ବିବାହକୁ ୮ ମାସ ନପୁରୁଣୁ ନବ ବଧୂକୁ ମାରି ଦେଲେ ଶ୍ଵଶ୍ଵର ଘର ଲୋକ, ଦେଲେ ଆତ୍ମହତ୍ୟାର ରୂପ

Published By : Prameya-News7 Bureau | December 14, 2020 IST

ପୁରୀ ୧୪।୧୨: ଯୌତୁକ ପାଇଁ ନବବଧୂକୁ ହତ୍ୟା। ଝୁଲନ୍ତା ଅବସ୍ଥାରେ ନବବଧୂର ମୃତଦେହ ଶାଶୁଘରୁ ଉଦ୍ଧାର ନେଇ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା। ବିବାହକୁ ୮ ମାସ ନପୁରୁଣୁ ଶାଶୁଘର ଲୋକେ ବୋହୂକୁ ମାରିଦେଇଥିବା ନେଇ ପୁରୀ ଟାଉନଥାନାରେ ଅଭିଯୋଗ କରିଛନ୍ତି ମୃତ ନବବଧୂର ପରିବାର ଲୋକେ। ସେପଟେ ଘଟଣାର ତଦନ୍ତ ଚାଲିଥିବା ବେଳେ ମୃତ ନବବଧୂର ସ୍ୱାମୀକୁ ଅଟକ ରଖି ପଚରାଉଚରା ଚାଲିଥିବା କହିଛି ପୋଲିସ।

ପୁରୀ ଟାଉନଥାନା ଅନ୍ତର୍ଗତ ମାତାଗୋସେଇଁ ଲେନରେ ଜଣେ ନବବଧୂଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଉଛନ୍ତି ଚନ୍ଦନପୁର ଥାନା ଗଡ଼ମୃଗଶୀରା ସୁନ୍ଦର ଗ୍ରାମର ବିଜୟ ସ୍ୱାଇଁଙ୍କ ୨୮ ବର୍ଷୀୟା ଝିଅ ମୋନାଲି ମୋନାଲିସା ସ୍ୱାଇଁ। ଗତ ମାର୍ଚ୍ଚ ୧୮ ତାରିଖରେ ପୁରୀ ମାତା ଗୋସେଇଁ ଲେନ୍‌ର ଜଳନ୍ଧର ନାୟକଙ୍କ ପୁଅ ବଦ୍ରିନାରାୟଣ ସହ ମୋନାଲିଙ୍କ ବୈଦିକ ରୀତିରେ ବିବାହ ହୋଇଥିଲା। ବିବାହ ସମୟରେ ବରଘରର ଦାବି ମୁତାବକ ଟଙ୍କା, ସୁନାଗହଣା ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଆସବାବପତ୍ର ଯୌତୁକ ଆକାରରେ ଦିଆଯାଇଥିଲା।

କିନ୍ତୁ ବିବାହର ଆଠମାସ ପରେ ଅଧିକ ଯୌତୁକ ଦାବି କରି ମୋନାଲିଙ୍କୁ ତାଙ୍କ ସ୍ୱାମୀ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ସହ ମାଡ଼ପିଟ ମଧ୍ୟ କରୁଥିଲେ। ତେବେ ଗତକାଲି ମୋନାଲିଙ୍କ ମୃତ ଦେହ ଶ୍ୱଶ୍ଵର ଘରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଯୌତୁକ ପାଇଁ ମୋନାଲିଙ୍କୁ ହତ୍ୟା କରାଯାଇଥିବା ବେଳେ ଏହାକୁ ଆତ୍ମହତ୍ୟାର ରୂପ ଦେବା ପାଇଁ ଶ୍ୱସୁର ଘର ଲୋକେ ଏଭଳି କାଣ୍ଡ ଭିଆଇଥିବା ମୃତ ମୋନାଲିଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ତେବେ ସବୁଠାରୁ ବଡ଼କଥା ହେଲା ଗତକାଲି ମୋନାଲିଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଲୋକଙ୍କୁ ଶାଶୁ ଘର ପକ୍ଷରୁ ଖବର ଦିଆଯାଇନଥିଲା। ଗାଁରେ ଅନ୍ୟ ଲୋକଙ୍କ ଠାରୁ ଖବର ପାଇ ମୋନାଲିଙ୍କ ପରିବାର ଲୋକେ ଶାଶୁ ଘରେ ପହଞ୍ଚିଥିଲେ। ସେଠାରେ ମୋନାଲିଙ୍କ ମୃତଦେହ ଆଣ୍ଠୁ ଠାରୁ ଚଟାଣକୁ ଲାଗିଥିବା ଦେଖି ଏହା ହତ୍ୟା ବୋଲି ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପରିବାର ଲୋକେ। ଅନ୍ୟପଟେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଝିଅର ପୋଷ୍ଟମର୍ଟମ ନକରିବାକୁ ପରିବାର ଲୋକେ ଜିଦ କରିଥିଲେ। ଘଟଣାକୁ ନେଇ ସଦର ମୁଖ୍ୟ ଚିକିତ୍ସାଳୟରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଯାଇଥିଲା। ଏଭଳି ସମ୍ୱେଦନଶୀଳ ଘଟଣାକୁ ଟାଉନା ଥାନା ପୋଲିସ ଗୁରୁତର ସହ ଗ୍ରହଣ କରିଥିବା କହିଛନ୍ତି ସିଟି ଡ଼ିଏସପି। ଘଟଣାରେ ମୃତ ମୋନାଲିଙ୍କ ସ୍ୱାମୀ ବଦ୍ରିନାରାୟଣକୁ ପୋଲିସ ଅଟକ ରଖି ଅଧିକ ପଚରାଉଚରା ଜାରୀ ରଖିଛି।

ପୁରୀ ଭଳି ଧାର୍ମିକ କ୍ଷେତ୍ରରେ ନବବଧୂ ହତ୍ୟା ଘଟଣା ନିଶ୍ଚିତ ଭାବେ ନିନ୍ଦନୀୟ। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ହିଁ ସ୍ପଷ୍ଟ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.