, 2021 IST

ଭଣ୍ଡାରିପୋଖରୀ ୩୦।୫: ବାହାଘରକୁ ପୁରିନି ମାସେ । ପାଦରୁ ଲିଭିନି ନାଲି ଅଳତା । ହେଲେ ଶାଶୁଘର ଦୁଆରୁ ଉଠିଲା ନବବଧୂର କୋକେଇ । ବୈବାହିକ ଜୀବନକୁ ବୁଝିବା ଆଗରୁ ଆରପାରିକୁ ଚାଲିଗଲେ ଚିନ୍ମୟୀ । ସ୍ବାମୀଙ୍କ ସହ ସୁଖରେ ଘର ସଂସାର କରିବେ ଏମିତି କେତେ ସ୍ବପ୍ନ ସେ ଦେଖିଥିଲେ । ହେଲେ ଦଇବ ଇଚ୍ଛା ଥିଲା କିଛି ଭିନ୍ନ । ବାହାଘରର ଠିକ୍ ୨୯ ଦିନରେ ଜ୍ବରାକ୍ରାନ୍ତ ଚିନ୍ମୟୀଙ୍କର ମୃତ୍ୟୁ ହୋଇଛି ।

ଉଲ୍ଲେଖଯୋଗ୍ୟ ଯେ, ଗତ ୨ ତାରିଖରେ ଭଣ୍ଡାରିପୋଖରୀ ବନସ୍ତା ଗ୍ରାମର ସୁଧାକର ବେହେରାଙ୍କ ୨୯ ବର୍ଷ ବୟସ୍କା ଝିଅ ଚିନ୍ମୟୀ ନିକଟସ୍ଥ ବନ୍ଦାଳ ଗ୍ରାମର ପୂର୍ଣ୍ଣଚନ୍ଦ୍ର ରାଉତଙ୍କ ପୁଅ ପ୍ରଭାକର ଓରଫ ତପନକୁ ବୈଦିକ ରୀତିରେ ବିବାହ କରିଥିଲେ । ବାହାଘରର ଜାକଜମକ ସରିନଥିବା ବେଳେ ଚିନ୍ମୟୀ ଗତ ସପ୍ତାହରେ ଜ୍ବରରେ ଆକ୍ରାନ୍ତ ହେଲେ । ଯାଜପୁରରେ ଚିକିତ୍ସିତ ହେଉଥିବା ସମୟରେ ଗତ ଗୁରୁବାର ଦିନ କରୋନା ପରୀକ୍ଷା ମଧ୍ୟ ହୋଇଥିଲା । ମାତ୍ର ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲା । ଏହାପରେ ସେ ଘରେ ରହି ଚିକିତ୍ସିତ ହେଉଥିବା ବେଳେ ରବିବାର ସକାଳେ ଆଖି ବୁଜିଥିଲେ । ଚିନ୍ମୟୀଙ୍କୁ ଭଣ୍ଡାରିପୋଖରୀ ଡାକ୍ତରଖାନା ନିଆଯାଇଥିଲା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଏହି ଘଟଣାକୁ ନେଇ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.