କରୋନାର ନୂଆ ଲକ୍ଷଣ 'ହାପ୍ପି-ହାଇପୋକ୍ସିଆ': ଯୁବଗୋଷ୍ଠୀଙ୍କ ପାଇଁ ବେଶୀ ବିପଦ, ହଠାତ ଖସିଯାଉଛି ଅକ୍ସିଜେନ୍ ସ୍ତର

Published By : Prameya-News7 Bureau | May 11, 2021 IST

ନୂଆଦିଲ୍ଲୀ,୧୧/୦୫:  ଭାରତରେ କରୋନାର ସଂକ୍ରମଣ ସଙ୍ଗୀନ ରହିଛି। ଭାଇରସର ନୂଆ ଷ୍ଟ୍ରେନ୍ ବି ଚିହ୍ନଟ ହେଲେଣି । ଏହା ମଧ୍ୟରେ ନୂଆ ନୂଆ ଲକ୍ଷଣ ସାମ୍ନାକୁ ଆସୁଛି। ପୂର୍ବରୁ ଥଣ୍ଡା, ଜ୍ୱର, କାଶ, ଝାଡ଼ା, ବିଚଳିତ ଲାଗିବା, କୌଣସି ସ୍ୱାଦ ବାରି ନ ହେବା, ଶ୍ୱାସକ୍ରିୟାରେ ସମସ୍ୟା ପ୍ରଭୃତିକୁ କରୋନାର ଲକ୍ଷଣ ଭାବେ ଗ୍ରହଣ କରାଯାଉଥିଲା । ଏବେ ହାପ୍ପି-ହାଇପୋକ୍ସିଆ ଭଳି ନୂଆ ଲକ୍ଷଣ ବିଶେଷଜ୍ଞମାନଙ୍କୁ ଚକିତ କରୁଛି ।

ଭାରତରେ କରୋନାର ଦ୍ୱିତୀୟ ଲହରି ମଧ୍ୟରେ ସଂକ୍ରମିତ ହୋଇଥିବା ଯୁବଗୋଷ୍ଠୀର ଅଧିକାଂଶ ଏହାଦ୍ୱାରା ପୀଡ଼ିତ ହୋଇଥିବା ବିଶେଷଜ୍ଞମାନେ କହୁଛନ୍ତି । ହାପ୍ପି ହାଇପୋକ୍ସିଆ ହେବା ଫଳରେ କୌଣସି ଲକ୍ଷଣ ଦେଖାଯାଉନଥିଲେ ମଧ୍ୟ କୋଭିଡ୍‌ ସଂକ୍ରମିତ ରୋଗୀଙ୍କ ଶରୀରରେ ଅକ୍ସିଜେନ୍‌ର ସ୍ତର ଅଚାନକ ୫୦% ପର୍ଯ୍ୟନ୍ତ ପହଞ୍ଚିଯାଇଥାଏ । ଏହା ଜଣାପଡ଼ିବା ବେଳକୁ ବହୁତ ବିଳମ୍ବ ହୋଇଯାଏ । ତେଣୁ ଦୁଇଦିନ ପୂର୍ବରୁ ଠିକ୍‌ ଦେଖାଯାଉଥିବା ରୋଗୀ ସିଧା ଭେଣ୍ଟିଲେଟରରେ ପହଞ୍ଚିଯାଇଥାଏ । ଯୁବଗୋଷ୍ଠୀଙ୍କ ପାଇଁ କରୋନା ଘାତକ ହେବାର ଏହା ଅନ୍ୟତମ ପ୍ରମୁଖ କାରଣ ।

