ଖୁସି ଖବର : କିଛି ଅଂଶରେ କମିବ କରୋନା ପ୍ରକୋପ, ଆସନ୍ତା ୪୫ ଦିନରେ ହୋଇପାରିବ ମହାମାରୀର ଅନ୍ତ

Published By : Prameya-News7 Bureau | July 19, 2020 IST

ନୂଆଦିଲ୍ଲୀ ୧୯।୦୭: କରୋନା ଭୂତାଣୁ ସଂକ୍ରମିତ ସଂଖ୍ୟା ଭାରତରେ ଇତିମଧ୍ୟରେ ୧୦ ଲକ୍ଷ ପାର୍‌ କରିଛି । ଦିନକୁ ଦିନ ଭୟଙ୍କର ବେଗରେ ଏହା ମାଡ଼ିବାରେ ଲାଗିଛି । ୨୬ ହଜାରରୁ ଅଧିକ ଲୋକ ଦେଶରେ ପ୍ରାଣ ହରାଇ ସାରିଲେଣି । ଏହାକୁ ନେଇ ଦେଶବ୍ୟାପୀ ଭୟର ବାତାବରଣ । କରୋନାକୁ ରୋକିବା ପାଇଁ କେବେ ଟିକା କିମ୍ୱା ଔଷଧ ଆସିବ, ତାହାର କୌଣସି ଠୋସ ରିପୋର୍ଟ ଏ ପର୍ଯ୍ୟନ୍ତ ମିଳିପାରି ନାହିଁ । ଏଭଳି ପରିସ୍ଥିତିରେ କରୋନାକୁ ନେଇ ଏକ ଆଶ୍ୱସ୍ତିଜନକ ରିପୋର୍ଟ ପ୍ରକାଶ ପାଇଛି । ଭାରତର ଅଧିକାଂଶ ଭାଗରେ ଆଗାମୀ ଅଢ଼େଇମାସ ମଧ୍ୟରେ କରୋନା ମହାମାରୀର ଅନ୍ତ ଘଟିବ ବୋଲି ଏହି ରିପୋର୍ଟରେ ଦାବି କରାଯାଇଛି । ଆଇଆଇଟି ବମ୍ୱେର ପ୍ରଫେସର ଭାସ୍କରନ ରମନ ଏବଂ ତାଙ୍କ ଟିମ୍‌ ଏଭଳି ଦାବି କରିଛନ୍ତି । ଲେଭିଟ ମଡେଲ(ଗାଣିତିକ ପଦ୍ଧତି)କୁ ଆଧାର କରି ସେମାନେ ଏଭଳି ସିଦ୍ଧାନ୍ତରେ ପହଞ୍ଚିଛନ୍ତି ।

ନୋବେଲ ପୁରସ୍କାର ବିଜେତା ପ୍ରଫେସର ମାଇକେଲ ଲେଭିଟଙ୍କ ପ୍ରସ୍ତାବିତ ଏକ ମଡେଲକୁ ଭିତ୍ତିକରି ଆଇଆଇଟି ବମ୍ୱେର ଏହି ବିଶେଷଜ୍ଞମାନେ ରିପୋର୍ଟ ପ୍ରସ୍ତୁତ କରିଛନ୍ତି । ଏ ବାବଦରେ ପ୍ରଫେସର ରମନ କହିଛନ୍ତି, ଏହି ମଡେଲ ଅତି ଉଚ୍ଚକୋଟୀର । ପ୍ରଫେସର ଲେଭିଟ ଏହି ମଡେଲ ବାବଦରେ ପ୍ରସ୍ତାବ ଦେବା ପରେ ଏହାର ବିଭିନ୍ନ ସୂତ୍ରକୁ ନେଇ ମାର୍ଚ୍ଚ ପରଠାରୁ ଆଲୋଚନା ହେଉଛି । ହୁବେଇ ତଥ୍ୟ ଓ ବିଭିନ୍ନ ଦେଶର କୋଭିଡ ସଂକ୍ରାନ୍ତ ରିପୋର୍ଟଗୁଡ଼ିକୁ ବିଶ୍ଳେଷଣ କରି ଲେଭିଟ ଏହି ମଡେଲ ପ୍ରସ୍ତୁତ କରିଥିଲେ । ଏହାକୁ ଭାରତର କୋଭିଡ ତଥ୍ୟ ଉପରେ ପ୍ରୟୋଗ କରାଯାଇଥିଲା ।

