ଆଜି ନୂଆ ଗାଇଡଲାଇନ୍ ଜାରି କରିବେ ସରକାର ! ଏହି ସବୁ ଜିଲ୍ଲାରେ ରହିପାରେ କଟକଣା

Published By : Prameya-News7 Bureau | July 15, 2021 IST

ଭୁବନେଶ୍ୱର, ୧୫|୦୭ : ଶୁକ୍ରବାର ସରୁଛି ଆଂଶିକ ଲକଡାଉନ୍ । ଗୁରୁବାର ରାଜ୍ୟ ସରକାର ଘୋଷଣା କରିପାରନ୍ତି ନୂଆ ଗାଇଡଲାଇନ୍ । ତେବେ କ'ଣ ହେବ ନୂଆ ଗାଇଡ୍ ଲାଇନର ରୂପରେଖ । କ'ଣ ଖୋଲିବ, କ'ଣ ବନ୍ଦ ରହିବ । ପୂର୍ବଭଳି ପଜିଟିଭିଟି ରେଟ୍ ଆଧାରରେ ଏ, ବି ଫର୍ମୁଲା ଆପଣାଇବେ କି ସରକାର ? ଏମିତି ହେଲେ ୫ ଜିଲ୍ଲାରେ ବଳବତ୍ତର ରହିପାରେ କଟକଣା । ଅନଲକ୍ ହୋରଇପାରେ ୨୫ ଜିଲ୍ଲା ।

ରାଜ୍ୟରେ କରୋନା ସଂକ୍ରମଣ କମିଥିଲେ ବି ଖୋର୍ଦ୍ଧା, କଟକ, ବାଲେଶ୍ବର, ମୟୁରଭଞ୍ଜ ଓ ପୁରୀ ସ୍ଥିତି ଏବେ ଚିନ୍ତା ଜନକ ରହିଛି । ପୁରୀରେ ମହାପ୍ରଭୁଙ୍କ ଘୋଷଯାତ୍ରା ଚାଲିଥିବାରୁ ନିଳାଦ୍ରୀ ବିଜେ ପରେ କଟକଣାମୁକ୍ତ କରିବାକୁ ଚିନ୍ତା କରିପାରନ୍ତି ସରକାର । ତେବେ କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ କମୁନଥିବାରୁ ସରକାରଙ୍କ ଫୋକସରେ ରହିଛି ଏହି ଦୁଇଟି ଜିଲ୍ଲା । ସେହିଭଳି ବାଲେଶ୍ବର ଓ ମୟୁରଭଞ୍ଜରେ ପଜିଟିଭିଟି ରେଟ୍ ଅଧିକ ରହୁଥିବାରୁ ଏହି ଦୁଇ ଜିଲ୍ଲାରେ ବଳବତ୍ତର ରହିପାରେ କଟକଣା । ଗଲା ୧୪ ଦିନ ଭିତରେ ରାଜ୍ୟରେ ଦୈନିକ ସଂକ୍ରମଣ ଢ଼େର୍ କମିଛି । ଜୁଲାଇ ୧ରେ ପଜିଟିଭିଟି ରେଟ୍ ୪.୧୭ ଥିବା ବେଳେ ୧୪ ତାରିଖ ବେଳକୁ ଏହା ହ୍ରାସ ପାଇ ୨.୯୯ ପ୍ରତିଶତରେ ପହଞ୍ଚିଛି । ଟିପିଆର ଅଧିକ ରହୁଥିବାରୁ ବର୍ତ୍ତମାନ ସ୍ଥିତିରେ ଏହି ୫ଜିଲ୍ଲାରେ କଟକଣା କୋହଳ କରି ନପାରନ୍ତି ସରକାର । ପୂର୍ବଭଳି ଏସବୁ ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ୍, ନାଇଟ୍ କର୍ଫ୍ୟୁ ବଳବତ୍ତର ରହିପାରେ । ତେବେ ଦୋକାନ ଖୋଲିବା ସମୟକୁ ଆଉ ଟିକେ ବଢ଼ାଇପାରନ୍ତି ସରକାର । କେସ୍ ଲୋଡ୍, ପଜିