'ତମାଖୁ ଉତ୍ପାଦ ଉପରେ ଆହୁରି କଡା ସ୍ୱାସ୍ଥ୍ୟ ଚେତାବନୀ ଲଗାଅ', ସବୁ ରାଜ୍ୟକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ

Published By : Prameya-News7 Bureau | December 07, 2020 IST

ନୂଆଦିଲ୍ଲୀ,୦୭/୧୨: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସମସ୍ତ ତମାଖୁ ଉତ୍ପାଦ ଉପରେ ବଡ ଫଟୋ ସହ ସ୍ୱାସ୍ଥ୍ୟ ଚେତାବନୀର ନୂଆ ସେଟ୍ ଲଗାଇବା ପାଇଁ ରାଜ୍ୟମାନଙ୍କୁ କହିଛି । ଏହାସହ କେନ୍ଦ୍ରର ଅଧିସୂଚନାକୁ ଅନୁରୂପ ଭାବେ ଲାଗୁ ପାଇଁ ମଧ୍ୟ କୁହାଯାଇଛି ।

ମନ୍ତ୍ରାଳୟ ଅନୁସାରେ,  ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଚେତାବନୀର ପ୍ରଦର୍ଶନ ଲୋକଙ୍କ ମଧ୍ୟରେ ଅଧିକ ସଚେତନତା ସୃଷ୍ଟି କରିବ । ଖାସ୍ କରି ଯୁବକ, ଶିଶୁ ଓ ନିରକ୍ଷରମାନେ କିପରି ସାଙ୍ଘାତିକ ସ୍ୱାସ୍ଥ୍ୟ ସମସ୍ୟାଠୁ ଦୂରରେ ରହିବେ ସେନେଇ ଧ୍ୟାନ ଦିଆଯିବ । ମନ୍ତ୍ରାଳୟ ୨୦୦୮ ମାର୍ଚ୍ଚ ୧୫ ତାରିଖରେ ସିଗାରେଟ୍ ସମେତ ଅନ୍ୟ ତମାଖୁ ଉତ୍ପାଦ ନିୟମ ଅଧିସୂଚୀତ କରିଥିଲେ । ସମସ୍ତ ତମାଖୁ ଉତ୍ପାଦ ଉପରେ ସ୍ୱତନ୍ତ୍ର ଓ ଚିତ୍ରଯୁକ୍ତ ସ୍ୱାସ୍ଥ୍ୟ ଚେତାବନୀର ପ୍ରଦର୍ଶନ ପାଇଁ ସମୟ ସମୟରେ ନିୟମଗୁଡିକରେ ପରିବର୍ତ୍ତନ କରାଯାଇଛି ।

ଏହି ନିୟମାବଳୀର ନିୟମ ସଂଖ୍ୟା ୫ ଅନୁସାରେ ତମାଖୁ ଉତ୍ପାଦର ପ୍ୟାକେଟରେ ବିଶିଷ୍ଟ ସ୍ୱାସ୍ଥ୍ୟ ଚେତାବନୀକୁ ପ୍ରତି ଦୁଇ ବର୍ଷରେ ପରିବର୍ତ୍ତନ କରାଯିବ । ନିୟମର ନୂଆ ସେଟ୍ ଜୁଲାଇ ୨୧ରେ ଅଧିସୂଚୀତ କରାଯାଇଥିଲା ।

କେନ୍ଦ୍ରୀୟ ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ନିକଟରେ ସମସ୍ତ ରାଜ୍ୟର ମୁଖ୍ୟ ସଚିବ ଓ ପ୍ରଶାସନକୁ ଚିଠି ଲେଖି କହିଛନ୍ତି ଯେ, ନିୟମକୁ କିପରି କଡାକଡି ପାଳନ କରାଯିବ ତାହା ଭାରତ ସରକାରଙ୍କ ସମସ୍ତ ବିଭାଗ ସହ ରାଜ୍ୟ ସରକାରଙ୍କ ପ୍ରୟାସ ଉପରେ ନିର୍ଭର କରେ । ଏହି ନିୟମର ଅନୁପାଳନ ପାଇଁ ଜରୁରୀ ପଦକ୍ଷେପ ନେବା ଆବଶ୍ୟକ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.