ବାହା ରୋଷଣୀ ଓ ଶୋଭାଯାତ୍ରାକୁ ମିଳିଲା ଅନୁମତି, ବାଣ-ବାଜା-ରୋଷଣୀ କରି କନ୍ୟା ଘରକୁ ଯାଇପାରିବ ବର
13/01/2021 at 7:36 AM

ଭୁବନେଶ୍ୱର ୧୩।୦୧: ବିବାହ ଉତ୍ସବରେ ପ୍ରୋସେସନକୁ ଅନୁମତି । ଏଣିକି ବିବାହ ଉତ୍ସବରେ ବରଯାତ୍ରୀଙ୍କ ପ୍ରୋସେସନ୍ ନିମନ୍ତେ ରାଜ୍ୟ ସରକାର ଅନୁମତି ଦେଇଛନ୍ତି।
ବର ଯିବା ବେଳେ ବାଜା-ବାଣ ଓ ରୋଷଣୀ କରି ବରଯାତ୍ରୀମାନେ ଯାଇପାରିବେ। ମ୍ୟାରେଜ୍ ପ୍ରୋସେସନରେ ସର୍ବାଧିକ ୨୦୦ ଲୋକ ସାମିଲ ହୋଇପାରିବେ । କିନ୍ତୁ କୋଭିଡ୍ ନିୟମାବଳୀ ମାନିବାକୁ ପଡ଼ିବ। ସ୍ୱତନ୍ତ୍ର ରିଲିଫ୍ କମିଶନର୍ ପ୍ରଦୀପ ଜେନା ଏନେଇ ସମସ୍ତ ଜିଲ୍ଲାପାଳ, ଏସ୍.ପି, ମ୍ୟୁନିସପାଲ୍ କମିଶନର୍ ଓ ପୋଲିସ କମିଶନରଙ୍କୁ ଚିଠି ଲେଖିଛନ୍ତି । ବିବାହ ସହ ଅନ୍ତିମ ସଂସ୍କାର ନେଇ ସାନି ଗାଇଡଲାଇନ୍ ଜାରି କରିଛନ୍ତି।
ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ବିବାହ ଶୋଭାଯାତ୍ରା ପାଇଁ ସରକାର ଅନୁମତି ଦେବାକୁ ନିଷ୍ପତ୍ତି ନେଇଛନ୍ତି। ବାହାଘରରେ ସର୍ବାଧିକ ୨ଶହ ଲୋକ ସାମିଲ ହୋଇପାରିବେ । ବର, କନ୍ୟା, ବରଯାତ୍ରୀ, ପୂଜକ, ବନ୍ଧୁବାନ୍ଧବ,ସାଙ୍ଗସାଥୀ, ବ୍ୟାଣ୍ଡ ପାର୍ଟି ସଦସ୍ୟ, ଲାଇଟ୍ ଓ ସାଉଣ୍ଡ ସଦସ୍ୟଙ୍କୁ ମିଶାଇ ଏହି ସଂଖ୍ୟା ସର୍ବାଧିକ ୨୦୦ ରହିବ ବୋଲି କହିଛନ୍ତି। ସେହିପରି ଅନ୍ତିମ ସଂସ୍କାର ସମୟରେ ସର୍ବାଧିକ ୧୦୦ ଜଣଙ୍କୁ ସାମିଲ ହେବା ପାଇଁ ଅନୁମତି ମିଳିଛି।