ଆଇଆଇଟି ବମ୍ୱେ ଟିମ୍‌ ମୁତାବକ ଏହି ମଡେଲର ବିଶେଷତ୍ୱ ହେଉଛି, ଏହା ଅତ୍ୟନ୍ତ ସରଳ । ଏହାକୁ ବୁଝିବା ବି ବେଶ୍‌ ସହଜ । ଏଥିରେ କୌଣସି ଜଟିଳ ଗାଣିତିକ ସୂତ୍ର ବ୍ୟବହାର କରାଯାଇ ନାହିଁ । ଏମିତି କି ଲୋକସଂଖ୍ୟା ଆକାର ମାପିବା ପାଇଁ ଏହାକୁ ବ୍ୟବହାର କରାଯାଇ ପାରିବ । ସେତିକି ନୁହେଁ, ଏହି ସୂତ୍ର ଦ୍ୱାରା ସହର, ରାଜ୍ୟ, ଜିଲ୍ଲା ଓ ଦେଶର ବିଭିନ୍ନ ତଥ୍ୟକୁ ବିଶ୍ଳେଷଣ ସହିତ ତୁଳନା କରାଯାଇ ପାରିବ । ବିଭିନ୍ନ ରାଷ୍ଟ୍ରର ନମୁନା ପରୀକ୍ଷା କ୍ଷମତା ଜାଣିବା ପାଇଁ ଏହା ବ୍ୟବହୃତ ହୋଇପାରିବ । ଏହାଛଡ଼ା କୋଭିଡ ମୃତ୍ୟୁର ଠୋସ ତଥ୍ୟ ବି ଏହା ଜରିଆରେ ମିଳିପାରିବ ।

ଲେଭିଟ ମଡେଲକୁ ଭାରତ ଉପରେ ପ୍ରୟୋଗ କରିବା ପରେ ଆଇଆଇଟି ବମ୍ୱେ ଟିମ ଏକ ଆଶ୍ୱସ୍ତିଜନକ ସିଦ୍ଧାନ୍ତରେ ଉପନୀତ ହୋଇଛି। ଭାରତର ବିଭିନ୍ନ ଭାଗରେ ଆଗାମୀ ଅଢ଼େଇ ମାସ ମଧ୍ୟରେ କରୋନା ଭୂତାଣୁ ସଂକ୍ରମଣ କମି କମି ଆସିବ। ସଂକ୍ରମଣ ବେଗ ଅନେକ ମାତ୍ରାରେ କମିବ ଏବଂ ମୃତ୍ୟୁ ହାର ମଧ୍ୟ ଅତ୍ୟନ୍ତ ନିମ୍ନ ସ୍ତରରେ ରହିବ । ଚଳିତବର୍ଷ ଅକ୍ଟୋବର ବେଳକୁ ଭାରତକୁ କରୋନାରୁ ନିସ୍ତାର ମିଳିବ ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି । କିନ୍ତୁ ଏହାର ଅର୍ଥ ନୁହେଁ ଯେ ଭାରତରୁ କୋଭିଡ-୧୯ ସମ୍ପୂର୍ଣ୍ଣ ନିଃଶେଷ ହୋଇଯିବ ।

ରିପୋର୍ଟରେ କୁହାଯାଇଛି ଯେ ଚେନ୍ନାଇରେ କରୋନା ଭୂତାଣୁ ସଂକ୍ରମଣ ଏବେଠୁ ପାଖାପାଖି ମାସେ ମଧ୍ୟରେ ହ୍ରାସ ପାଇବ। ଚେନ୍ନାଇର ଲୋକଙ୍କୁ କରୋନାରୁ ଆଶ୍ୱସ୍ତି ମିଳିବ। ସେହିଭଳି ମୁମ୍ୱାଇରେ କରୋନା ମହାମାରୀ ପାଖାପାଖି ଦୁଇ ସପ୍ତାହ ମଧ୍ୟରେ ଶିଥିଳ ପଡ଼ିବ। ମୁମ୍ୱାଇରେ ଏବେ ପାଖାପାଖି ୨୫,୦୦୦ ସକ୍ରିୟ ମାମଲା ରହିଥିବା ବେଳେ ପ୍ରାୟ ୬୮,୦୦୦ ଲୋକ ସୁସ୍ଥ ହୋଇସାରିଲେଣି । ମୁମ୍ୱାଇରେ ଏବେସୁଦ୍ଧା ପ୍ରାୟ ୪.୧୦ ଲକ୍ଷ ନମୁନା ପରୀକ୍ଷା କରାଯାଇଛି । ଗୁଜରାଟରେ ମଧ୍ୟ କରୋନା ସଂକ୍ରମଣ ହ୍ରାସ ପାଇବ ।

ଆଇଆଇଟି ବମ୍ୱେ ଟିମ କର୍ଣ୍ଣାଟକକୁ ନେଇ ଭୟାନକ ଆକଳନ କରିଛି । ଟିମ ଲେଭିଟ ମଡେଲକୁ ଆଧାର କରି କହିଛି ଯେ କର୍ଣ୍ଣାଟକରେ କରୋନା ସଂକ୍ରମଣ ଆରମ୍ଭ ହୋଇଛି । ଆଗକୁ ସ୍ଥିତି ସଙ୍ଗିନ ହୋଇପଡ଼ିବ । କର୍ଣ୍ଣାଟକରେ କରୋନା ଆକ୍ରାନ୍ତ ସଂଖ୍ୟା ଏବେ ୫୫,୧୧୫ ହୋଇଥିବା ବେଳେ ୧,୧୪୭ ଜଣ ପ୍ରାଣ ହରାଇଛନ୍ତି । ଏଠାରେ ଅଧିକ ସଂଖ୍ୟକ ବିଧାୟକ ଆକ୍ରାନ୍ତ ହୋଇଛନ୍ତି । କଂଗ୍ରେସ ବିଧାୟକ ପି ଟି ପରମେଶ୍ୱର ନାଏକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.