ବିରାଟ ବାହିନୀର ସ୍ଵପ୍ନ ଧୂଳିସାତ: ଟେଷ୍ଟ କ୍ରିକେଟ୍‌କୁ ମିଳିଲା ନୂଆ ବାଦଶାହା, ଭାରତକୁ ୮ ଓ୍ଵିକେଟ୍‌ରେ ହରାଇ ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍‌ ଜିତିଲା ନ୍ୟୁଜିଲାଣ୍ଡ

Published By : Prameya-News7 Bureau | June 23, 2021 IST

ସାଉଥମ୍ପଟନ ୨୩।୦୬: ବହୁ ଆଡମ୍ଵରେ ଲଘୁ କ୍ରିୟା। ବହୁ ପ୍ରତୀକ୍ଷା ପରେ ହାତରେ ଲାଗିଲା ନିରାଶ। ପ୍ରଥମ ଟେଷ୍ଟ ଟାଇଟଲ୍ ଜିତିବାର ସ୍ଵପ୍ନ ହେଲା ଧୂଳିସାତ। ଇତିହାସ ରଚିଲା ନ୍ୟୁଜିଲାଣ୍ଡ। ଏଥିସହ କ୍ରିକେଟ୍ ଜଗତକୁ ମିଳିଲା ନୂତନ ଟେଷ୍ଟ ବାଦଶାହା। ୨୧ ବର୍ଷର ବହୁ ପ୍ରତୀକ୍ଷା ପରେ ଶେଷରେ ନ୍ୟୁଜିଲାଣ୍ଡ ଆଇସିସି ଟ୍ରଫି ଜିତିବାରେ ସଫଳ ହୋଇଛି। ଅନ୍ୟପଟେ ପୁଣି ଥରେ ଆଇସିସି ପ୍ରତିଯୋଗିତାରେ ନ୍ୟୁଜିଲାଣ୍ଡଠୁ ପରାଜିତ ହେଲା ଭାରତ। ୨୦୧୯ ବିଶ୍ଵ କପ୍‌ ସେମି ଫାଇନାଲ୍‌ରେ ପରାଜିତ ହେବା ପରେ ଦଳ ୨୦୨୧ ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍‌ ଫାଇନାଲ୍‌ରେ କିଓ୍ଵି ଦଳଠୁ ପରାଜିତ ହୋଇଛି। ବୋଲର ପାରୁ ପର୍ଯ୍ୟନ୍ତ ଚେଷ୍ଟା କଲେ ହେଲେ ଭାରତୀୟ ବ୍ୟାଟସମ୍ୟାନଙ୍କ ନିରାଶଜନ ପ୍ରଦର୍ଶନ କାରଣରୁ ଐତିହାସିକ ବିଶ୍ଵ ଟେଷ୍ଟ ଚମ୍ପିଆନସିପର ଫାଇନାଲ୍‌ ମୁକାବିଲାରେ ପରାଜିତ ହୋଇଛି ଭାରତ। ନ୍ୟୁଜିଲାଣ୍ଡ ବିରାଟ ବାହିନୀଙ୍କୁ ୮ ଓ୍ଵିକେଟ୍‌ରେ ପରାସ୍ତ କରି ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍‌ର ଚମ୍ପିଆନ ହୋଇଛି।

ଦ୍ଵିତୀୟ ଇନିଂସରେ ଭାରତ ଦ୍ଵାରା ଧାର୍ଯ୍ୟ ୧୩୯ ରନର ବିଜୟ ଲକ୍ଷ୍ୟ ପିଛା କରି ନ୍ୟୁଜିଲାଣ୍ଡ ୨ ଓ୍ଵିକେଟ୍ ହରାଇ ଲକ୍ଷ୍ୟ ହାସଲ କରି ନେଇଛି। କେନ ଓ୍ଵିଲିୟମସନଙ୍କ ଅପରାଜିତ ୫୨ ରନର ଅର୍ଦ୍ଧଶତକୀୟ ଇନିଂସ ଓ ରସ ଟେଲରଙ୍କ ୪୭ ରନର ଇନିଂସ ଖେଳି ଦଳକୁ ଚମ୍ପିଆନ କରି ଇତିହାସ ରଚିଛନ୍ତି। ଦୁଇ ବ୍ୟାଟସମ୍ୟାନ ଅବିଭାଜିତ ତୃତୀୟ ଓ୍ଵିକେଟ୍‌ରେ ୯୬ ରନ ଯୋଡିଥିଲେ। ବର୍ଷା ଯୋଗୁଁ ପ୍ରଥମ ଓ ଚତୁର୍ଥ ଦିନର ଖେଳ ବାତିଲ୍ ହେବା ପରେ ବୁଧବାର ରିଜର୍ଡ ଡେରେ ମ୍ୟାଚ୍ ଖେଳାଯାଇଥିଲା। ଦୁଇ ଦିନରୁ ଅଧିକ ସମୟର ଖେଳ ବରବାଦ  ହୋଇଥିବାରୁ ଲାଗୁଥିଲା ମ୍ୟାଚ୍ ଡ୍ର ହେବ। କିନ୍ତୁ ଭାରତୀୟ ବ୍ୟାଟସମ୍ୟାନଙ୍କ ଦୟନୀୟ ପ୍ରଦର୍ଶନ ନ୍ୟୁଜିଲାଣ୍ଡକୁ ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍ ଜିତି ଇତିହାସ ରଚିବାକୁ ସୁଯୋଗ ଦେଇଥିଲା।

