ସ୍ଥିତି ଅସମ୍ଭାଳ: ଗଞ୍ଜାମ ପାଇଁ ନୂଆ ରଣ କୌଶଳ, ଭିତ୍ତିଭୂମି ସଂପ୍ରସାରଣ ଓ ସଚେତନା ଉପରେ ଗୁରୁତ୍ଵ, MKCGରେ ଖୋଲିବ ଜରୁରୀକାଳୀନ ଓ୍ଵାର୍ଡ

Published By : Prameya-News7 Bureau | July 18, 2020 IST

ବ୍ରହ୍ମପୁର ୧୮।୦୭: ଗଞ୍ଜାମ ଜିଲ୍ଲା ଓଡିଶାର ହଟ୍‌ସ୍ପଟ୍ କେନ୍ଦ୍ର ପାଲଟିଛି। ଦୈନିକ ଏହି ଜିଲ୍ଲାରୁ ଶହ ଶହ ସଂଖ୍ୟାରେ ନୂତନ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। କେବଳ ଗଞ୍ଜାମରୁ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୦୦୦ ଟପିଛି। ସରକାରଙ୍କ ସବୁ ପ୍ରୟାସ ପରେ ସ୍ଥିତିରେ କୌଣସି ସୁଧାର ଆସୁନି। ଏବେ ଗଞ୍ଜାମ ଜିଲ୍ଲାରେ କୋଭିଡ୍ ରୋଗକୁ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ନୂତନ ରଣ କୌଶଳ ଗ୍ରହଣ କରିଛନ୍ତି। ଏଥିରେ ଭିତ୍ତିଭୂମି ସଂପ୍ରସାରଣ, ଟେଲିମେଡିସନ ଓ ସଚେତନା ଉପରେ ବିଶେଷ ଗୁରୁତ୍ଵ ଦିଆଯାଇଛି। ସ୍ଵାସ୍ଥ୍ୟ ଓ ପରିବାର କଳ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଶନିବାର ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି।

ବୈଠକରେ ଗୃହୀତ ନିଷ୍ପତ୍ତି ଅନୁଯାୟୀ କୋଭିଡ୍-୧୯ ଜନିତ ମୃତ୍ୟୁ ରୋକିବା, ତଦାରଖ ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବା ନୂତନ ରଣ କୌଶଳର ମୁଖ୍ୟ ଲକ୍ଷ୍ୟ ରହିବ। ବ୍ରହ୍ମପୁର ମେଡିକାଲ କଲେଜର ଜରୁରୀକାଳୀନ ଓ ଓପିଡି ଖୋଲିବା ସହିତ ଏହା ଯେପରି ୨୪X୭ କାର୍ଯ୍ୟ କରିବ ସେଥିପାଇଁ ବ୍ୟବସ୍ଥା କରିବାକୁ ସ୍ଥିର କରାଯାଇଛି। ବ୍ରହ୍ମପୁର ମେଡିକାଲ କଲେଜରେ ଜଣେ ଅତିରିକ୍ତ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯିବ। କୋଭିଡ୍ ପରିଚାଳନାରେ ସେ ପର୍ଯ୍ୟବେକ୍ଷକଙ୍କକୁ ସହାୟତା କରିବେ।

ଏମକେସିଜିର ଶିଶୁରୋଗ ଓ୍ଵାର୍ଡକୁ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ୍ କେୟାର ସେଣ୍ଟରରେ ପରିଣତ କରାଯିବ ଏବଂ ଏହା  ଜିଲ୍ଲାପାଳଙ୍କ ତତ୍ଵାବଧାନରେ ରହିବ। ସେହିପରି ମଧ୍ୟ ବିଦ୍ୟୁତପୁରରେ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ୍ କେୟାର ସେଣ୍ଟର କରାଯିବ। ଶିଶୁ ମନ୍ଦିରରେ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ୍ କେୟାର ସେଣ୍ଟର କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଏହା ବ୍ରହ୍ମପୁର ମହାନଗର ନିଗମ ଦ୍ଵାରା ପରିଚାଳିତ ହେବ। ସିଟି ହସ୍ପିଟାଲ ମଧ୍ୟ ଚିକିତ୍ସା ସୁବିଧା ଯୋଗାଇବ।

ପଜିଟିଭ୍ ରୋଗୀଙ୍କ ଉତ୍କଣ୍ଠା କମାଇବା ପାଇଁ, ପରାମର୍ଶ ଦେବା ପାଇଁ ଜଣେ Psychiatristଙ୍କ ନେତୃତ୍ଵରେ ମନସ୍ତାତ୍ଵିକ ପରାମର୍ଶଦାତା ରହିବେ ଏବଂ ସେମାନେ ଟେଲି କାଉନସେଲିଂ କରିବେ। ସୁସ୍ଥ ହୋଇଥିବା କୋଭିଡ୍ ରୋଗୀମାନଙ୍କୁ ପରାମର୍ଶଦାତାଭାବେ ନିଯୁକ୍ତି ଦିଆଯିବ ଏବଂ କୋଭିଡ୍ ମନିଟର ଭାବରେ ସେମାନେ ଅନ୍ତଃ ୧୦ ଜଣ ରୋଗୀଙ୍କୁକ ଆବଶ୍ୟକ ପରାମର୍ଶ ଓ ସାହାସ ଦେବେ। ଏଥିପାଇଁ ସେମାନଙ୍କୁ ୧୦୦୦ ଟଙ୍କା ଦିଆଯିବ।

ହୋମ ଆଇସୋଲେସନରେ ଥିବା ରୋଗୀମାନଙ୍କୁ ମେଡିସିନ କିଟ୍‌ ଯୋଗାଇ ଦେବା ସହିତ ଓଡିଆରେ ଔଷଧ ଖାଇବା ସୂଚନା ଦିଆଯିବ। ଏହା କେୟାର ଗିଭର ଏବଂ ସେମାନଙ୍କ ପରିବାରକୁ ଆବଶ୍ୟକ ଉପଦେଶ ଆଇଇସି ମାଟେରିଆଲ ମଧ୍ୟ ଯୋଗାଇ ଦିଆଯିବ। ବ୍ରହ୍ମପୁର ଓ ଗୋପାଳପୁରରେ ଥିବା ହୋଟେଲମାନଙ୍କୁ ଜିଲ୍ଲାପାଳ କୋଭିଡ ଯୁଦ୍ଧରେ ଆଗଧାଡିରେ ଥିବା ଡାକ୍ତର ଓ ଅନ୍ୟମାନଙ୍କ ରହଣି ପାଇଁ ସଂରକ୍ଷିତ ରଖିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.