ମିଆଁମାର ଉପକୂଳରେ ସୃଷ୍ଟି ହୋଇଛି ଲଘୁଚାପ, ଓଡିଶା ଉପରେ କ'ଣ ରହିବ ପ୍ରଭାବ ?

Published By : Prameya-News7 Bureau | November 01, 2020 IST

ଭୁବନେଶ୍ୱର,୦୧/୧୧: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରର ମିଆଁମାର ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ବାଂଲାଦେଶ ମୁହାଁଇବ। ଓଡ଼ିଶା ଉପରେ ଏହାର ପ୍ରଭାବ ରହିବ ନାହିଁ । ଏହା ପରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଅଛି। ତାହା ମଧ୍ୟ ମିଆଁମାର କିମ୍ବା ସଂଲଗ୍ନ ବାଂଲାଦେଶକୁ ମୁହାଁଇପାରେ । ଓଡ଼ିଶା ଉପରେ ଏହାର ପ୍ରଭାବ ପଡ଼ିବ ସମ୍ଭାବନା କମ୍‌ । ଆସନ୍ତା ଦୁଇ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ଏଭଳି ପୂର୍ବାନୁମାନ କରିଛନ୍ତି କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ ।

ଡକ୍ଟର ପଶୁପାଳକ କହିଛନ୍ତି, ବର୍ତ୍ତମାନ ସୃଷ୍ଟି ହୋଇଥିବା ଲଘୁଚାପ ଓଡ଼ିଶାରେ କିଛି ବର୍ଷା କରାଇବ ନାହିଁ। ରବିବାର ଏହା ବାଂଲାଦେଶ ଉପକୂଳ ଛୁଇଁପାରେ। ପ୍ରଶାନ୍ତ ମହାସାଗରରେ ଆଉ ଏକ ମହାବାତ୍ୟା ରହିଛି। ଯାହାକି କ୍ୟାଟାଗୋରି-୫। ଏଥିରେ ପବନର ଗତି ଘଣ୍ଟା ପ୍ରତି ୨୧୫ କିମି ଓ ପବନର ଧକ୍କା ୨୬୫ କିମି । ଚଳିତବର୍ଷ ଏହା ବିଶ୍ୱର ସବୁଠୁ ଶକ୍ତିିଶାଳୀ ବାତ୍ୟା। ରବିବାର ମଧ୍ୟାହ୍ନ ବେଳକୁ ଏହି ମହାବାତ୍ୟା ଫିଲିପାଇନ୍ସ ଅତିକ୍ରମ କରି ୪ ତାରିଖ ରାତି କିମ୍ବା ୫ ତାରିଖ ଭୋର ସମୟରେ ଭିଏତନାମ ସ୍ଥଳଭାଗ ଛୁଇଁବ। ଏହାର ଅବଶିଷ୍ଟାଂଶ ପ୍ରଭାବରେ ଆସନ୍ତା ୮ ତାରିଖରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସମ୍ଭାବନା ଅଛି। ଯାହାକି ୯ ତାରିଖରେ ଲଘୁଚାପ ରୂପ ନେଇପାରେ। ଏହା ପ୍ରଥମେ ଉତ୍ତର-ପଶ୍ଚିମରେ ଗତି କରିବ । ପରେ ଦିଗ ବଦଳାଇ ମିଆଁମାର ଉତ୍ତର ଉପକୂଳ ଓ ସଂଲଗ୍ନ ବାଂଲାଦେଶକୁ ମୁହାଁଇବା ସମ୍ଭାବନା ଥିବା ପ୍ରାଥମିକ ଆକଳନରୁ ଜଣାପଡ଼ୁଛି। ଓଡ଼ିଶାରେ ଏହାର ପ୍ରଭାବ ସମ୍ଭାବନା କମ୍‌ । ଏ ବାବଦରେ ଆସନ୍ତା ୪ ତାରିଖବେଳକୁ ଅଧିକ ସୂଚନା ମିଳିପାରିବ।

ଆଜି ଠାରୁ ୩ ତାରିଖ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରା ପ୍ରାୟତଃ ଅପରିବର୍ତ୍ତିତ ରହିବ। ୪ ତାରିଖବେଳକୁ ପୁଣି ରାତି ତାପମାତ୍ରା କମିବ । ଫଳରେ ଥଣ୍ଡା ବଢ଼ିବ ।

ଶନିବାର ସୋନପୁରରେ ସର୍ବନିମ୍ନ ତାପମାତ୍ରା ୧୩.୪ ଡିଗ୍ରୀ ସେଲସିୟସ୍‌, କୋରାପୁଟ ୧୪ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ଫୁଲବାଣୀ ୧୫, ଅନୁଗୁଳ ୧୫ ଡିଗ୍ରୀ ଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.