ଏ ସଂପର୍କରେ ଭୋପାଳର ଜଣେ ହେମାଟୋଲୋଜିଷ୍ଟ ଡାକ୍ତର ବିକେ ଭରଦ୍ୱାଜ କହିଛନ୍ତି, ‘ହାଇପୋକ୍ସିଆର ଅର୍ଥ ରକ୍ତରେ ଅକ୍ସିଜେନ୍‌ର ସ୍ତର ବହୁ ପରିମାଣରେ କମିଯିବା । ଜଣେ ସୁସ୍ଥ ବ୍ୟକ୍ତିଙ୍କ ଶରୀରରେ ଅକ୍ସିଜେନ୍‌ର ସ୍ତର ୯୫% ବା ତା’ଠାରୁ ଅଧିକ ହୋଇଥାଏ । କିନ୍ତୁ କରୋନା ରୋଗୀଙ୍କର ଅକ୍ସିଜେନ୍‌ ସାଚ୍ୟୁରେସନ୍‌ କମି ୫୦% ଯାଏ ପହଞ୍ଚି ଯାଉଛି । ଅଧିକାଂଶ କ୍ଷେତ୍ରରେ ସଂକ୍ରମଣ ହେଲେ କରୋନା ରୋଗୀଙ୍କ ଶରୀର ଫୁଲିଯାଇଥାଏ । ଫଳରେ ସେଲ୍ୟୁଲାର ପ୍ରୋଟିନ୍‌ ରିଆକ୍ସନ୍‌ ତ୍ୱରାନ୍ୱିତ ହୋଇଥାଏ । ଏଥିଯୋଗୁ ରକ୍ତଜମାଟ ହେବା ଆରମ୍ଭ କରେ । ଏହାହିଁ ହାପ୍ପି ହାଇପୋକ୍ସିଆର ପ୍ରମୁଖ କାରଣ । ରକ୍ତଜମାଟ ବାନ୍ଧିବା ଯୋଗୁ ଫୁସଫୁସ୍‌କୁ ଅକ୍ସିଜେନ୍‌ ଯୋଗାଣ ଠିକ୍‌ ଭାବେ ହୋଇପାରେନାହିଁ ଓ ରକ୍ତରେ ଅକ୍ସିଜେନ୍‌ର ସାଚ୍ୟୁରେସନ୍‌ କମିଯାଏ । ଫଳରେ କିଡ୍‌ନି, ମସ୍ତିଷ୍କ, ହୃଦୟ ଓ ଶରୀରର ଅନ୍ୟ ପ୍ରମୁଖ ଅଙ୍ଗ କାମ କରିବା ବନ୍ଦ କରିପାରେ । ତେଣୁ ରୋଗୀଙ୍କର ଜୀବନହାନି ହେବାଭଳି ସ୍ଥିତି ଉତ୍ପନ୍ନ ହୁଏ । ଏଠାରେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏଭଳି ରୋଗୀଙ୍କ ନିକଟରେ ପ୍ରାଥମିକ ଭାବେ କୌଣସି ପ୍ରକାର ଲକ୍ଷଣ ଦେଖାଯାଏ ନାହିଁ । ସେ ବାହାରକୁ ଠିକ୍‌ ଓ ଖୁସି(ହାପ୍ପି) ଜଣାପଡ଼ନ୍ତି ।

ଯୁବଗୋଷ୍ଠୀଙ୍କ ନିକଟରେ ଏହି ସମସ୍ୟା ଦେଖାଯିବାର ଦୁଇପ୍ରକାର କାରଣ ରହିଛି । ସେମାନଙ୍କର ରୋଗ ପ୍ରତିରୋଧକ କ୍ଷମତା ଓ ସହନଶକ୍ତି ଅନ୍ୟମାନଙ୍କ ତୁଳନାରେ ଅଧିକ ଥାଏ । ବୟସ ଅଧିକ ହୋଇଥିଲେ ଅକ୍ସିଜେନ୍‌ ସାଚ୍ୟୁରେସନ୍‌ ୯୪%ରୁ ୯୦% ହୋଇଗଲେ ତୁରନ୍ତ ଜଣାପଡ଼େ । କିନ୍ତୁ ତା’ର ଓଲଟା ଭାବେ ଯୁବଗୋଷ୍ଠୀ ନିକଟରେ ଅକ୍ସିଜେନ୍‌ ସାଚ୍ୟୁରେସନ୍‌ ୮୦% ହୋଇଗଲେ ବି ଜଣାପଡ଼େ ନାହିଁ । ସେମାନେ କିଛି ପରିମାଣରେ ହାଇପୋକ୍ସିଆକୁ ସହ୍ୟ କରିଯାନ୍ତି ।
ଏଭଳି କ୍ଷେତ୍ରରେ ଯେଉଁ କରୋନା ରୋଗୀଙ୍କ ନିକଟରେ କୌଣସି ଲକ୍ଷଣ ନାହିଁ ବା ଯେଉଁମାନଙ୍କର ସାମାନ୍ୟ ଲକ୍ଷଣ ରହିଛି ସେମାନେ ହାପ୍ପି ହାଇପୋକ୍ସିଆ ସଂପର୍କରେ ଜାଣିବାପାଇଁ ନିଜ ପାଖରେ ଅକ୍ସିମିଟର ରଖି ସେଥିରେ ବାରମ୍ବାର ଅକ୍ସିଜେନ୍‌ର ସ୍ତର ମାପିବା ଉଚିତ୍‌ । ହାପ୍ପି ହାଇପୋକ୍ସିଆ ହେଲେ ଓଠର ରଙ୍ଗ ପରିବର୍ତ୍ତନ ହୋଇଥାଏ । ତାହା ଇଷତ୍‌ ନୀଳ ଦେଖାଯାଏ । ତ୍ୱଚା ଲାଲ/ବାଇଗଣୀ ରଙ୍ଗ ଧାରଣ କରେ । ଗରମ ହେଉ ନଥିଲେ କିମ୍ବା କୌଣସି ପ୍ରକାର ପରିଶ୍ରମ କରିନଥିଲେ ସୁଦ୍ଧା ଶରୀରରୁ ଝାଳ ବାହାରିଥାଏ । ଏହା ଶରୀରରେ ଅକ୍ସିଜେନ୍‌ କମୁଥିବାର ଲକ୍ଷଣ । ଏପରି ଲକ୍ଷଣ ଦେଖାଗଲେ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି ହେବା ଉଚିତ୍‌ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.