ଗବେଷକଙ୍କ ନୂଆ ଦାବି , ବ୍ୟାଙ୍କ ନୋଟ୍‌ ଓ ଫୋନ ସ୍କ୍ରିନରେ ୪ ସପ୍ତାହ ପର୍ଯ୍ୟନ୍ତ ତିଷ୍ଠିବ କରୋନା ଭୂତାଣୁ !

Published By : Prameya-News7 Bureau | October 12, 2020 IST

ସିଡ୍‌ନି ୧୨।୧୦: କରୋନା ମହାମାରୀ ଏବେ ସାରା ବିଶ୍ୱରେ ଭୟଙ୍କର ରୂପ ଧାରଣା କରିଛି । ଦିନ ଗଡିବା ସହ ନୂଆ ନୂଆ ରେକର୍ଡ କରିବାରେ ଲାଗିଛି ଏହି ମହାମାରୀ । ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ୱରେ ଲକ୍ଷାଧିକ ଲୋକଙ୍କ ଜୀବନ ନେଇସାରିଥିବା ବେଳେ ଅନେକ ଲୋକ ସଂକ୍ରମିତ ହୋଇଛନ୍ତି । ତେବେ ଏସବୁ ଭିତରେ ଏକ ରିପୋର୍ଟ ସାମ୍ନାକୁ ଆସିଛି । ଯାହାକି ସମସ୍ତଙ୍କ ମୁଣ୍ଡ ବ୍ୟଥାର କାରଣ ପାଲଟିଛି ।

କରୋନା ଭୂତାଣୁ (କୋଭିଡ-୧୯) ବାବଦରେ ଗବେଷକମାନେ ଏବେ ଏକ ଭୟାନକ ରିପୋର୍ଟ ଦେଇଛନ୍ତି । ମୋବାଇଲ ଫୋନ ସ୍କ୍ରିନରେ ଏହି ଭୂତାଣୁ ୪ ସପ୍ତାହ ବା ୨୮ ଦିନ ଧରି ତିଷ୍ଠିରହି ପାରିବ ଏବଂ ଏହା ସଂକ୍ରାମକ ବୋଲି ସେମାନେ କହିଛନ୍ତି । ବ୍ୟାଙ୍କ ନୋଟ୍‌ ଓ ବିଭିନ୍ନ କାଚ ସାମଗ୍ରୀର ପୃଷ୍ଠଭାଗରେ ମଧ୍ୟ କରୋନା ଭୂତାଣୁ ୨୮ ଦିନ ରହିପାରିବ ବୋଲି ରିପୋର୍ଟରେ କୁହାଯାଇଛି।

ଅଷ୍ଟ୍ରେଲିଆର ରାଷ୍ଟ୍ରୀୟ ବିଜ୍ଞାନ ଏଜେନ୍ସି କମନ୍‌ୱେଲ୍‌ଥ ସାଇଣ୍ଟିଫିକ୍‌ ଆଣ୍ଡ୍‌ ଇଣ୍ଡଷ୍ଟ୍ରିଆଲ୍‌ ରିସର୍ଚ୍ଚ ଅର୍ଗାନାଇଜେସନ୍‌ (ସିଏସ୍‌ଆଇଆର୍‌ଓ)ର ଗବେଷକମାନେ ଦୀର୍ଘଦିନ ଧରି ପରୀକ୍ଷା କରିବା ପରେ ଏଭଳି ତଥ୍ୟ ହସ୍ତଗତ କରିଛନ୍ତି । ଗିଲଙ୍ଗସ୍ଥିତ ଅଷ୍ଟ୍ରେଲିଆନ୍‌ ସେଣ୍ଟର ଫର୍‌ ଡିଜିଜ୍‌ ପ୍ରିପେୟାର୍ଡନେସ୍‌ (ଏସିଡିପି)ରେ ଏଥିପାଇଁ ଗବେଷଣା କରାଯାଇଥିଲା। ଏଥିରୁ ଜଣାପଡ଼ିଥିଲା ଯେ ସାର୍ସ-କୋଭ-୨ (ସଂକ୍ରମଣ ସୃଷ୍ଟି କରୁଥିବା ଭୂତାଣୁ) କମ୍‌ ତାପମାତ୍ରାରେ ଅଧିକ ଦିନ ଧରି ତିଷ୍ଠି ରହିପାରିବ। କାଚ, ଷ୍ଟେନଲେସ ଷ୍ଟିଲ୍‌ ଓ ଭିନାଇଲ ଆଦିର ମସୃଣ ପୃଷ୍ଠଭାଗରେ ଏହା ସହଜରେ ରହିପାରିବ।

ସେହିଭଳି ପ୍ଲାଷ୍ଟିକ୍‌ ବ୍ୟାଙ୍କ ନୋଟ୍‌ ତୁଳନାରେ ପେପର ବ୍ୟାଙ୍କ ନୋଟ୍‌ରେ ଏହା ଅଧିକ ଦିନ ତିଷ୍ଠି ରହୁଥିବା କୁହାଯାଇଛି। ତେବେ ସଂକ୍ରମଣ ପାଇଁ କେତେ ପରିମାଣର ଭୂତାଣୁ ଦରକାର ହୋଇଥାଏ, ସେ ବାବଦରେ କିଛି ସ୍ପଷ୍ଟ କରାଯାଇ ନାହିଁ ବୋଲି ଏସିଡିପିର ଉପନିର୍ଦ୍ଦେଶକ ଡେବି ଇଗଲ୍‌ସ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.