ଟି-୨୦ ବିଶ୍ଵ କପରେ ବିରାଟ ବାହିନୀ ଚିତପଟାଙ୍ଗ, ନ୍ୟୁଜିଲାଣ୍ଡଠୁ ଭାରତର ଶୋଚନୀୟ ପରାଜୟ

Published By : Prameya-News7 Bureau | October 31, 2021 IST

ଦୁବାଇ ୩୧।୧୦: ପ୍ରଥମ ମ୍ୟାଚ୍‌ରୁ କିଛି ଶିଖି ପାରିଲାନି ଭାରତୀୟ ଦଳ। ପାକିସ୍ତାନ ବିପକ୍ଷ ମ୍ୟାଚ୍‌ଠୁ ବି ଆହୁରି ଶୋଚନୀୟ ପ୍ରଦର୍ଶନ। ନା ବ୍ୟାଟିଂ ନା ବୋଲିଂ ସବୁଥିରେ ଫେଲ୍ ମାରିଲା ବିରାଟ ବାହିନୀ। ଆଇପିଏଲରେ ହିରୋ ପାଲଟୁଥିବା ଭାରତୀୟ ଖେଳାଳି ବିଶ୍ଵ କପ୍‌ରେ  ଅତ୍ୟନ୍ତ ନିମ୍ନମାନର ପ୍ରଦର୍ଶନ କରିଛନ୍ତି। ଟି-୨୦ ବିଶ୍ଵ କପରେ ନିଜର ଖରାପ ପ୍ରଦର୍ଶନ ଜାରି ରଖି ସୁପର-୧୨ ରାଉଣ୍ଡର ଦ୍ଵିତୀୟ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ହାତରୁ ପରାଜୟବରଣ କରିଛି ଭାରତ। ଏଥିସହ କିଓ୍ଵି ଦଳ  ବିରୋଧରେ ଟି-୨୦ ବିଶ୍ଵ କପରେ ନିଜର ପରାଜୟଧାରା ବଜାୟ ରଖିଛି ଭାରତ। ବୋଲରଙ୍କ ଶାଣିତ ବୋଲିଂ ପରେ ଡାର୍ଲି ମିଚେଲ୍‌ଙ୍କ ୪୯ ରନ ଇନିଂସ ବଳରେ ଭାରତକୁ ୮ ଓ୍ଵିକେଟରେ ପରାସ୍ତ କରିଛି ନ୍ୟୁଜିଲାଣ୍ଡ। ପରାଜୟ ସହ ସେମି ଫାଇନାଲ୍‌ ଦୌଡରୁ ପ୍ରାୟତଃ ବାଦ୍ ପଡିଛି କହିଲେ ଚଳେ ଭାରତ। ଅନ୍ୟପଟେ ବି ଗ୍ରୁପରେ ନିଜର ସ୍ଥିତି ମଜବୁତ କରିଛି ନ୍ୟୁଜିଲାଣ୍ଡ।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ବ୍ୟାଟସମ୍ୟାନଙ୍କ ଦୟନୀୟ ବ୍ୟାଟିଂ ଯୋଗୁଁ ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍ ହରାଇ ୧୧୦ ରନ କରିଥିଲା। ଦଳ ପକ୍ଷରୁ ରବୀନ୍ଦ୍ର ଜାଡେଜା ସର୍ବାଧିକ ୨୬ ରନ କରି ଅପରାଜିତ ଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ୨୩ ରନ କରିଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟ ୩ ଓ ଇଶ ସୋଢି ୨ ଓ୍ଵିକେଟ୍ ନେଇଥିଲେ। ଜବାବରେ ନ୍ୟୁଜିଲାଣ୍ଡ ୧୪.୩ ଓଭରରେ ୨ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ଡାର୍ଲି ମିଚେଲ୍ ୪୯ ରନ  ଓ ଓ୍ଵିଲିୟମସନ ୩୩ ରନର ଅପରାଜିତ ଇନିଂସ ଖେଳିଥିଲେ।

