୨୦୧୯ ନିର୍ବାଚନ: ଏଥର ନିଜ ଗୁମର ନିଜେ ଖୋଲିବେ ପ୍ରାର୍ଥୀ, ଲକ୍ଷ୍ମଣ ରେଖା ଟାଣିଲେ ନିର୍ବାଚନ କମିଶନ
12/03/2019 at 7:42 PM

ଭୁବନେଶ୍ବର୧୨|୩: ଏଥର ନିର୍ବାଚନରେ ପ୍ରାର୍ଥୀମାନଙ୍କ ପାଇଁ କାଠିକର ପାଠ ରହିଛି। ପ୍ରାର୍ଥୀ ହେବା ପୂର୍ବରୁ ସବୁ ଗୁମର ଖୋଲିବାକୁ ପଡ଼ିବ। ସବୁ ଟଙ୍କା ପଇସା କାରବାର ଜଣେବାକୁ ହେବ। ଏମିତି କିଛି ନିର୍ବାଚନୀ ଲକ୍ଷ୍ମଣରେଖା ଟାଣିଛନ୍ତି ନିର୍ବାଚନ କମିଶନ। ଆଉ ସବୁ ଦଳକୁ ଡାକି ନୂଆ ନୂଆ କଟକଣା ବାବଦରେ ଜଣେଇ ଦେଇଛନ୍ତି । ଏହାସହ ଦଳ ମାନେ ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ସେମାନଙ୍କ ଅଭିଯୋଗ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସାମ୍ନାରେ ରଖିଛନ୍ତି ।…

ପ୍ରାର୍ଥୀ ହେଲେ ନେତାଙ୍କୁ ଏଥର ନିଜ ଗୁମର ନିଜେ ଖୋଲିବାକୁ ପଡ଼ିବ। ୫ ବର୍ଷର ଆଇଟି ରିଟର୍ଣ୍ଣ ଦାଖଲ କରିବା ବାଧ୍ୟତାମୂଳକ । ପ୍ୟାନ୍ କାର୍ଡ ଦେବାକୁ ପଡ଼ିବ ।ଅପରାଧିକ ରେକର୍ଡ ଥିଲେ ନିଜ ଚରିତ୍ର ନିଜେ ଖବର କାଗଜରେ ବା ଟିଭିରେ ଜଣେଇବେ । ଥରେ ଦି ଥର ନୁହେଁ ୩ ଥର । ସୋସିଆଲ ମିଡିଆ ଆକାଉଣ୍ଟ ଜଣାଇବାକୁ ପଡିବ। ଆଉ ସୋସିଆଲ ମିଡିଆରେ ଆଡଭର୍ଟାଇଜ ଦେଲେ ତାର ବି ହିସାବ ଦେବାକୁ ହେବ। ନୂଆ ନିୟମ ଅନୁସାରେ ସବୁ ନିର୍ବାଚନ ମଣ୍ଡଳୀ ପାଇଁ ଆଷିଷ୍ଟାଣ୍ଟ ଏକ୍ସପେଣ୍ଡିଚର ଅବଜର୍ଭର ନିଯୁକ୍ତି କରାଯାଇଛି । ସେମାନେ ପ୍ରାର୍ଥିଙ୍କ ଖର୍ଚ ହିସାବର ଛାୟା ଆକାଉଣ୍ଟ ରଖିବେ ।

ପ୍ରାର୍ଥୀଙ୍କ ପାଇଁ ହୋଇଥିବା ନୂଆ କଟକଣାସବୁ ଆଜି ରାଜନୈତିକ ଦଳଗୁଡ଼ିକୁ ମୁଖ୍ୟ ନିର୍ବାଚନ ଅଧିକାରୀ ଜଣାଇଦେଇଛନ୍ତି। ନିର୍ବାଚନ ତାରିଖ ଘୋଷଣା ପରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରଥମ ସର୍ବଦଳୀୟ ବୈଠକ ଡାକିଥିଲେ । ଯେଉଁଥିରେ ଏ ବାବଦରେ ଆଲୋଚନା ହୋଇଛି।

ଏସବୁ ବାଦ୍ ରାଜନୈତିକ ଦଳ ଗୁଡିକ କେତେକ ପ୍ରସଙ୍ଗ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସାମ୍ନାରେ ରଖିଛନ୍ତି । କାହିଁକି ଏଯାଏଁ ଅଧିକାରୀ ମାନଙ୍କ ଟ୍ରାନସଫର ଅର୍ଡର ଜିଲ୍ଲାପାଳମାନେ କରୁ ନାହାଁନ୍ତି ସେନେଇ ବିଜେପି ପ୍ରଶ୍ନ ଉଠାଇଛି । ବିଜେଡିର ଅଭିଯୋଗ ମାଓ ଦମନରେ ଓଡିଶା ବହୁ ଆଗରେ ଥିବାବେଳେ କାହିଁକି ନିର୍ବାଚନ ୪ ପର୍ଯ୍ୟାୟରେ ହେଲା । କଂଗ୍ରେସର ଅଭିଯୋଗ ଯେ ପ୍ରତି ଲୋକସଭା କ୍ଷେତ୍ରରେ ୫୦ ହଜାରରୁ ଅଧିକ ନାଁ ଭୋଟର ତାଲିକାରୁ କୁଆଡେ ଗାଏବ ହେଲା । ସେହିଭଳି ମାଓ ଉପଦ୍ରବ ଅଞ୍ଚଳରେ ଗତଥର ଭଳି ଏଥର ମଧ୍ୟ ଚପର୍ ବ୍ୟବହାର କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି । ସେସବୁ ଅଞ୍ଚଳର ଭୋଟିଂ ସମୟକୁ ଅନ୍ୟସ୍ଥାନଠାରୁ ଅଲଗା କରିବାକୁ ମଧ୍ୟ ଚିନ୍ତା କରାଯାଉଛି
