ହ୍ୱାଟ୍‌ସଆପ୍‌ର ନୂଆ ପଲିସିକୁ ବିରୋଧ, କମ୍ପାନୀ ନେଲା ଏପରି ନିଷ୍ପତ୍ତି

Published By : Prameya-News7 Bureau | January 16, 2021 IST

ନୂଆଦିଲ୍ଲୀ, ୧୬/୦୧: ଲୋକପ୍ରିୟ ସୋଶିଆଲ୍ ମିଡିଆ ଆପ୍ ହ୍ୱାଟ୍ସ୍ ଆପ୍ର ନୂଆ ପଲିସିକୁ ନେଇ ଜନ ଅସନ୍ତୋଷ ଦେଖାଦେଇଥିଲା। ଲୋକଙ୍କ ବିରୋଧ ଦେଖି ଫେସ୍ବୁକ୍ର ମାଲିକାନାରେ ଥିବା ଏହି ଆପ୍‌ର ନୂଆ ପ୍ରାଇଭେସି ପଲିସିକୁ କମ୍ପାନୀ ତିନି ମାସ ପାଇଁ ସ୍ଥଗିତ ରଖିଛି । କମ୍ପାନୀ ଏ ନେଇ କହିଛି ଯେ ଏହି ପଲିସିକୁ ନେଇ ବ୍ୟବହାରକାରୀଙ୍କ ମଧ୍ୟରେ ଭ୍ରମ ସୃଷ୍ଟି ହୋଇଛି । ତେଣୁ ଏହି ତିନି ମାସ ମଧ୍ୟରେ ସେମାନେ ନୂଆ ପଲିସିକୁ ବୁଝିବା ସହିତ ଏହାର ସମୀକ୍ଷା କରିବାକୁ ଅଧିକ ସମୟ ପାଇବେ ।

ହ୍ୱାଟ୍ସ ଆପ୍ ପକ୍ଷରୁ ଆହୁରି କୁହାଯାଇଛି ଯେ ଲୋକଙ୍କ ମଧ୍ୟରେ ଭୁଲ୍ ପ୍ରଚାର କାରଣରୁ ପ୍ରାଇଭେସି ପଲିସିକୁ ଏବେ ଅପଡେଟ୍ କରାଯିବ ନାହିଁ । ଏହାକୁ ଆଧାରକରି କାହାର ଆକାଉଣ୍ଟକୁ ହଟାଇବାର ଯୋଜନା ମଧ୍ୟ କରାଯାଉ ନାହିଁ କି ଭବିଷ୍ୟତରେ ଏପରି ହେବ ନାହିଁ । ଫେବୃଆରୀ ୮ ତାରିଖକୁ କାହାକୁ ଆକାଉଣ୍ଟ ଡିଲେଟ୍ ବା ସସ୍ପେଣ୍ଡ କରିବାକୁ ପଡ଼ିବ ନାହିଁ । ହ୍ୱାଟ୍‌ସଆପ୍‌ର ଏହି ପଲିସି କିପରି କାମ କରେ ତା ବାବଦରେ ସୂଚନା ଦେବା ପାଇଁ କମ୍ପାନୀ ପ୍ରସ୍ତୁତି କରୁଛି । ୧୫ ମେ ରେ ନୂଆ ଅପଡେଟ୍ ଅପ୍ସନ ଉପଲବ୍ଧ ହେବା ପୂର୍ବରୁ କମ୍ପାନୀ ଲୋକଙ୍କ ଭ୍ରମ ଦୂର କରିପାରିବ ବୋଲି ହ୍ୱାଟ୍ସ ଆପ୍ ଏକ ବୟାନ ଜାରି କରି କହିଛି ।

ଏହା ପୂର୍ବରୁ କୁହାଯାଇଥିଲା ଯେ ହ୍ୱାଟ୍‌ସଆପ୍ ୨୦୨୧, ଫେବୃଆରୀ ୮ ତାରିଖକୁ ଏହାର ଟର୍ମ ଏବଂ କଣ୍ଡିସନ୍ କୁ ପରିବର୍ତ୍ତନ କରିବାକୁ ଯାଉଛି । ଯଦି ବ୍ୟବହାରକାରୀ ଏଥିରେ ରାଜି ନହୁଅନ୍ତି ତେବେ ସେମାନେ ହ୍ୱାଟ୍ସ ଆପ୍କୁ ବ୍ୟବହାର କରିପାରିବେ ନାହିଁ । ତେବେ ଅନେକ ବ୍ୟବହାରକାରୀ ନୂଆ ପଲିସିକୁ ରୋକ ଲଗାଇବା ପାଇଁ ସୋସିଆଲ ମିଡିଆରେ ଅଭିଯୋଗ କରୁଥିବା ଦେଖିବାକୁ ମିଳିଥିଲା । ଏହାକୁ କେନ୍ଦ୍ର ସରକାର ସମୀକ୍ଷା କରୁଥିଲେ । ଏବେ ହ୍ବାଟସଆପ୍‌ ଜାରି କରିଥିବା ନୂଆ ପଲିସିରେ ବ୍ୟବହାରକାରୀଙ୍କ ଡାଟା ଫେସବୁକ୍‌ର ଅନ୍ୟ ଉତ୍ପାଦ ଏବଂ ସେବା ସହିତ ଯୋଡା ହେବ ବେଲି କୁହାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.