ମାମୁଲି ୧୧୧ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ନ୍ୟୁଜିଲାଣ୍ଡ ୨୪ ରନ ସ୍କୋରରେ ମାର୍ଟିନ ଗୁପଟିଲ(୨୦)ଙ୍କ ଓ୍ଵିକେଟ୍  ହରାଇଥିଲା। ଏହା ପରେ ଡାର୍ଲି ମିଚେଲ୍ ଓ ଅଧିନାୟକ କେନ୍ ଓ୍ଵିଲିୟମସନ କ୍ରିଜରେ ଧୈର୍ଯ୍ୟର ସହ ବ୍ୟାଟିଂ କରିଥିଲେ। ସୁଯୋଗ ମିଳିଲେ ବଲ୍‌କୁ ବାଉଣ୍ଡରୀ ପଠାଇ ଦଳର ସ୍କୋରକୁ ଆଗକୁ ବଢାଇଥିଲେ। ଦୁଇ ବ୍ୟାଟସମ୍ୟାନ ଦ୍ଵିତୀୟ ଓ୍ଵିକେଟ୍‌ରେ ୭୨ ରନ ଯୋଡି ଦଳ ବିଜୟରେ ମୂଳଦୁଆ ପକାଇଥିଲେ। ମିଚେଲ୍ ୩୫ ବଲ୍‌ରୁ ୪ ଚୌକା ଓ ୩ ଛକା ସହ ୪୯ ରନ କରି ଆଉଟ୍ ହୋଇଥିଲେ। ସେତେବେଳକୁ ନ୍ୟୁକିଲାଣ୍ଡ ବିଜୟର ଦ୍ଵାରଦେଶରେ ପହଞ୍ଚି ସାରିଥିଲା।  ଅଧିନାୟକ କେନ ଓ୍ଵିଲିୟମସନ ୩୩ ରନରେ ଅପରାଜିତ ଥିଲେ। ଏହି ପରି ନ୍ୟୁଜିଲାଣ୍ଡ ୧୪.୩ ଓଭରରେ ୨ ଓ୍ଵିକେଟ୍ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ବ୍ୟାଟସମ୍ୟାନଙ୍କ ପରେ  ଭାରତୀୟ ବୋଲର ମଧ୍ୟ ପ୍ରଭାବହୀନ ରହିଥିଲେ। ଯଶପ୍ରୀତ ବୁମରା(୨ ଓ୍ଵିକେଟ୍)ଙ୍କୁ ବାଦ୍ ଦେଲେ ବାକି ବୋଲର ଫିକା ରହିଥିଲେ।

ଭାରତୀୟ ଇନିଂସ

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପକ୍ଷରୁ ଓପନର ଲୋକେଶ ରାହୁଲ ଏବଂ ଇଶାନ କିଷନ ଫେଲ ମାରିଥିଲେ । ରାହୁଲ ମାତ୍ର ୧୮ ରନ କରି ଆଉଟ ହୋଇଥିବା ବେଳେ କ୍ୟାରିୟର ପ୍ରଥମ ବିଶ୍ବକପ ଖେଳୁଥିବା ଇଶାନ କିଷନ ୪ ରନ କରି ଆଉଟ୍ ହୋଇଥିଲେ । ସେହିଭଳି ରୋହିତ ଶର୍ମା ଖରାପ ସଟ୍‌ ଖେଳି ମାତ୍ର ୧୪ ରନ କରି ଆଉଟ ହୋଇଥିଲେ। ଅଧିନାୟକ ବିରାଟ କୋହଲି ମାତ୍ର ୯ ରନ କରି ଆଉଟ ହୋଇଥିବା ବେଳେ, ଋଷଭ ପନ୍ତ ୧୨ ରନ, ହାର୍ଦ୍ଧିକ ପାଣ୍ଡ୍ୟା ୨୩ ରନ, ଶାର୍ଦ୍ଦୁଲ ଠାକୁର ୦ ରନ କରି ପାଭିଲିୟନ ଫେରିଥିଲେ। ମହମ୍ମଦ ସାମି ୦ ଏବଂ ରବୀନ୍ଦ୍ର ଜାଡେଜା ୨୬ ରନ କରି ଅପରାଜିତ ଥିଲେ।

ନ୍ୟୁଜିଲାଣ୍ଡର ବୋଲର ମାନେ ଭାରତୀୟ ବ୍ୟାଟ୍ସମ୍ୟାନମାନଙ୍କୁ ବାନ୍ଧି ରଖିଥିଲେ । ଦଳ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟ ୪ ଓଭରରେ ୨୦ ରନଦେଇ ୩ ଓ୍ବିକେଟ ନେଇଥିବା ବେଳେ, ଟିମ ସାଉଦି ୪ ଓଭରରେ ୨୬ ରନ ୧ ଓ୍ବିକେଟ, ମିଚେଲ ସାଣ୍ଟନର ୪ ଓଭରରେ ୧୫ରନ, ଆଡାମ ମିଲନେ ୪ ଓଭରରେ ୩୦ ରନ ୧ ଓ୍ବିକେଟ ଏବଂ ଇଶ୍‌ ସୋଢି ୪ ଓଭରରେ ୧୭ରନ ଦେଇ ୨ ଓ୍ବିକେଟ ନେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.