ହାଇଦର ଫେରାର ନେଇ ନୂଆ ଖୁଲାସା: ବୁର୍ଲା ମେଡିକାଲରୁ ରେଫର ହୋଇନି, ଆଉଟ୍‌ଡୋର କି ଇନଡୋର୍‌ରେ ନାହିଁ ଗ୍ୟାଙ୍ଗଷ୍ଟରର ନାଁ

Published By : Prameya-News7 Bureau | April 11, 2021 IST

ଭୁବନେଶ୍ଵର/ସମ୍ବଲପୁର ୧୧।୦୪: କେନ୍ଦ୍ରାପଡାର ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ସେକ୍‌ ହାଇଦର ଫେରାର ହେବା ଘଟଣାରେ ଆସିଛି ନୂଆ ଟ୍ଵିଷ୍ଟ। ବୁର୍ଲା ଭୀମସାରରୁ କୌଣସି ହସ୍ପିଟାଲକୁ ହାଇଦରର ରେଫର ହୋଇନି। ଏପରିକି ଆଉଟ୍‌ଡୋର, ଇନଡୋର୍‌ରେ ନାହିଁ ଗ୍ୟାଙ୍ଗଷ୍ଟରର ନାଁ। କାଜୁଆଲିଟି ପେସେଣ୍ଟ ରେକର୍ଡରେ ମଧ୍ୟ ହାଇଦରର ନାଁ ନଥିବା କହିଛନ୍ତି ଭୀସାର ଅଧୀକ୍ଷକ ଲାଲମୋହନ ନାୟକ। ଅଧୀକ୍ଷକଙ୍କ ଏହି ସୂଚନା ପରେ ଏବେ ହାଇଦରର ଫେରାର ନେଇ ଅନେକ ପ୍ରଶ୍ନ ଉଠିଛି।

ଯଦି ହାଇଦର ବୁର୍ଲା ବଡ ମେଡିକାଲରୁ ରେଫର ହୋଇନଥିଲା ତେବେ କେଉଁ ଆଧାରରେ ସମ୍ବଲପୁର ଜେଲ୍‌ରୁ କଟକ ବଡ ମେଡିକାଲ ରେଫର କରାଯାଇଥିଲା। ଏମିତି ତାର କଣ ହୋଇଥିଲା ଯେ, ଭୀମସାରରେ ଚିକିତ୍ସା କରାଯାଇ ପାରିନଥିଲା। ହାଇଦର ଏସସିବି ମେଡିକାଲରେ ଚିକିତ୍ସାଧୀନ ଥିବା ବେଳେ ହସ୍ପିଟାଲର ପହରା ବ୍ୟବସ୍ଥାକୁ ଚକ୍‌ମା ଦେଇ ଫେରାର ମାରିବା ପୋଲିସର କାର୍ଯ୍ୟଶୈଳୀକୁ ନେଇ ଲୋକେ ପ୍ରଶ୍ନ ଉଠାଉଛନ୍ତି।

ଖସିଗଲା ପରେ ଏବେ ହାଇଦରର ଖୋଜା ଚାଲିଛି। ରେଲୱେ ଷ୍ଟେସନରେ ଲୋକଙ୍କୁ ହାଇଦରର ଫଟୋ ଦେଖାଇ ପଚରାଉଚରା କରୁଛି ପୋଲିସ । ହାଇଦରକୁ ଧରିବା ପାଇଁ ଓଡିଶା ପୋଲିସର ବଡ ଅପରେସନ୍ ଚଳାଇଛି। ରାଜ୍ୟର ସବୁ ଏସପିଙ୍କୁ ଆଲର୍ଟ କରାଯାଇଛି । ଆଜି ଡିଜି ଅଭୟଙ୍କ ଅଧ୍ୟକ୍ଷତାରେ ମଧ୍ୟ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଛି। ଏଥିରେ ଏଡିଜି- ଲ ଆଣ୍ଡ ଅର୍ଡର, ଆଇଜି ଇଣ୍ଟେଲିଜେନ୍ସ, ସ୍ପେଶାଲ ସ୍କ୍ୱାର୍ଡ ସାମିଲ ଥିଲେ ।

