୨୦୨୦ରେ କରୋନା ଡରାଇଲା, ୨୧’ରେ ପୁଣି ଆସୁଛି ଏମିତି ବିପଦ, ଚେତାବନୀ ଦେଲେ WHO
26/12/2020 at 6:53 PM

ନୂଆଦିଲ୍ଲୀ ୨୬/୧୨: ବର୍ଷ ୨୦୨୦ ବିଶ୍ବବାସୀଙ୍କ ପାଇଁ ଏକ ଅଭିଶାପ କହିଲେ ବି କିଛି ଭୁଲ ହେବନି। ଚୀନର ଉହାନରୁ ସାରା ବିଶ୍ବରେ କାୟା ବିସ୍ତାର କରିଥିବା କରୋନା ଭାଇରସ୍ ଏବେ ବି ନିଜ କୋପ ଜାରି ରଖିଛି। ଆସୁଛି ନୂଆବର୍ଷ କିନ୍ତୁ ଲୋକଙ୍କ ମନରେ ନା ଅଛି ଖୁସି ନା ଉତ୍ସାହ। ୨୦୨୦ ସରିଲା କିନ୍ତୁ କେମିତି ହେବ ନୂଆବର୍ଷ ୨୦୨୧ ଏନେଇ ଚିନ୍ତାରେ ଲୋକେ। ପୁଣି କରୋନାର ନୂଆ ଷ୍ଟେ୍ରନ୍ ବିଶ୍ବ ପାଇଁ ଚିନ୍ତା ବଢ଼ାଇଛି। ଏହାରି ଭିତରେ ୨୦୨୧ରେ ସ୍ବାସ୍ଥ୍ୟଗତ ଚ୍ୟାଲେଞ୍ଜକୁ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ଚେତାବନୀ ଜାରି କରିଛି।
ଦୀର୍ଘ ୨୦ ବର୍ଷ ହେଲା ଚାଲିଆସିଥିବା ସ୍ବାସ୍ଥ୍ୟ ପ୍ରଣାଣୀକୁ କରୋନା ମହାମାରୀ ପଛକୁ ଠେଲି ଦେଇଛି ବୋଲି ଡବ୍ଲୁଏଚଓ କହିଛି। ତେଣୁ ୨୦୨୧ରେ ନିଜ ନିଜର ସ୍ବାସ୍ଥ୍ୟ ପ୍ରଣାଣୀ ପୁଣି ଥରେ ଟ୍ରାକ୍କୁ ଆଣିବାକୁ ହେଲେ ସମସ୍ତ ଦେଶକୁ ପରିଶ୍ରମ କରିବାକୁ ପଡ଼ିବ। ଆସନ୍ତା ବର୍ଷ କରୋନା ସହ ଲଢ଼ିବା ସହିତ ଅନ୍ୟ ରୋଗରୁ ମୁକ୍ତି ପାଇବା ପାଇଁ ଥିବା ଅନ୍ୟ ପ୍ରଣାଣୀ ଉପରେ ଧ୍ୟାନ ଦେବାକୁ ପଡ଼ିବ।
୨୦୨୧ରେ ଆଉ ଏକ ବଡ଼ ଚ୍ୟାଲେଞ୍ଜ ହେଉଛି ସ୍ବାସ୍ଥ୍ୟ କ୍ଷେତ୍ରରେ ଅସମାନତାକୁ ଦୂର କରିବା। ସେତେବେଳ ଯାଏ ଜଣେ ବ୍ୟକ୍ତି ସୁରକ୍ଷିତ ନୁହେଁ ଯେ ପର୍ଯ୍ୟନ୍ତ ସମସ୍ତେ ସୁରକ୍ଷିତ ହୋଇନାହାନ୍ତି। ସବୁ ଦେଶ ସହ ମିଶି ସ୍ବାସ୍ଥ୍ୟ ଜନିତ ଅସମାନତା ଦୂର କରିବାକୁ କାର୍ଯ୍ୟ କରିବ ବୋଲି ଡବ୍ଲୁଏଚ୍ଓ ପକ୍ଷରୁ କୁହାଯାଇଛି। ଏହା ସହ ୨୦୨୧ରେ ସମସ୍ତ ଦେଶର ସ୍ବାସ୍ଥ୍ୟ ସେବା ପ୍ରଣାଣୀ ସୁନିଶ୍ଚିତ କରିବାକୁ ଡବ୍ଲୁଏଚଓ କାମ କରିବ ବୋଲି ମଧ୍ୟ ଜଣାପଡ଼ିଛି।
ଯେଉଁ ସବୁ ଦେଶରେ କରୋନା ପାଇଁ ପୋଲିଓ ଓ ଅନ୍ୟ ରୋଗ ପାଇଁ ଟିକାକରଣ ବାକି ଅଛି ସେଠାରେ ପ୍ରଣାଣୀ ଆରମ୍ଭ କରାଯିବ। କୌଣସି ବି ଦେଶ ସଂକ୍ରମାକ ରୋଗରୁ ମୁକ୍ତି ପାଇବ ଯେତେବେଳେ ତା ପାଖରେ ପ୍ରଭାବଶାଳୀ ଔଷଧ ଥିବ ବୋଲି ମଧ୍ୟ ଡବ୍ଲୁଏଚଓ କହିଛି। ବ୍ୟକ୍ତିଗତ ଶତ୍ରୁତା ଭୁଲି ଏକଜୁଟ ହୋଇ ସଂସ୍ଥା, ଦେଶ, ସମୁଦାୟ କାମ କରିବାକୁ ହେବ ବୋଲି ମଧ୍ୟ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି।