ସରକାରୀ ଦପ୍ତରରେ ଏମିତି ହେବ ନୂଆବର୍ଷରେ ଶୁଭେଚ୍ଛା ଓ ଉପହାର ଆଦାନ ପ୍ରଦାନ, ଯାହାକୁ ଛୁଇଁବି ହେବନି !

Published By : Prameya-News7 Bureau | December 18, 2020 IST

ନୂଆଦିଲ୍ଲୀ ୧୮।୧୨: ପ୍ରତିବର୍ଷ ନୂଆ ବର୍ଷରେ ସରକାରୀ କାର୍ଯ୍ୟାଳୟ ସବୁ ଚଳଚଞ୍ଚଳ ହୋଇଉଠନ୍ତି। ନବବର୍ଷର ଅଭିନନ୍ଦନ ସହ ଡାଏରୀ, କ୍ୟାଲେଣ୍ଡରର ଆଦାନପ୍ରଦାନ ହୁଏ। ଏହି ପରମ୍ପରା ଦୀର୍ଘ ବର୍ଷରୁ ପ୍ରଚଳିତ ଏବଂ ଜାନୁୟାରୀ ମାସ ୩୧ ଦିନ ବାଦେ ପ୍ରାୟ ଫେବୃଆରୀ ମାସ ଶେଷ ପର୍ଯ୍ୟନ୍ତ ଚାଲିଥାଏ।  ଆଗାମୀବର୍ଷ ମଧ୍ୟ ପରମ୍ପରା ନିର୍ବାହ ହେବ, ହେଲେ ଏଥର ଡିଜିଟାଲୀ ସମସ୍ତେ ସମସ୍ତଙ୍କୁ ଜଣାଇବେ ଅଭିନନ୍ଦନ ଓ ସେଥିରେ ହିଁ ଆଦାନପ୍ରଦାନ ହେବ ଉପହାର।

କେନ୍ଦ୍ର ସରକାର ନୂଆବର୍ଷ ଲାଗି ଗାଇଡଲାଇନ ଜାରି କରିଛନ୍ତି। ଏଥିରେ ଅନ୍ୟବର୍ଷ ଭଳି ନବବର୍ଷ ଅଭିନନ୍ଦନ ଜଣାଇବାକୁ କେହି କାହା ଦପ୍ତରକୁ ଯିବାକୁ ମନା କରାଯାଇଛି। ସେହିପରି କରୋନା ଭାଇରସ ଭୟରେ ଅନ୍ୟବର୍ଷ ଭଳି ଚଳିତବର୍ଷ କ୍ୟାଲେଣ୍ଡର ଅଥବା ଡାୟେରୀ ଆଦାନ ପ୍ରଦାନ ହେବନି। ଅଭିନନ୍ଦନ ସହ ଉପହାରର ମଧ୍ୟ ଡିଜିଟାଲ ଆଦାନ ପ୍ରଦାନ ହେବ। ଏଣୁ ଅନ୍ୟବର୍ଷ ଭଳି ଆଗାମୀ ଜାନୁୟାରୀ ଓ ଫେବୃଆରୀ ମାସରେ ସରକାରୀ ଦପ୍ତରମାନଙ୍କରେ ଯେପରି ଗହଳ ଚହଳ ହୁଏ ତାହା ୨୦୨୧ ନୂଆ ବର୍ଷରେ ହେବନି।

ପୂର୍ବ ବର୍ଷମାନଙ୍କରେ ଉପହାର ଆଦାନ ପ୍ରଦାନ ଲାଗି ବିସ୍ତୃତ କାର୍ଯ୍ୟକ୍ରମ ପ୍ରସ୍ତୁତ ହୁଏ। ଏଥିଲାଗି ବ୍ୟୟ ବିଭାଗ ସ୍ୱତନ୍ତ୍ର ଖର୍ଚ୍ଚ ମଧ୍ୟ କରନ୍ତି। ଏପରି ନବବର୍ଷ ଉପହାର ସାମଗ୍ରୀ ପ୍ରସ୍ତୁତିରେ ଯାହା ଖର୍ଚ୍ଚ ନ ହୁଏ ତାହାକୁ ପହଞ୍ଚାଇବାରେ ଅଧିକ ବ୍ୟୟ ହୁଏ। ଏଥିରେ ସରକାରୀ କର୍ମଚାରୀଙ୍କୁ ନିୟୋଜିତ କରାଯିବା ସହ ସେ ସବୁର ବହନ ଲାଗି ସରକାରୀ ଗାଡିର ମଧ୍ୟ ଉପଯୋଗ ହୁଏ। ହେଲେ କୋଭିଡରେ  ପ୍ରଚଳିତ ପରମ୍ପରା ବାତିଲ ହୋଇଛି। ଉପହାର ଛପା ଯିବନି କି ତାକୁ ପହଞ୍ଚାଇବାକୁ କୌଣସି କର୍ମଚାରୀଙ୍କୁ ଉପଯୋଗ କରାଯିବନି। ସେହିପରି ଏଥିଲାଗି ସରକାରୀ ବାହାନମାନଙ୍କର ମଧ୍ୟ ଅଯଥା ଉପଯୋଗ ହେବନି ବୋଲି କୁହାଯାଇଛି।

ଏହା ବାଦେ ସମସ୍ତ ସରକାରୀ କର୍ମଚାରୀଙ୍କୁ ନୂଆ ବର୍ଷ ଉପହାର ସବୁ ବର୍ଷ ଭଳି ମିଳିବ। ହେଲେ ଏଥରର ଉପହାରରେ କେହି ହାତ ଲଗାଇ ପାରିବେନି। କାରଣ ସେ ସବୁର ଭୈତିକ ଉପଲବ୍ଧ ହେବନି। ଡାୟେରୀ ଓ କ୍ୟାଲେଣ୍ଡର ଇ-ମେଲ କରିଦିଆଯିବ। ଯାହା କର୍ମଚାରୀଙ୍କ ଲାପଟପ୍ ଓ ଡେସ୍କ ଟପରେ ରହିବ। ସେହିପରି ସମସ୍ତ କର୍ମଚାରୀ ତାଙ୍କ ଉପରିସ୍ଥ କର୍ମଚାରୀ, ସାଙ୍ଗସାଥୀ ଓ ବନ୍ଧୁବାନ୍ଧବଙ୍କୁ ଡିଜିଟାଲ ଉପାୟରେ ନବବର୍ଷ ଅଭିନନ୍ଦନ ଜଣାଇବେ ବୋଲି କୁହାଯାଇଛି। ଏଥିରେ ନବବର୍ଷ ବି ପାଳନ ହେବ କରୋନାକୁ ବି ପ୍ରତିହତ କରାଯିବ ବୋଲି କୁହାଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.