Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବର ୭୨କୁ କନ୍ୟା ୩୬, ବିଜ୍ଞାପନ ପରେ ବସିଲା ନୂଆ ଦୁନିଆ…

13/08/2020 at 8:02 AM

କୋଲକାତା ୧୩।୦୮: ୩୬ ବର୍ଷିୟା କନ୍ୟାଙ୍କୁ ବିବାହ କଲେ ଜଣେ ୭୨ ବର୍ଷିୟ ବୃଦ୍ଧ । ସମ୍ପର୍କ ଭଲ ପାଇବାରୁ ସୃଷ୍ଟି ହଁ, ବରଂ ବିବଶତା ଯୋଡ଼ିଲା । ଲକ୍‌ଡାଉନ୍‌ ଯନ୍ତ୍ରଣା ସହ ଏକାକୀ ଜୀବନରେ ଅତିଷ୍ଠ ହୋଇ ବିବାହ କରିବାକୁ ନିଷ୍ପତ୍ତି ନେଲେ ଜଣେ ଅବସରପ୍ରାପ୍ତ କଲେଜ ଅଧ୍ୟାପକ । ଏନେଇ ଖବରକାଗଜରେ ବିଜ୍ଞାପନ ଦେଇଥିଲେ । ପରେ ତାଙ୍କୁ ତାଙ୍କ ନୂଆ ଜୀବନ ସାଥୀ ମିଳିଲା ।

ଶ୍ରରାମପୁର ବଡ଼ବାଗାନ ବାସିନ୍ଦା ସମରେନ୍ଦ୍ର ନାଥ ଘୋଷ(୭୨) ବିଧାନଚନ୍ଦ୍ର କଲେଜରେ ବଙ୍ଗଳା ଭାଷାର ଅଧ୍ୟାପକ ଥିଲେ । ୨୨ ବର୍ଷ ଚାକିରି ପରେ ୨୦୦୮ରେ ଅବସର ନେଇଥିଲେ । ଏହାପରେ ମଧ୍ୟ ସେ ବିଭିନ୍ନ ଶିକ୍ଷାନୁଷ୍ଠାନ ସହ ଜଡ଼ିତ ଅଛନ୍ତି । ବର୍ତ୍ତମାନ ପୂର୍ବ ବର୍ଦ୍ଧମାନର ଏକ ଘରୋଇ କଲେଜ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି । ଅନେକ ବର୍ଷ ତଳେ ପତ୍ନୀଙ୍କ ମୃତ୍ୟୁ ହୋଇଥିଲା । ଝିଅ ମଧ୍ୟ ବିଦେଶରେ ରହୁଛନ୍ତି । ଫଳରେ ସମରେନ୍ଦ୍ର ବର୍ତ୍ତମାନ ସମ୍ପୂର୍ଣ୍ଣ ଏକାକୀ ଜୀବନଯାପନ କରୁଛନ୍ତି । ଏହାରି ଭିତରେ ଆରମ୍ଭ ହୋଇଗଲା ଲକ୍‌ଡାଉନ୍‌, ସଟ୍‌ଡାଉନ୍‌ ପ୍ରକ୍ରିୟା । କର୍ମକ୍ଷେତ୍ରକୁ ଯିବା ପ୍ରାୟ ବନ୍ଦ ହୋଇଗଲା । ଏକାକୀ ଘରେ ରହିବା କଷ୍ଟଦାୟକ ହୋଇଗଲା । ଏଥିସହ ଖାଇବାପିଇବାରେ ମଧ୍ୟ ଅସୁବିଧା ହେଲା । ଯାହାକୁ ନେଇ ସେ ପୁଣି ଥରେ ବିବାହ ପାଇଁ ଚିନ୍ତା କଲେ ।

ଏନେଇ ଖବରକାଗଜରେ ବିଜ୍ଞାପନ ଦେଲେ । ପରେ ଇଷିଡ଼ାର ୩୬ ବର୍ଷିୟ ଇରା ରାୟଙ୍କ ସହ ତାଙ୍କର ଯୋଗାଯୋଗ ହେଲା । ଇରାଙ୍କ ବାପାଙ୍କ ଅନେକ ବର୍ଷ ତଳେ ଦେହାନ୍ତ ହୋଇଯାଇଛି । ପ୍ରଥମେ ସେ ଏହି ବିବାହରେ ଅରାଜି ଥିଲେ । ପରେ ପରିବାର ଚାପରେ ସେ ବିବାହ ପାଇଁ ରାଜି ହୋଇଥିବା ବେଳେ, ଏବେ ବିବାହକୁ ନେଇ ଖୁସି ଥିବା ଇରା କହିଛନ୍ତି । ଗତ ୨୭ ତାରିଖ ଆଇନ୍‌ ଅନୁସାରେ ଉଭୟ ବିବାହ କରିଥିଲେ । ସୋମବାର ପୁଣି ବୈଦିକ ରୀତିରେ ଉଭୟ ବିବାହ କରିଛନ୍ତି। ତେବେ ସମରେନ୍ଦ୍ରଙ୍କୁ ଏହି ବିବାହ ପରେ ବିଭିନ୍ନ ମହଲରୁ ବିଭିନ୍ନ କଟୁକଥା ଶୁଣିବାକୁ ମିଳିଛି । ହେଲେ ଉଭୟ ଏସବୁକୁ ନଜର ନଦେଇ ନୂଆ ଜୀବନ ଆରମ୍ଭ କରିଛନ୍ତି ବୋଲି କହିଛନ୍ତି ।

   Related Posts