ନଡ଼ିଆ ମାଡରେ ଫାଟି ଆଁ କଲା ନିବନିର୍ମିତ ରାସ୍ତା, ଦୁର୍ନୀତି ଅଭିଯୋଗ ଆଣି ରାସ୍ତାରେ ବସି ନ୍ୟାୟ ମାଗିଲେ ବିଧାୟିକା

Published By : Prameya-News7 Bureau | December 03, 2021 IST

ବିଜନୌର ୩/୧୨: ନବନିର୍ମିତ ରାସ୍ତାର ଉଦଘାଟନ କରିବାକୁ ଯାଇ ହନ୍ତସନ୍ତ ହେଲେ ବିଧାୟିକା । ନଡ଼ିଆ ବାଡେଇ ନୂଆ ରାସ୍ତାର ଶୁଭାରମ୍ଭ କରିବାକୁ ବିଧାୟିକାଙ୍କୁ ନିମନ୍ତ୍ରଣ କରାଯାଇଥିଲା। ସେ ମଧ୍ୟ ନିଜର ଦଳବଳ ନେଇ ସେଠାରେ ପହଞ୍ଚିଥିଲେ। ତାପରେ ବିଧାୟିକା ନଡ଼ିଆ ଧରି ଯେମିତି ରାସ୍ତା ଉପରେ ବାଡେଇଛନ୍ତି, ରାସ୍ତା ଫାଟି ଆଁ କଲା । ନଡ଼ିଆ ତ ଫାଠିଲାନି କିନ୍ତୁ ରାସ୍ତା ଫାଟିଗଲା। ଏହା ପରେ ବିଧାୟିକାଙ୍କୁ କିଏ ସମ୍ଭାଳେ। ସେ ରାଗରେ ଗର ଗର ହୋଇ ସେହି ରାସ୍ତା ଉପରେ ବସିପଡ଼ିଲେ ଏବଂ ଦୁର୍ନୀତି ବିରୋଧରେ ଗର୍ଜନ କଲେ । ଏଭଳି ଏକ ହାଇଡ୍ରାମା ଉତ୍ତରପ୍ରଦେଶର ବିଜନୌରରେ ତିଆରି ହେଉଥିବା ଏକ ରାସ୍ତା ଉପରେ ଦେଖିବାକୁ ମିଳିଥିଲା ।

ମିଳିଥିବା ସୂଚନା ଅନୁସାରେ, ଜଳସେଚନ ବିଭାଗ ଦ୍ବାରା ସହରରେ ୭ କି.ମି ରାସ୍ତା ନିର୍ମାଣ ହେଉଛି। ଏଥିପାଇଁ ଏକ କୋଟି ୧୬ ଲକ୍ଷ ୩୮ ହଜାର ଟଙ୍କା ବ୍ୟୟ ବରାଦ ମଧ୍ୟ ହୋଇଛି। କେବଳ ୭୦୦ ମିଟର ରାସ୍ତା କାମ ସରିବା ପରେ ବିଜନୌର ସଦର ବିଧାୟିକା ସୁଚି ଚୌଧୁରୀଙ୍କୁ ରାସ୍ତାର ଉଦଘାଟନ ପାଇଁ ନିମନ୍ତ୍ରଣ କରାଯାଇଥିଲା। ଜଳସେନ ବିଭାଗର ଅଧିକାରୀଙ୍କ ପାଖରୁ ନିମନ୍ତ୍ରଣ ପାଇ ବିଧାୟିକା ମଧ୍ୟ ଧାର୍ଯ୍ୟ ସମୟରେ ରାସ୍ତା ପାଖରେ ପହଞ୍ଚିଥିଲେ ।

ତାପରେ ହାତରେ ନଡ଼ିଆ ଟିଏ ନେଇ ସେ ଯେମିତି ରାସ୍ତା ଉପରେ ବାଡ଼େଇଛନ୍ତି ରାସ୍ତାଟି ଫାଟି ଯାଇଥିଲା । ସବୁଠୁ ଆଶ୍ଚର୍ଯ୍ୟର କଥା, ନଡ଼ିଆ ଫାଟିବା ପୂର୍ବରୁ ରାସ୍ତା ଫାଟି ଯାଇଥିଲା। ଏହା ପରେ ବିଧାୟିକା ସୁଚି ଚୌଧୁରୀ ରାଗରେ ଚିତ୍କାର କରି ଅଧିକାରୀଙ୍କ ଉପରେ ଅଭିଯୋଗ ଲଗାଇବା ଆରମ୍ଭ କରିଥିଲେ। ନିମ୍ନମାନର ରାସ୍ତା ନିର୍ମାଣ କରି ବ୍ୟୟ ବରାଦ ଟଙ୍କା ହଡ଼ପ କରିବା ପାଇଁ ଯନ୍ତ୍ରୀ, କର୍ମଚାରୀ ସବୁ ହାତ ମିଳାଇଛନ୍ତି ବୋଲି ସେ ଅଭିଯୋଗ କରିଥିଲେ।

ଏହାର ପ୍ରତିବାଦ କରି ବିଧାୟିକା ସେହି ରାସ୍ତା ଉପରେ ବସି ରହିଲେ। ରାସ୍ତାରେ ବିଧାୟିକା ବସିବା ଖବର ମିଳିବା ପରେ ଜିଲ୍ଲାପାଳ ତୁରନ୍ତ ସେଠାରେ ପହଞ୍ଚି ଏକ ଟିମ୍‌ ଗଠନ କରି ଯାଞ୍ଚ ନିର୍ଦେଶ ଦେଇଥିଲେ। ଏହା ସହ ଉନ୍ନତମାନର କାର୍ଯ୍ୟ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ସୁଚୀ ଚୌଧୁରୀ ଧାରଣାରୁ ଓହରିଥିଲେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.