ଆସିବ ନୂଆ ରାସନ କାର୍ଡ, ସାରା ଦେଶରେ ଯେଉଁଠି ଥିଲେ ବି ମିଳିବ ରାସନ ସାମଗ୍ରୀ
19/12/2019 at 7:54 PM

ନୂଆଦିଲ୍ଲୀ୧୯/୧୨: ନୂଆ ପ୍ରଣାଳୀରେ ହେବ ରାସନ କାର୍ଡ। ସମାନ ମାନକ ଉପରେ ଆଧାରିତ ରାସନ କାର୍ଡ ପାଇଁ କେନ୍ଦ୍ର ସରକାର ନୂଆ ଯୋଜନା ଆରମ୍ଭ କରିସାରିଛନ୍ତି। ସାରା ଦେଶରେ ସମାନ ପ୍ରକାର ରାସନ କାର୍ଡ ବିତରଣ ହେବ। ଦେଶରେ ସମାନ ପ୍ରକାର ରାସନ କାର୍ଡ ପ୍ରଦାନ କରଯିବା ନେଇ କେନ୍ଦ୍ର ସରକାର ସବୁ ରାଜ୍ୟକୁ ଅବଗତ କରାଇଛନ୍ତି।
ଯାହାଫଳରେ ଉପଭୋକ୍ତା କୌଣସି ରାଜ୍ୟରେ ବି ରାସନ ସାମଗ୍ରୀ କିଣି ପାରିବେ। ଖାଦ୍ୟ ଓ ଯୋଗାଣ ମନ୍ତ୍ରାଳୟର ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ ଏକ ରାଷ୍ଟ୍ର ଏକ ରାସନ କାର୍ଡ ଅଭିଯାନ ଆରମ୍ଭ ହୋଇଛି। ଏ ନେଇ ସବୁ ରାଜ୍ୟକୁ କେନ୍ଦ୍ର ସରକାର ପକ୍ଷରୁ ଅବଗତ କରି ଦିଆଯାଇଛି। କିନ୍ତୁ ଏବେ ୬ଟି ରାଜ୍ୟରେ ଏହି ଯୋଜନା ଲାଗୁ ହୋଇଛି।
ତେବେ ୨୦୨୦ ଜୁନ ୧ ତାରିଖରୁ ଏହି ଯୋଜନା ସାରା ଦେଶରେ ଲାଗୁ କରାଯିବ ବୋଲି ଖାଦ୍ୟ ମନ୍ତ୍ରାଳୟର ଅଧିକାରୀ କହିଛନ୍ତି। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଆଧାରରେ ଉପଭୋକ୍ତାମାନେ କୌଣସି ରାଜ୍ୟରେ ବି ରାସନ ସାମଗ୍ରୀ କିଣି ପାରିବେ। ଏଥିସହ ଜାତୀୟ ସ୍ତରରେ କାର୍ଡ ପୋର୍ଟାବିଲିଟି ପାଇଁ ଲକ୍ଷ୍ୟ ରହିଛି।
ଖାଦ୍ୟ ମନ୍ତ୍ରାଳୟର ଅଧିକାରୀଙ୍କ ସୂଚନା ଅନୁସାରେ ଏହି ନୂଆ ରାସନ କାର୍ଡରେ ୨ଟି ଭାଷାରେ ସୂଚନା ପ୍ରଦାନ କରାଯିବ। ଗୋଟିଏ ସ୍ଥାନୀୟ ଭାଷା ଓ ଅନ୍ୟଟି ହିନ୍ଦୀ କିମ୍ବା ଇଂରାଜୀ ଭାଷା ହୋଇପାରେ। ଯାହାଫଳରେ ଜାତୀୟ ସ୍ତରରେ କାର୍ଡ ପୋର୍ଟାବିଲିଟି ସହଜରେ ହୋଇପାରିବ।
ରାସନ କାର୍ଡରେ ଦଶ ଅଙ୍କ ବିଶିଷ୍ଟ କୋଡ୍ ରଖିବା ପାଇଁ କେନ୍ଦ୍ର ସରକାର ରାଜ୍ୟଙ୍କୁ ପରାମର୍ଶ ଦେଇଛନ୍ତି। ବର୍ତ୍ତମାନ ଦେଶରେ ୨୩.୩୦ କୋଟି ରାସନ କାର୍ଡଧାରୀ ଅଛନ୍ତି। ସେଥିମଧ୍ୟରୁ ୮୫ ପ୍ରତିଶତ ଉପଭୋକ୍ତା ନିଜ ରାସନ କାର୍ଡକୁ ସହ ଆଧାର ଲିଙ୍କ୍ କରି ସାରିଛନ୍ତି।