୧୩୯ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ନ୍ୟୁଜିଲାଣ୍ଡକୁ ଆରମ୍ଭରୁ ଝଟକା ଲାଗିଥିଲା। ୩୩ ରନ ସ୍କୋରରେ ଟମ୍ ଲାଥମ(୯)ଙ୍କୁ ଆଉଟ୍ କରି ଅଶ୍ଵିନ ଭାରତ ପାଇଁ ଡ୍ରର ଆଶା ସଞ୍ଚାର କରିଥିଲେ। ଡେଭନ କନଓ୍ଵେ(୧୯)ଙ୍କୁ ଅଶ୍ଵିନ ଆଉଟ୍ କରି ଦ୍ଵିତୀୟ ସଫଳତା ଦେଇଥିଲେ। କିନ୍ତୁ ଅଧିନାୟକ କେନ ଓ୍ଵିଲିୟମସନ ଓ ରସ୍ ଟେଲର ଧୈର୍ଯ୍ୟର ସହ ବ୍ୟାଟିଂ କରି ଦଳ ଉପରୁ ଚାପ ହଟାଇ ଥିଲେ। ଗୋଟିଏ ପରେ ଗୋଟିଏ ରନ ଯୋଡି ଦଳକୁ ବିଜୟର ନିକଟତର କରାଇଥିଲେ। ଭାରତୀୟ ବୋଲର ଶତ ଚେଷ୍ଟା କରିଥିଲେ ମଧ୍ୟ ମ୍ୟାଚ୍‌ରେ ଭାରତକୁ ବଞ୍ଚାଇ ପାରିନଥିଲେ। କେନ ଓ୍ଵିଲିୟମସନ ୫୨ ଓ ରସ ଟେଲର ୪୭ ରନର ଅପରାଜିତ ଇନିଂସ ଖେଳି ନ୍ୟୁଜିଲାଣ୍ଡକୁ ୮ ଓ୍ଵିକେଟ୍‌ରେ ଜିତାଇଛନ୍ତି।

୧୪୪ ବର୍ଷ ଟେଷ୍ଟ ଇତିହାସରେ ପ୍ରଥମ କ୍ରିକେଟ୍ ଜଗତକୁ ମିଳିଲା ଟେଷ୍ଟ ବାଦଶାହା। ସାଉଥମ୍ପଟନରେ ଖେଳାଯାଇଥିବା ଏହି ବିଶ୍ଵ ଟେଷ୍ଟ ଚମ୍ପିଆନସିପର ଫାଇନାଲ୍‌ ମୁକାବିଲାରେ ଭାରତ ପ୍ରଥମ ଇନିଂସରେ ଆଜିଙ୍କ୍ୟ ରାହାଣେଙ୍କ ୪୯ ଓ ବିରାଟ କୋହଲିଙ୍କ ୪୪ ରନ ବଳରେ ୨୧୭ ରନ କରିବାକୁ ସକ୍ଷମ ହୋଇଥିଲା। ନ୍ୟୁଜିଲାଣ୍ଡ ପକ୍ଷରୁ କାଇଲ ଜେମସିନ ୫ ଓ୍ଵିକେଟ୍ ନେଇ ଭାରତକୁ ବଡ ସ୍କୋରରୁ ବଞ୍ଚିତ କରିଥିଲେ।  ଜବାବରେ ନ୍ୟୁଜିଲାଣ୍ଡ ଡେଭନ କନଓ୍ଵେଙ୍କ ୫୪ ଏବଂ ଅଧିନାୟକ କେନ ଓ୍ଵିଲିୟମସନଙ୍କ ୪୯ ରନ  ବଳରେ ୨୪୯ ରନ। ଭାରତ ପକ୍ଷରୁ ମହମ୍ମଦ ସାମି ୪ ଓ୍ଵିକେଟ୍ ନେଇଥିବା ବେଳେ ଇଶାନ୍ତ ଶର୍ମା ୨ଟି ଓ୍ଵିକେଟ୍ ନେଇଥିଲେ।

