ଉତ୍ତର କୋରିଆରେ ଲାଗୁ ହେଲା ନୂଆ ଆଇନ: ଏହି କାମ କଲେ ମିଳିବ ମୃତ୍ୟୁଦଣ୍ଡ

Published By : Prameya-News7 Bureau | July 19, 2021 IST

ନୂଆଦିଲ୍ଲୀ ୧୯/୦୭ : ଉତ୍ତର କୋରିଆରେ ଏକଛତ୍ରବାଦୀ ନିଷ୍ପତ୍ତି ପାଇଁ ଚର୍ଚ୍ଚିତ କିମ୍ ଜୋଙ୍ଗ୍ ଉନ୍ ନିଜ ଦେଶର ନିୟମଗୁଡିକୁ ଆହୁରି କଠୋର କରିଦେଇଛନ୍ତି। କିଛି ସମୟ ପୂର୍ବରୁ ଉତ୍ତର କୋରିଆରେ ଏକ ଆଇନ ପ୍ରଣୟନ କରାଯାଇଛି। ଏହି ଆଇନ ଅନୁଯାୟୀ ଯଦି କୌଣସି ବ୍ୟକ୍ତି ଦକ୍ଷିଣ କୋରିଆ, ଆମେରିକା ଏବଂ ଜାପାନର ଗଣମାଧ୍ୟମ ସହ ଜଡିତ ବିଷୟବସ୍ତୁ ସେୟାର କରନ୍ତି ତେବେ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇପାରେ।

ଦକ୍ଷିଣ କୋରିଆରେ କଥିତ ଆପତ୍ତିଜନକ ଶବ୍ଦ ଏବଂ ସାଧାରଣ ଭାଷା ମଧ୍ୟ ନିଷେଧ ତାଲିକା ଅନ୍ତର୍ଭୁକ୍ତ କରାଯାଇଛି। ଦକ୍ଷିଣ କୋରିଆର ହେୟାର ଷ୍ଟାଇଲ ଏବଂ ବିଦେଶୀ ଫ୍ୟାଶନ୍ ପୂର୍ବରୁ ହିଁ ନିଷେଧ ରହିଛି।

ଲୋକଙ୍କୁ କୁହାଯାଇଛି ଯେ ଉତ୍ତର କୋରିଆର ଭାଷା ସର୍ବୋତ୍ତମ ଏବଂ ଦକ୍ଷିଣ କୋରିଆରେ ବ୍ୟବହୃତ ଭାଷା ବ୍ୟବହାର କଲେ ମୃତ୍ୟୁଦଣ୍ଡର ହୋଇପାରେ।

ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ୍ ଏହା ମଧ୍ୟ ଘୋଷଣା କରିଛନ୍ତି ଯେ ଯଦି ଦକ୍ଷିଣ କୋରିଆ, ଜାପାନ ଏବଂ ଆମେରିକାର ଗଣମାଧ୍ୟମକୁ ଅନୁସରଣ କରୁଥିବା ଜଣାପଡେ ତାହେଲେ ସେହି ବ୍ୟକ୍ତିଙ୍କୁ ୧୫ ବର୍ଷ କାରାଗାରରେ ରହିବାକୁ ପଡ଼ିବ।

ଉତ୍ତର କୋରିଆର ଖବରକାଗଜ ରୋଡୋଙ୍ଗ୍ ସିନମନରେ ଦକ୍ଷିଣ କୋରିଆର ପପ୍ ସଂସ୍କୃତିର ବିପଦ ବିଷୟରେ ଲେଖାଯାଇଛି ଯେ ରଙ୍ଗୀନ ପୋଷାକରେ ଦେଖାଯାଇଥିବା ଲୋକେ ଆମ ସଂସ୍କୃତିରେ ପ୍ରବେଶ କରି ଆମ ସଂସ୍କୃତିକୁ ନଷ୍ଟ କରିବାକୁ ଚାହୁଁଛନ୍ତି। ଏମାନେ ସେହି ଲୋକଙ୍କ ଠାରୁ ମଧ୍ୟ ବିପଜ୍ଜନକ ଯେଉଁମାନଙ୍କ ହାତରେ ବନ୍ଧୁକ ଅଛି।

ଉତ୍ତର କୋରିଆ ଷ୍ଟଡିଜ୍ ବିଶ୍ୱବିଦ୍ୟାଳୟର ପ୍ରଫେସର ୟାଙ୍ଗ ମୋ-ଜିନ୍ କୋରିଆ ହେରାଲ୍ଡ ସହ କଥାବାର୍ତ୍ତା ବେଳେ କହିଛନ୍ତି ଯେ କିମ୍ ଜୋଙ୍ଗ୍ ଉନ୍ ନିଜେ ସ୍ୱିଜରଲ୍ୟାଣ୍ଡରେ ଅଧ୍ୟୟନ କରିଥିଲେ। କିନ୍ତୁ ଯେ ଜାଣନ୍ତି କୋରିଆର ପପ୍ ମ୍ୟୁଜିକ୍ ଏବଂ ପାଶ୍ଚାତ୍ୟ ସଂସ୍କୃତି ଉତ୍ତର କୋରିଆର ଯୁବପିଢ଼ିଙ୍କୁ ସହଜରେ ପ୍ରଭାବିତ କରିପାରିବ।

ପ୍ରଫେସର ୟାଙ୍ଗ ମୋ-ଜିନ୍ କହିଛନ୍ତି କିମ ଜାଣିଥିଲେ ଏହା ତାଙ୍କ ସମାଜବାଦୀ ବ୍ୟବସ୍ଥା ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ। ଯୁବପିଢ଼ି ବିଦ୍ରୋହୀ ହୋଇପାରନ୍ତି। ସେଥିପାଇଁ ସେ ଅନ୍ୟ ଦେଶରେ ପାଶ୍ଚାତ୍ୟ ସଂସ୍କୃତି, ସଙ୍ଗୀତ ଏବଂ ଗଣମାଧ୍ୟମକୁ ନିଜ ଦେଶରେ ପ୍ରଚଳିତ ହେଉ ବୋଲି ଚାହୁଁ ନାହାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.