ଜାନୁଆରୀ ପହିଲାରୁ ବଦଳିବ ପାଣି ବୋତଲ ପାଇଁ ନିୟମ, ସ୍ବାଦରେ ହେବ ପରିବର୍ତ୍ତନ

Published By : Prameya-News7 Bureau | December 04, 2020 IST

ନୂଆଦିଲ୍ଲୀ ୦୪/୧୨: ବଜାରରେ ମିଳୁଥିବା ପାଣିର ସ୍ବାଦ ପରିବର୍ତ୍ତନ ହେବାକୁ ଯାଉଛି। ପ୍ୟାକେଜଡ୍‌ ଡ୍ରିଙ୍କିଙ୍ଗ ଓ୍ବାଟର ସ୍ବାଦ ପରିବର୍ତ୍ତନ ହେବାକୁ ଥିବା ନେଇ ନୂଆ ଗାଇଡ୍‌ଲାଇନ୍‌ ଜାରି କରିଛି ଫୁଡ୍‌ ସେଫ୍ଟି ଷ୍ଟାଣ୍ଡାର୍ସ ଅଥୋରିଟି ଅଫ୍‌ ଇଣ୍ଡିଆ (ଏଫ୍‌ଏସ୍‌ଏସ୍‌ଏଆଇ)।

ଜାନୁଆରୀ ପହିଲାରୁ ଏହି ନିୟମ ଲାଗୁ ହେବ। ଏଫ୍‌ଏସ୍‌ଏସ୍‌ଏଆଇର ଗାଇଡ୍‌ଲାଇନ୍‌ ଅନୁସାରେ ବୋତଲ ପାଣି ପ୍ରସ୍ତୁତ କରୁଥିବା କମ୍ପାନୀ ପ୍ୟାକେଜ୍‌ଡ୍‌ ଓ୍ବାଟର ପ୍ରସ୍ତୁତ କରିବେ। ତେବେ କମ୍ପାନୀଗୁଡ଼ିକ ଏହି ନିୟମ ବହୁ ଆଗରୁ ମାନିବାକୁ ଥିଲା କିନ୍ତୁ ବହୁ ବଚାର ବିମର୍ଶ ପରେ ଏହାକୁ ବାଧ୍ୟତାମୂଳକ କରିଛି ଏଫ୍‌ଏସ୍‌ଏସ୍‌ଏଆଇ।

ମନିକଂଟ୍ରୋଲ୍‌.କମ୍‌ରେ ପ୍ରକାଶିତ ଖବର ଅନୁସାରେ ଏଫ୍‌ଏସ୍‌ଏସ୍‌ଏଆଇ ଗାଇଡ୍‌ଲାଇନ୍‌ ଅନୁସାରେ ପ୍ୟାକେଜ୍‌ଡ୍‌ ପାଣି ତିଆରି କରୁଥିବା କମ୍ପାନୀ ୧ ଲିଟର ପାଣି ବୋତଲରେ ୨୦ ମିଲିଗ୍ରାମ୍‌ କ୍ୟାଲ୍‌ସିୟମ୍‌ ଓ ୧୦ ମିଲିଗ୍ରାମ୍‌ ମ୍ୟାଗ୍ନେସିୟମ ମିଶାଇବେ। ମିନେରାଲ୍ସ ସ୍ବାସ୍ଥ୍ୟ ପାଇଁ ହିତକର। ତେଣୁ ଗ୍ରୀନ୍‌ ଟ୍ରିବ୍ୟୁନାଲ୍‌ (ଏନଜିଟି) ପ୍ୟାକେଜିଂ ପାଣିରେ ଖାସ ମିନେରାଲ୍ସ ମିଶାଇବାକୁ ଏଫ୍‌ଏସ୍‌ଏସ୍‌ଏଆଇକୁ କହିଥିଲେ ।

ଏନଜିଟି ୨୯ ମେ ୨୦୧୯ରେ ନିର୍ଦେଶ ଜାରି କରିଥିଲେ। ଏହାକୁ ଲାଗୁ କରିବା ପାଇଁ କମ୍ପାନୀଗୁଡ଼ିକୁ ଦୁଇ ଥର ସମୟ ମଧ୍ୟ ଦିଆଯାଇଛି। କିନ୍ତୁ ଏଥର କମ୍ପାନୀ ଆଉ ସମୟ ମାଗିପାରିବେ ନାହିଁ। ଏବେ ସରକାର ୩୧ ଡିସେମ୍ବର ୨୦୨୦ ଡେଡ୍‌ଲାଇନ୍‌ ଧାର୍ଯ୍ୟ କରିଛନ୍ତି ।

ଭାରତୀୟ ବଜାରରେ ଅନେକ କମ୍ପାନୀ ପ୍ୟାକେଜିଂ ଓ୍ବାଟର ବିକ୍ରୟ କରୁଛନ୍ତି। ଭାରତରେ ପ୍ରତି ବର୍ଷ ୩୦୦୦ କୋଟି ଟଙ୍କାର ପ୍ୟାକେଜ୍‌ଡ୍‌ ପାଣି ବିକ୍ରି ହେଉଛି। ବିଭିନ୍ନ କମ୍ପାନୀ ୫୦୦ ଏମଏଲ୍‌, ୨୫୦ ଏମଏଲ୍‌, ୧ ଲିଟର, ୧୫-୨୦ ଲିଟର ପାଣି ବୋତଲ୍‌ ବିକ୍ରି କରୁଛନ୍ତି। କିନ୍ତୁ ବଜାରରେ ୪୨ ପ୍ରତିଶତ କେବଳ ୧ ଲିଟର ପାଣି ବୋତଲ ବିକ୍ରି ହେଉଥିବା ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.