ଜୁଲାଇ ୨୨ରେ ଶପଥ ନେବେ ନବନିର୍ବାଚିତ ରାଜ୍ୟସଭା ସାଂସଦ

Published By : Prameya-News7 Bureau | July 18, 2020 IST

ନୂଆଦିଲ୍ଲୀ ୧୮।୦୭: ଶପଥ ନେବେ ରାଜ୍ୟସଭାର ନବନିର୍ବାଚିତ ସାଂସଦ । ଆସନ୍ତା ଜୁଲାଇ ୨୨ତାରିଖରେ ସମସ୍ତ ନବନିର୍ବାଚିତ ରାଜ୍ୟସଭା ସଦସ୍ୟ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ୨୦ଟି ରାଜ୍ୟରୁ ନିର୍ବାଚିତ ହୋଇଥିବା ୬୧ଝଣ ନୂତନ ସାଂସଦ ଶପଥ ନେବେ । ତେବେ ଏହି ଶପଥ ଗ୍ରହଣ ସମୟରେ କୋଭିଡ-୧୯ର ଗାଇଡ୍‌ଲାଇନ୍‌କୁ କଡାକଡି ଭାବେ ପାଳନ କରିବା ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ଅଧିବେଶନ ସମୟରେ ସଂସଦର ଚ୍ୟାମ୍ୱରରେ ଶପଥ ନେବାର କାର୍ଯ୍ୟକ୍ରମ ରହିଛି । ଯାହାଫଳରେ କି କୋଭିଡ-୧୯ର  ନିୟମକୁ ପାଳନ କରାଯାଇପାରିବ । ଖାସ୍‌ କରି ସାମାଜିକ ଦୂରତା ଭଳି ନିୟମକୁ ମାନିବାକୁ ପଡିବ । ଚଳିତ ଥର ମୋଟ ୬୧ଜଣ ସାଂସଦ ଶପଥ ଗ୍ରହଣ ସମାରୋହରେ ସାମିଲ ହେବେ । ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କିଆ ନାଇଡ଼ୁ ସମସ୍ୟ ସାଂସଦଙ୍କୁ ଶପଥପାଠ କରାଇବେ।

ଶପଥ ଗ୍ରହଣ କାର୍ଯ୍ୟକ୍ରମ ବିଷୟରେ ସମସ୍ତ ନବନିର୍ବାଚିତଙ୍କୁ ସାଂସଦଙ୍କୁ  ରାଜ୍ୟସଭା ସଚିବାଳୟ ତରଫରୁ ଅବଗତ କରାଯାଇଛି। ଯେଉଁ ସଦସ୍ୟଗଣ କୌଣସି କାରଣରୁ ଶପଥପାଠ କାର୍ଯ୍ୟକ୍ରମରେ ସାମିଲ ହୋଇ ନପାରିବେ ସେମାନଙ୍କୁ ଆଗାମୀ ମୌସୁମୀ ଅଧିବେଶନ କାଳରେ ଶପଥ ପାଠ ପାଇଁ ସୁଯୋଗ ମିଳିବ। ସମସ୍ତ ସାଂସଦଙ୍କୁ ନିଜ ସହିତ ଜଣେ ଅତିଥି ଆଣିବାକୁ ଅନୁମତି ଦିଆଯାଇଛି । ରାଜ୍ୟସଭା ସଚିବାଳୟ ତରଫରୁ ଜାରି ସୂଚନା ଅନୁଯାୟୀ,  କରୋନା କଟକଣା ଯୋଗୁଁ ଶପଥ ନେଇ ପାରିନଥିବା ୨୦ ରାଜ୍ୟର ନବନିର୍ବାଚିତ ସାଂସଦଙ୍କୁ ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କିଆ ନାଇଡ଼ୁ ଶପଥପାଠ କରାଇବେ।

ଶପଥ ନେବାକୁ ଥିବା ୬୧ରାଜ୍ୟସଭା ସାଂସଦଙ୍କ ମଧ୍ୟରେ ବହୁ ବରିଷ୍ଠ ନେତା ରହିଛନ୍ତି । ଯେପରି ଭାରତୀୟ ଜନତା ପାର୍ଟି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ, କଂଗ୍ରେସ ନେତା ଦିଗ୍‌ବିଜୟ ସିଂ,  ମଲ୍ଲିକାର୍ଜୁନ ଖର୍ଗେ , ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ)ର ନେତା ଶିବୁ ସୋରେନ ଅଛନ୍ତି। ମାର୍ଚ୍ଚରୁ ଜୁନ୍ ମଧ୍ୟରେ ୬୧ଟି ରାଜ୍ୟସଭା ସିଟ୍ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ସେଥିମଧ୍ୟରୁ ୪୨ ଜଣ ସଦସ୍ୟ ମାର୍ଚ୍ଚରେ ବିନା ନିର୍ବାଚନରେ ​​ନିର୍ବାଚିତ ହୋଇଥିଲେ। ତେବେ  ଆଉ କେତେକ ଆସନ ପାଇଁ ଜୁନ୍ ୧୯ରେ ମଧ୍ୟ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ମଧ୍ୟପ୍ରଦେଶ, ଝାଡଖଣ୍ଡ, ଗୁଜୁରାଟ, ରାଜସ୍ଥାନ, କର୍ଣ୍ଣାଟକ, ଅରୁଣାଚଳ ପ୍ରଦେଶ ଏବଂ ମଣିପୁରରେ ଖାଲି ଆସନ ପାଇଁ ରାଜ୍ୟସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା।

ତେବେ ଏଥର ନିର୍ବାଚିତ ହୋଇଥିବା ସଦସ୍ୟମାନଙ୍କୁ ମଧ୍ୟରୁ ଅଧିକାଂଶ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଛନ୍ତି । ଅନ୍ୟ କିଛି ଜଣ ୨ୟ ଥର ପାଇଁ ନିର୍ବାଚିତ ହୋଇଛନ୍ତି । ବିଜେପି ଏଥର ଅଧିକାଂଶ ନୂଆ ଚେହେରା ସଂସଦକୁ ନିର୍ବାଚିତ ହୋଇଛନ୍ତି । କଂଗ୍ରେସ ଛାଡି ବିଜେପିରେ ଯୋଗଦେଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟପ୍ରଦେଶରୁ ବିଜେପି ଟିକେଟରେ ନିର୍ବାଚନରେ ​​ବିଜୟୀ ହୋଇଛନ୍ତି । ଚଳିତ ବର୍ଷ  ରାଜ୍ୟସଭାକୁ ନବନିର୍ବାଚିତ ଓଡ଼ିଶାର ଚାରି ଜଣଙ୍କ ସମେତ ସମୁଦାୟ ୬୧ ଜଣ ରହିଛନ୍ତି । ଆସନ୍ତା ଜୁଲାଇ ୨୨ରେ ସାଂସଦ ଭାବେ ଶପଥ ପାଠ କରିବେ ବୋଲି ଜଣାପଡ଼ିଛି। ଓଡିଶାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା  ସୁବାସ ଚନ୍ଦ୍ର ସିଂ, ସୁଜିତ କୁମାର, ମୁଜିବୁଲ୍ଲା ଖାନ (ମୁନା) ଓ ମମତା ମହନ୍ତ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.