ଶ୍ରୀମନ୍ଦିର ଦ୍ୱାର ହେବ ରୂପା ଛାଉଣୀ :ଚାନ୍ଦିରେ ଝଲସିବ ଅଷ୍ଟ ଦ୍ୱାର , ପ୍ରତିଟିରେ ଲାଗିବ କ୍ୱିଣ୍ଟାଲ ଲେଖାଏଁ ରୂପା

Published By : Prameya-News7 Bureau | August 27, 2020 IST

ପୁରୀ ୨୭।୦୮: ଶ୍ରୀମନ୍ଦିର ସିଂହଦ୍ୱାର, ଜୟବିଜୟ, କଳାହାଟ ଦ୍ୱାର, ଭିତର ଆଉ ବାହାର ରତ୍ନଭଣ୍ଡାର ଦ୍ୱାର, ଉତ୍ତର ଦ୍ୱାର, ଦକ୍ଷିଣ ଦ୍ୱାର, ପଶ୍ଚିମ ଦ୍ୱାର ନୂତନ କରି ନିର୍ମାଣ ହେବ । ଏହି ସବୁ ଦ୍ୱାର ବର୍ମା ଟିକ୍‌ କାଠରେ ନିର୍ମାଣ ହେବ। ଏହା ଦୀର୍ଘସ୍ଥାୟୀ ହେବ । ସମସ୍ତ ଦ୍ୱାରରେ ରୁପା ଚାଦର ଦିଆଯିବ । ଚାଦର ମୋଟେଇ ୧୪ରୁ ୧୮ ଗଜ୍‌ ରହିବ । ଏହି ହିସାବକୁ ବିଚାର କଲେ ପ୍ରତ୍ୟେକ ଦ୍ୱାରରେ ପାଖାପାଖି ଏକ କୁଇଣ୍ଟାଲ ରୁପା ଲାଗିବ । ଏହି ସବୁ ଦ୍ୱାରରେ ଲାଗିବାକୁ ଥିବା ରୁପାକୁ ଜଣେ ଦାତା ଦେବାକୁ ସହମତି ପ୍ରଦାନ କରିଛନ୍ତି । ଶ୍ରୀମନ୍ଦିର ରୁପା ତଥା ଅର୍ଥ ଏହି ସବୁ ଦ୍ୱାର ନିର୍ମାଣରେ ଲାଗିବ ନାହିଁ ବୋଲି ଖବର ମିଳିଛି ।

ରାଜସ୍ଥାନର ଜୟପୁର କାରିଗରମାନେ ଏହି ସବୁ ଦ୍ୱାରର ଡିଜାଇନ କରିବେ। ଉକ୍ତ ଡିଜାଇନ ଉପରେ ପ୍ରାରମ୍ଭିକ ପ୍ରାଶାସନିକ ଆଲୋଚନା ପରେ ବିଚାର ବିମର୍ଶ ଚାଲିଛି। ଦ୍ୱାରନିର୍ମାଣର ରୂପରେଖ ଚୂଡ଼ାନ୍ତ ହେବା ବେଳକୁ ସାତ ଆଠ ଦିନ ଲାଗିଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି । ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ପରିଚାଳନା କମିଟିର ଉପମୁଖ୍ୟ ପ୍ରଶାସକ ବଲୱନ୍ତ ସିଂ ଶ୍ରୀମନ୍ଦିରର ଏହି ସବୁ ଦ୍ୱାରଗୁଡ଼ିକ ନୂତନ ନିର୍ମାଣର ମୁଖ୍ୟ ତତ୍ତ୍ୱାବଧାରକ ରହିଛନ୍ତି ।

ସୂଚନା ମୁତାବକ, ପ୍ରଥମେ ଗର୍ଭଗୃହ ସଂଲଗ୍ନ କଳାହାଟ ଦ୍ୱାର, ଜଗମୋହନ ସଂଲଗ୍ନ ଜୟବିଜୟ ଦ୍ୱାର ଆଉ ମୁକ୍ତି ମଣ୍ଡପ ସାମନା ବେହରଣ ଦ୍ୱାର ନୂତନ କରି ନିର୍ମାଣ କରାଯିବା ସହ ରୁପା ଚାଦର ପଡ଼ିବ । ପରେ ଶ୍ରୀମନ୍ଦିର ସିଂହଦ୍ୱାର, ଦକ୍ଷିଣ ଦ୍ୱାର, ଉତ୍ତର ଦ୍ୱାର, ପଶ୍ଚିମ ଦ୍ୱାର ପୁନଃ ନିର୍ମାଣ ଏବଂ ରୁପା ଚାଦର ବିଛାଇବା କାମ ହାତକୁ ନିଆଯିବ । ଶେଷରେ ଭିତର ଏବଂ ବାହାର ରତ୍ନଭଣ୍ଡାର ମୁଖ୍ୟ ଦ୍ୱାର ପୁନଃନିର୍ମାଣ ଏବଂ ରୁପା ଚାଦର ଦିଆଯିବାକୁ କାର୍ଯ୍ୟଖସଡ଼ା ପ୍ରସ୍ତୁତ ହୋଇଛି । ଗୋଟିଏ ଗୋଟିଏ କବାଟର ଉଚ୍ଚତା ୧୪ ଫୁଟ ହୋଇଥିବା ବେଳେ ଦୁଇ ଫାଳର ଚଉଡ଼ା ୯ଫୁଟ ।

ଉଲ୍ଲେଖନୀୟ, ମହାପ୍ରଭୁଙ୍କ ନବକବେଳବର ପୂର୍ବରୁ ସିଂହଦ୍ୱାର, କଳାହାଟ ଦ୍ୱାର ଶାଳ କାଠରେ ନିର୍ମାଣ କରାଯାଇ ପିତ୍ତଳ ଚାଦର ପଡ଼ିଥିଲା । ମହାପ୍ରଭୁଙ୍କ ଏହି ଦୁଇ ଦ୍ୱାର ପିତ୍ତଳ ଚାଦର ବଦଳରେ ରୁପା ଚାଦର ଲାଗିବ । ଏହି ପରିକଳ୍ପନା ସଫଳ ହେଲେ ଆଉ ଶହେ ବର୍ଷ ପର୍ଯ୍ୟନ୍ତ ଶ୍ରୀମନ୍ଦିର ଏହି ଦ୍ୱାରଗୁଡ଼ିକର ଆଉ ମରାମତି ଆବଶ୍ୟକ ହେବ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.