ଆଧାର କାର୍ଡ ସମ୍ବନ୍ଧୀୟ ନୂଆ ନିୟମ ଜାରି, ଡ୍ରାଇଭିଂ ଲାଇସେନ୍ସ ରିନ୍ୟୁ ଓ ଗାଡି ରେଜିଷ୍ଟ୍ରେସନ ହେବ ସହଜ
12/09/2020 at 5:00 PM

ନୂଆଦିଲ୍ଲୀ, ୧୨।୦୯: ଆଧାର କାର୍ଡ ଏବେ ଦେଶର ସମସ୍ତ ନାଗରିକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ । ଏହାକୁ ପରିଚୟ ପତ୍ର ଭାବେ ମଧ୍ୟ ବ୍ୟବହାର କରାଯାଏ । କୌଣସି ଆର୍ଥିକ କାରବାର ଏବଂ ସରକାରୀ ଯୋଜନାର ଲାଭ ଉଠାଇବା ପାଇଁ ଆଧାର କାର୍ଡ ଅତି ଜରୁରୀ ଅଟେ । ଏବେ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଆଧାର କାର୍ଡକୁ ନେଇ ଅନେକ ନିୟମ ପ୍ରସ୍ତୁତ କରିଛି । ଯାହାକୁ ନେଇ ବିଜ୍ଞପ୍ତି ମଧ୍ୟ ପ୍ରକାଶ କରାଯାଇଛି ।
ଏବେ ଆଧାର କାର୍ଡର ବାୟୋମେଟ୍ରିକ ତଥ୍ୟର ବ୍ୟବହାର ନାଗରିକଙ୍କୁ କିଛି ଅନଲାଇନ୍ ସେବା ଦେବା ପାଇଁ କରାଯିବ । ଏଥିରେ ଲର୍ଣ୍ଣିଂ ଲାଇସେନ୍ସ ତିଆରି କରିବା, ଡ୍ରାଇଭିଂ ଲାଇସେନ୍ସ ରିନ୍ୟୁ, ଗାଡିର ରେଜିଷ୍ଟ୍ରେସନ ଭଳି ସୁବିଧା ମିଳିପାରିବ ।
ସୂଚନାନୁସାରେ, ପରିବହନ ମନ୍ତ୍ରାଳୟ ପୂର୍ବରୁ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଡ୍ରାଇଭିଂ ଲାଇସେନ୍ସ ଓ ଗାଡିର ରେଜିଷ୍ଟ୍ରେସନ ପାଇଁ ଆଧାର କାର୍ଡକୁ ବ୍ୟବହାର କରାଯାଉ ବୋଲି ପ୍ରସ୍ତାବ ଦେଇଥିଲା । ଏଥିରେ ନକଲି ଡ୍ରାଇଭିଂ ଲାଇସେନ୍ସ ଓ ଅନ୍ୟ ଫେକ୍ ଦସ୍ତାବିଜକୁ ରୋକିବାରେ ସହାୟତା ମିଳିବ । ଏପରିକି ନାଗରିକମାନେ ଆରଟିଓ ଅଫିସ ନଯାଇ ଅନେକ ସୁବିଧା ଲାଭ କରିପାରିବେ ।
ସୂତ୍ରାନୁସାରେ, ଯଦି କେହି ଅନଲାଇନ୍ ସେବାର ଲାଭ ଉଠାଇବାକୁ ଚାହୁଁଛି ତେବେ ଆଧାର ଅଥେଣ୍ଟିକେସନ ଭଲ ରହିବ । ଆଇଟିଆର ଫାଇଲ କରିବା ପାଇଁ ମଧ୍ୟ ଅନଲାଇନ୍ ଭେରିଫିକେସନ ପ୍ରକ୍ରିୟା ଆଧାର ଆଇଡିରୁ କରିବା ସବୁଠାରୁ ଲୋକପ୍ରିୟ ସାବ୍ୟସ୍ତ ହୋଇଛି ।
ସୂଚନାଯୋଗ୍ୟ, ୨୦୧୮ରେ ପରିବହନ ମନ୍ତ୍ରାଳୟ ଡ୍ରାଇଭିଂ ଲାଇସେନ୍ସ ଆବେଦନ ପାଇଁ ଆଧାର ପ୍ରମାମ ପତ୍ରକୁ ବାଧ୍ୟତାମୂଳକ କରିଥିଲା । ପରେ ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଉପରେ ରୋକ୍ ଲଗାଇଥିଲେ । ସରକାରୀ ଯୋଜନାର ଲାଭ ବ୍ୟତୀତ ଅନ୍ୟ କୌଣସିରେ ଆଧାର ଜରୁରୀ ନୁହେଁ ବୋଲି କୋର୍ଟ କହିଥିଲେ ।