୧୦୦ ବର୍ଷ ବୟସରେ ନ୍ୟୁଜିଲାଣ୍ଡ କ୍ରିକେଟର ଆଲାନ ବରଜେସଙ୍କ ପରଲୋକ, ଏବେ ଭାରତର ରଘୁନାଥ ସବୁଠୁ ବୟସ୍କ ଜୀବିତ ପ୍ରଥମ ଶ୍ରେଣୀ ଖେଳାଳି
7/01/2021 at 11:20 AM

ସିଡନୀ,୦୭/୦୧: ବିଶ୍ୱର ସବୁଠାରୁ ବୟସ୍କ ପ୍ରଥମ ଶ୍ରେଣୀ କ୍ରିକେଟର ଆଲାନ ବରଜେସ୍ ୧୦୦ ବର୍ଷ ବୟସରେ ପ୍ରାଣ ତ୍ୟାଗ କରିଛନ୍ତି । ଏନେଇ ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି । ଦକ୍ଷିଣହାତୀ ବ୍ୟାଟସମ୍ୟାନ୍ ତଥା ବାମହାତୀ ସିମର୍ ଭାବେ ସେ କ୍ରିକେଟ ଖେଳୁଥିଲେ । ସେ ୧୯୪୦ରୁ ୧୯୫୨ ଯାଏଁ ୧୧ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିଛନ୍ତି । ସେ ଓଟାଗୋ ବିପକ୍ଷରେ ନିଜର ପଦାର୍ପଣ ମ୍ୟାଚରେ ୫୨ ରନ୍ ଦେଇ ୬ଟି ଓ୍ୱିକେଟ୍ ନେଇଥିଲେ ।
ନ୍ୟୁଜିଲାଣ୍ଡ କ୍ରିକେଟ୍ ବୋର୍ଡ କହିଛି ଯେ, ଏହା ଏକ ଦୁଃଖଦ ଖବର । ସେ ବିଶ୍ୱର ସବୁଠୁ ବୟସ୍କ ପ୍ରଥମ ଶ୍ରେଣୀ କ୍ରିକେଟର ଥିଲେ । ଆଲାନଙ୍କ ଝିଅ ପିପ୍ କହିଛନ୍ତି ଯେ, ତାଙ୍କ ପିତା ବୁଧବାର ମଧ୍ୟରାତ୍ରରେ ଦେହତ୍ୟାଗ କରିଛନ୍ତି । ସେ ଚାର୍ଲସ୍ ଉପହାମ ରିଟାୟରମେଣ୍ଟ୍ ଗ୍ରାମରେ ରହୁଥିଲେ ।
ଆଲାନଙ୍କ ପରେ ଓଟାଗୋର ୯୮ ବର୍ଷୀୟ ଇଆନ୍ ଗାଲାଓ୍ୱେ ଏବେ ନ୍ୟୁଜିଲାଣ୍ଡର ଜୀବିତ ବୟୋଜେଷ୍ଠ କ୍ରିକେଟର ଅଟନ୍ତି । ସେହିପରି ଭାରତୀୟ ଖେଳାଳି ରଘୁନାଥ ଚନ୍ଦୋରକର ମଧ୍ୟ ବିଶ୍ୱର ବୟୋଜେଷ୍ଠ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିଥିବା ଜୀବିତ କ୍ରିକେଟର ଅଟନ୍ତି ।