ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ପାଇଁ ଋଷରୁ ଆସିଲା ନୂଆ ହେଲିକେପ୍ଟର୍: ଘଣ୍ଟାକୁ ଭଡା ୫ ଲକ୍ଷ ଟଙ୍କା

Published By : Prameya-News7 Bureau | April 20, 2021 IST

ଶିମଲା ୨୦/୦୪ : ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଆସନ୍ତା ମାସରୁ ନୂଆ ହେଲିକେପ୍ଟରରେ ଯାତ୍ରା କରିବେ। ମେ' ମାସରେ ରାଜ୍ୟ ସରକାରଙ୍କୁ ନୂଆ ହେଲିକେପ୍ଟର ମିଳିବ। ମୁଖ୍ୟମନ୍ତ୍ରୀଙ୍କ ନୂଆ ହେଲିକେପ୍ଟର ଋଷରୁ ଆସିଛି। ହେଲିକେପ୍ଟରରେ ଦିଲ୍ଲୀରେ ପହଞ୍ଚିଛି। ସେଠାରେ ତାର ଟେଷ୍ଟ ଡ୍ରାଇଭ ହେବ। ଡ଼ିଜିସିଏର କ୍ଲିୟରାନ୍ସ ପରେ ମୁଖ୍ୟମନ୍ତ୍ରୀ ଏହି ହେଲିକେପ୍ଟର ବ୍ୟବହାର କରିବେ। କମ୍ପାନୀକୁ ହେଲିକେପ୍ଟର ଉଡାଣ ପାଇଁ ଘଣ୍ଟା ପ୍ରତି ୫.୧ ଲକ୍ଷ ଟଙ୍କା ଦିଆଯିବ। ଏହାକୁ ନେଇ କଂଗ୍ରେସ ପ୍ରଶ୍ନ କରିବା ଆରମ୍ଭ କରିଦେଲାଣି।

ସୂଚନା ଅନୁସାରେ, ବର୍ତ୍ତମାନ ରାଜ୍ୟ ସରକାରଙ୍କ ପାଖରେ ଭଡା ହେଲିକେପ୍ଟର ଅଛି। ଏଥିପାତି ସରକାର ଘଣ୍ଟା ପ୍ରତି ୨ ଲକ୍ଷ ଟଙ୍କା ଭଡା ଦେଉଛନ୍ତି। ସ୍କାଏ ୱାନ୍ କମ୍ପାନୀର ଏହି ହେଲିକେପ୍ଟର ୨୪ ସିଟର୍। ବର୍ତ୍ତମାନ ରାଜ୍ୟ ସରକାର ବ୍ୟବହାର କରୁଥିବା ହେଲିକେପ୍ଟର ୬ ସିଟର୍ ବିଶିଷ୍ଟ। ସେଥିପାଇଁ ନୂଆ ହେଲିକେପ୍ଟର ଭଡା ଅଧିକ। ମାମଲାକୁ ନେଇ କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ କୁଲଦୀପ ସିଂହ ରାଠୋର ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ହିମାଚଳ ପ୍ରଦେଶ ଋଣରେ ବୁଡି ରହିଛି, ଏଠାରେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କ ଅଏସ ଆରାମରେ ବୁଡି ରହିଛନ୍ତି। ସରକାରଙ୍କ ଅଯଥା ଖର୍ଚ୍ଚ ପାଇଁ ରାଜ୍ୟ ବରବାଦ ହେବାକୁ ବସିଲାଣି।

ନୂଆ ହେଲିକେପ୍ଟର ୫ ବର୍ଷ ପାଇଁ ହିମାଚଳ ସରକାରଙ୍କ ସେବା ପାଇଁ ଲିଜରେ ନିଆଯିବ। ଏଥିପାଇଁ ଚୁକ୍ତି ସାକ୍ଷର ହୋଇଛି। ଏହା ପୂର୍ବରୁ ପବନ ହଂସ କମ୍ପାନୀର ହେଲିକେପ୍ଟର ଲିଜରେ ନିଆଯାଇଥିଲା। ଡ଼ିଜିସିଏର ଟେଷ୍ଟ ଡ୍ରାଇଭ ପରେ ଗ୍ରୀନ ସିଗ୍ନାଲ ମିଳିବା ପରେ ହେଲିକେପ୍ଟର ରାଜ୍ୟ ସରକାରଙ୍କ ସେବା ପାଇଁ ଉପଲବ୍ଧ ହେବ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ଏହା ବ୍ୟବହାର କରାଯିବ ଏବଂ ଶୀତ ଋତୁରେ ତୁଷାରପାତ ଅଞ୍ଚଳରେ ଲୋକଙ୍କ ସେବା ପାଇଁ ମଧ୍ୟ ବ୍ୟବହୃତ ହେବ। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏହି ହେଲକେପ୍ଟର ବ୍ୟବହାର କରାଯିବ।

ମୁଖ୍ୟମନ୍ତ୍ରୀଙ୍କ ପାଇଁ ନୂଆ ହେଲିକେପ୍ଟର ଆଣିଥିବା ଯୋଗୁଁ ବର୍ତ୍ତମାନ ଲୋକେ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସୋସିଆଲ ମିଡ଼ିଆରେ ଲୋକେ ନାନା ପ୍ରଶ୍ନ କରୁଛନ୍ତି। ବର୍ତ୍ତମାନ ରାଜ୍ୟର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନାହିଁ। ଏହିଭଳି ସମୟରେ ଏତେ ଟଙ୍କା ଖର୍ଚ୍ଚ କରି ହେଲିକେପ୍ଟର ସେବା ନେବା ଲୋକଙ୍କର ହଜମ ହେଉନାହିଁ। ଏହା ପୂର୍ବରୁ ସରକାରଙ୍କ ଦ୍ୱାରା ମହଙ୍ଗା ଗାଡି ମଧ୍ୟ କିଣାଯାଇଥିଲା। ତାକୁ ନେଇ ମଧ୍ୟ ବିବାଦ ଉପୁଜିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.