ଅର୍ଥବ୍ୟବସ୍ଥା ପାଇଁ ଭଲ ଖବର : ଡିସେମ୍ବର ମାସରେ GST ଆଦାୟ ରେକର୍ଡ ୧.୧୫ ଲକ୍ଷ କୋଟି ପାର

Published By : Prameya-News7 Bureau | January 01, 2021 IST

ନୂଆଦିଲ୍ଲୀ ୦୧/୦୧ : କରୋନା ମହାମାରୀରେ ବ୍ୟାପକ ପ୍ରଭାବିତ ହୋଇଥିବା ଅର୍ଥବ୍ୟବସ୍ଥା ଧିରେ ଧିରେ ମୁଣ୍ଡ ଟେକି ଠିଆ ହେଉଛି । ବର୍ଷ ୨୦୨୦ ଶେଷ ହୋଇଯାଇଥିବା ବେଳେ ଅର୍ଥବ୍ୟବସ୍ଥାରେ କିଛି ମାତ୍ରାରେ ସୁଧାର ଆଣିଛି । ଡିସେମ୍ବର ମାସରେ ସର୍ବଧିକ GST ଆଦାୟ ହୋଇଥିବା ସୂଚନା ମିଳିଛି । ଏହି ମାସରେ ମୋଟ ୧.୧୫ ଲକ୍ଷ କୋଟି ଟଙ୍କାର GST ଆଦାୟ ହୋଇଛି । ନୂଆ ବର୍ଷର ପ୍ରଥମ ଦିନରେ ଏହି ଖୁସି ଖବର ଦେଇଛନ୍ତି କେନ୍ଦ୍ର ସରକାର ।

ଲକଡାଉନ୍ ଖୋଲିବା ପରେ ଅର୍ଥ ବ୍ୟବସ୍ଥା ଟ୍ରାକ୍‌କୁ ଫେରିଛି । ଅର୍ଥ ମନ୍ତ୍ରାଳୟ ଦ୍ବାରା ଶୁକ୍ରବାର ଜାରି କରାଯାଇଥିବା ତଥ୍ୟ ଅନୁଯାୟୀ ଡିସେମ୍ବର ମାସରେ GST ରାଜସ୍ବ ଆଦାୟ ୧,୧୫,୧୭୪ କୋଟି ଟଙ୍କା ହୋଇଛି । ଏହା GST ଇତିହାସରେ ଏପର୍ଯ୍ୟନ୍ତ ସର୍ବାଧିକ ମାସିକ ଆଦାୟ ।

ଏହା ପୂର୍ବରୁ ଏପ୍ରିଲ ୨୦୧୯ ରେ GST ଆଦାୟ ୧,୧୩,୮୬୬ କୋଟି ଟଙ୍କା ହୋଇଥିଲା । ସେହିପରି ନଭେମ୍ବର ମାସରେ ୮୭ ଲକ୍ଷ GST-3B ଦାଖଲ ହୋଇଛି । ଡିସେମ୍ବର ୨୦୧୯ ତୁଳନାରେ ଡିସେମ୍ବର ୨୦୨୦ରେ ପ୍ରାୟ ୧୨ ପ୍ରତିଶତ ଅଧିକ GST ଆଦାୟ ହୋଇଛି । ଗତ ନଭେମ୍ବର ୨୦୨୦ରେ ୧,୦୪,୯୬୩ କୋଟି ଟଙ୍କାର GST ଆଦାୟ ହୋଇଥିଲା । ଲକଡାଉନ ଖୋଲିବା ପରେ ଅର୍ଥବ୍ୟବସ୍ଥାକୁ ସୁଧାରିବା ପାଇଁ ସରକାର ଜାରି ରଖିଥିବା ପଦକ୍ଷେପ ସଫଳ ହେଉଥିବା ଦେଖିବାକୁ ମିଳୁଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.