କ୍ରିଜ୍ ଛାଡ଼ି ନ୍ୟୁଜିଲ୍ୟାଣ୍ଡ ଫିଲ୍ଡରଙ୍କ ସାମ୍ନାରେ ବ୍ୟାୟାମ କଲେ ପାକ୍ ଅଧିନାୟକ, ଭିଡିଓରେ ଏମିତି କମେଣ୍ଟ ଦେଉଛନ୍ତି କ୍ରିକେଟ ପ୍ରେମୀ
30/12/2020 at 7:02 PM

ନୂଆଦିଲ୍ଲୀ ୩୦/୧୨: ବୁଧବାର ନ୍ୟୁଜିଲ୍ୟାଣ୍ଡ ପାକିସ୍ତାନ ବିପକ୍ଷରେ ରୋମାଞ୍ଚକର ପାଳି ଖେଳି ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ରେ ୧-୦ରେ ଆଗୁଆ ରହିଛି। କେନ୍ ଓ୍ବିଲିୟମସନଙ୍କୁ ଶତକୀୟ ପାଳି ପାଇଁ ମ୍ୟାନ୍ ଅଫ ଦି ମ୍ୟାଚ୍ ଟ୍ରଫି ଦିଆଯାଇଛି। ପାକିସ୍ତାନ ୩୭୩ ରନ୍ର ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇ ତିନି ଓ୍ବିକେଟର ୭୧ ରନ୍ରୁ ଖେଳ ଆରମ୍ଭ କରିଥିଲା। ଦିନ ଶେଷ ହେବା ବେଳକୁ ୪.୩ ଓଭର ପୂର୍ବରୁ ୨୭୧ ରନ୍ରେ ଅଟକିଥିଲା ପାକ୍ ଟିମ୍। ଏହି ମ୍ୟାଚ୍ରେ ପାକିସ୍ତାନ ଅଧିନାୟକ ମହମ୍ମଦ ରିଜଓ୍ବାନ ୧୯୧ ବଲ୍ରେ ୬୦ ରନ୍ କରିଥିଲେ।
ତେବେ ଏହି ସମୟରେ ଘଟିଥିବା ଏକ ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବ୍ୟାଟିଂ ପାଇଁ ରିଜଓ୍ବାନ ପ୍ରସ୍ତୁତ ହେଉଥିଲେ। ଠିକ୍ ଏହି ସମୟରେ ହଠାତ ପାଖରେ ଛିଡ଼ା ହୋଇଥିବା ନ୍ୟୁଜିଲ୍ୟାଣ୍ଡ ଫିଲ୍ଡର ଟମ୍ ଲ୍ୟାଥମଙ୍କ ପାଖକୁ ରିଜଓ୍ବାନ ଯାଇ ବ୍ୟାୟାମ କରିଥିଲେ। ଏହି ଭିଡିଓକୁ ନ୍ୟାଜିଲ୍ୟାଣ୍ଡ କ୍ରିକେଟ ପକ୍ଷରୁ ଟ୍ବିଟରରେ ସେୟାର କରାଯାଇଛି। ଏହା ସହ ଏଥିରେ କ୍ୟାପ୍ସନ ରହିଛି, ‘ ମହମ୍ମଦ ରିଜଓ୍ବାନ ଡ୍ୟାନ୍ସିଂ ସୋଜ୍ ସହିତ ସେସନ ଆରମ୍ଭ କରିଛନ୍ତି।’
ତେବେ ରିଜଓ୍ବାନ ବ୍ୟାୟାମ କରିବା ବନ୍ଦ କରିବା ପରେ ଟମ୍ ଲ୍ୟାଥମ ଓ ଓ୍ବିକେଟ କିପର ବଟଲିଙ୍ଗ ହସିବାକୁ ଲାଗିଥିଲେ। ଏହି ଭିଡିଓରେ କମେଣ୍ଟ ଦେଇ ଜଣେ ପାକ୍ କ୍ରିକେଟ ପ୍ରେମୀ ଲେଖିଛନ୍ତି, ‘ ହଁ ଆମ ନୂଆ ଟେଷ୍ଟ ଅଧିନାୟକ ଏହି ମ୍ୟାଚ୍କୁ ଉପଭୋଗ କରୁଛନ୍ତି।’