{"id":436860,"width":838,"height":480,"sizeSlug":"large","linkDestination":"none"}

ହାଇଦରକୁ ଧରିବାକୁ ରାଜ୍ୟରେ ନାକାବନ୍ଦୀ ସହିତ ସିସିଟିଭି ଫୁଟେଜ୍ ଖୋଳତାଡ଼ କରାଯାଉଛି। ସୀମା ସିଲ୍ କରିବାକୁ ସବୁ ଜିଲ୍ଲା ଏସ୍ ପି, ଏସ୍ ଟିଏଫ୍  ଏବଂ କମିଶନରେଟ୍ ପୋଲିସର ଡିସିପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏସସିବି ମେଡିକାଲର ବିଭିନ୍ନ ସିସିଟିଭିରୁ କ୍ଲୁ ଖୋଜୁଛି ପୋଲିସ । ଗତ କିଛି ଦିନ ଭିତରେ ହାଇଦରକୁ ଏସସିବି ମେଡିକାଲରେ ଭେଟିଥିବା ଲୋକଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଛି। ସେପଟେ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣାରେ ଆକ୍ସନ ଆରମ୍ଭ ହୋଇଛି । ସମ୍ବଲପୁର ଏସପି ୬ ପୋଲିସ କର୍ମଚାରୀଙ୍କୁ ସସପେଣ୍ଡ କରିଛନ୍ତି। ଏଭିତରେ ଅଛନ୍ତି ଜଣେ ହାବିଲଦାର ଏବଂ ୫ କନେଷ୍ଟବଳ ।

ହାଇଦର ଏକ ଧଳା ରଙ୍ଗର ଗାଡ଼ିରେ ଖସି ଯାଇଥିବା ଜଣାପଡିଛି।  ଏହି ସୁରାଗ ଆଧାରରେ ବିଭିନ୍ନ ସ୍ଥାନରେ ରେଡ୍ କରାଯାଉଛି। ଗତକାଲି ଭୁବନେଶ୍ବର ମଞ୍ଚେଶ୍ବରର ଏକ ସ୍ଥାନରେ ଚଢ଼ାଉ କରାଯାଇଥିଲା। ଏସବିବି ମେଡିକାଲରେ ହାଇଦରର ସୁରକ୍ଷା ଲାଗି ମୁତୟନ ଥିବା ସୁରକ୍ଷା କର୍ମୀଙ୍କୁ ଜେରା ଚାଲିଛି । SCB ମେଡିକାଲ ନର୍ସଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି । ସେପଟେ ସାଧା ପୋଷାକରେ ଜିଆରପି ଓ କମିଶନରେଟ ପୋଲିସ ସାଧାରଣ ଲୋକଙ୍କଠାରୁ ସୁରାଗ ଖୋଜୁଛି । ରାଜ୍ୟର ସବୁ ସୀମା ଏବଂ ରେଳଷ୍ଟେସନ ଉପରେ ନଜର ରଖିଛନ୍ତି ପୋଲିସର ଟିମ୍ ।

ସୂଚନାଯୋଗ୍ୟ, ହାଇଦର ଗତକାଲି ଅପରାହ୍ନରେ ହାଇଦର ଏସ୍‌ସିବି ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ହସ୍ପିଟାଲର ପହରା ବ୍ୟବସ୍ଥାକୁ ଚକ୍‌ମା ଦେଇ ଫେରାର ହୋଇଯାଇଛି। ହାଇଦରର ପହରା ଓ ସୁରକ୍ଷା ଦାୟିତ୍ଵରେ ନିୟୋଜିତ ଥିବା ସମ୍ବଲପୁର ଜେଲ୍‌ର ଗାର୍ଡଙ୍କୁ କିଛି ନିଶା ସାମଗ୍ରୀ  ଖୁଆଇ, ପିଆଇ କିମ୍ବା ସୁଙ୍ଘାଇ ସେ ଚମ୍ପଟ୍ ମାରିଥିବା କୁହାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.