ଭାରତର ଦ୍ଵିତୀୟ ଇନିଂସ

ଭାରତୀୟ ଦଳ ଗତକାଲିର ସ୍କୋର ୬୪/୨ର ଖେଳ ଆରମ୍ଭ କରିଥିଲା। କ୍ରିଜରେ ଥିଲେ ଚେତେଶ୍ଵର ପୂଜାରା ଓ ବିରାଟ କୋହଲି। ହେଲେ ବୁଧବାର ମ୍ୟାଚ୍‌ ଆରମ୍ଭରୁ ଭାରତୀୟ ଦଳକୁ ବିରାଟ କୋହଲିଙ୍କ ରୂପେ ଜୋରଦାର ଝଟକା ଲାଗିଥିଲା। କୋହଲି ୧୩ ରନ କରି ବିଦାୟ ନେଇଥିଲେ। ତାଙ୍କୁ କାଇଲ ଜେମିସନ ପୁଣି ଥରେ ନିଜ ଜାଲରେ ଫସାଇ ଆଉଟ୍ କରିଥିଲେ। ଚେତେଶ୍ଵର ପୂଜାରା ମଧ୍ୟ ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ। ସେ ୧୫ ରନ କରି ଜେମିସନଙ୍କ ଶିକାର  ହୋଇଥିଲେ। ଏହା ପରେ ଭାରତୀୟ ଦଳ କିଓ୍ଵି ବୋଲରଙ୍କ ଉଚିତ୍ ମୁକାବିଲା କରିନପାରି ନିୟମିତ ଭାବେ ଓ୍ଵିକେଟ୍ ହରାଇ ଚାଲିଥିଲା। ମଧ୍ୟ କ୍ରମରେ ଉପ ଅଧିନାୟକ ଆଜିଙ୍କ୍ୟ ରାହାଣେ ଓ ଋଷଭ ପନ୍ତ କିଛି ସମୟ କ୍ରିଜରେ ଜମି ଇନିଂସ ଆଗକୁ ନେବାକୁ ସଂଘର୍ଷ କରିଥିଲେ। ପଞ୍ଚମ ଓ୍ଵିକେଟ୍‌ରେ ରାହାଣେ ଓ ପନ୍ତ ୩୭ ରନ ଯୋଡିଥିଲେ ହେଁ ତାହା ଦଳ ପାଇଁ ପର୍ଯ୍ୟାପ୍ତ ନଥିଲା।  ଦୁଇ ବ୍ୟାଟସମ୍ୟାନଙ୍କଠୁ ଦଳ ବହୁତ ଆଶା ରଖିଥିଲା। ହେଲେ ରାହାଣେ(୧୫) ଆଉଟ୍ ହେବା ଭାରତକୁ ଜୋରଦାର ଝଟକା ଲାଗିଥିଲା।

୧୦୯ ରନରେ ୫ ଓ୍ଵିକେଟ୍ ହରାଇଥିବା ଭାରତର ଇନିଂସ ପାଇଁ  ପନ୍ତ ଓ ଜାଡେଜା କିଛି ସମୟ ଆଶା ସଞ୍ଚାର କରିଥିଲେ। ଏପରିକି ଦୁଇ ବ୍ୟାଟସମ୍ୟାନ ଷଷ୍ଠ ଓ୍ଵିକେଟ୍‌ରେ ୩୩ ରନ ଯୋଡିଥିଲେ। କିନ୍ତୁ ଏହି ଯୋଡି ମଧ୍ୟ ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ। ଜାଡେଜା(୧୬) ଓ୍ଵାଗନରଙ୍କ ଶିକାର ହୋଇଥିଲେ। ହେଲେ ପନ୍ତ ଆଉଟ୍ ହେବା ସବୁ ଆଶା ପାଣିରେ ମିଳାଇ ଯାଇଥିଲା। ପନ୍ତ କିଓ୍ଵି ବୋଲରଙ୍କ ଉଚିତ୍ ମୁକାବିଲା କରିଥିଲେ ଏବଂ ୪୧ ରନର  ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳି ଆଉଟ୍  ହୋଇଥିଲେ। ସାମି ୧୦ ବଲରୁ ଦ୍ରୁତ ୧୩ ରନ କରିଥିଲେ। ଶେଷରେ  ବୁମରାଙ୍କୁ ଆଉଟ୍ କରି ସାଉଦି ଭାରତୀୟ ଇନିଂସର ୧୭୦ ରେ ଅନ୍ତ ଘଟାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.