ଟ୍ରେନ୍ ଫ୍ଲସରୁ ମିଳିଥିବା ନବଜାତ ଶିଶୁର ୩୦ଘଣ୍ଟା ପରେ ମୃତ୍ୟୁ : ଫୁସଫୁସରେ ଜମିଯାଇଥିଲା ଅପରିଷ୍କାର ପାଣି
24/12/2018 at 12:48 PM

ଅମୃତସର ୨୪/୧୨: ହାଓଡ଼ା ମେଲର ଟଏଲେଟରେ ମିଳିଥିବା ନବଜାତର ଜିଏନଡିଏଚଏରେ ନିମୋନିଆ ହେବା କାରଣରୁ ୩୦ଘଣ୍ଟା ପରେ ରବିବାର ରାତିରେ ପାଖାପାଖି ୧୦ଟା ବେଳେ ମୃତ୍ୟୁ ହୋଇଛି। ନବଜାତକୁ ଜାଲିଓ୍ବାନାଓ୍ବାଲାବାଗ ମେମୋରିଆଲ ସିଭିଲ ହସ୍ପିଟାଲରୁ ଗୁରୁ ନାନକ ଦେବ ହସ୍ପିଟାଲର ବେବେ ନାନକୀ ମଦର ଏଣ୍ଡ ଚାଇଲଡ କେୟାର ସେଣ୍ଟରକୁ ନିଆଯାଇ ଚିକିତ୍ସା ଆରମ୍ଭ କରାଯାଇଥିଲା।
ଡାକ୍ତରଙ୍କ ଟିମ୍ ଶିଶୁର ଚିକିତ୍ସାରେ ଲାଗିଯାଇଥିଲେ। ରେଲଓ୍ବେ ମଧ୍ୟ ଶିଶୁର ଦେଖାଶୁଣା ପାଇଁ ୯ଜଣ କର୍ମଚାରୀଙ୍କୁ ରଖିଥିଲା। ଶିଶୁଟିକୁ ଦେଖିବା ନିମନ୍ତେ ଜନ ସମାଗମ ହୋଇଥିଲା। ଲୋକମାନେ ଶିଶୁଟିର ଆରୋଗ୍ୟ ପାଇଁ ଦିନରାତି ପ୍ରାର୍ଥନା କରୁଥିଲେ କିନ୍ତୁ ରବିବାର ରାତିରେ ଶିଶୁର ମୃତ୍ୟୁ ହୋଇଯାଇଥିଲା।
ଡାକ୍ତରଙ୍କ କହିବା ଅନୁସାରେ ଶିଶୁଟି ପାଖାପାଖି ୧୨ଘଣ୍ଟା ଫ୍ଲସରେ ଫସି ରହିଥିଲା ଯାହା ଫଳରେ ଉପରୁ ଆସୁଥିବା ଅପରିଷ୍କାର ପାଣି ଶିଶୁର ନାକ ଏବଂ ମୁହଁ ଦ୍ବାରା ଫୁସଫୁସ୍ ପର୍ଯ୍ୟନ୍ତ ପହଞ୍ଚିସାରିଥିଲା। ଏହା ଫଳରେ ଶିଶୁଟି ନିମୋନିଆରେ ଆକ୍ରାନ୍ତ ହୋଇସାରିଥିଲା । ଫୁସଫୁସରୁ ଦୂଷିତ ପାଣିକୁ ପାଇପ ଦ୍ବାରା ବାହାର କରିବାକୁ ପ୍ରୟାସ କରାଯାଉଥିବାବେଳେ ଶିଶୁଟି ପ୍ରାଣ ତ୍ୟାଗ କରିଥିଲା।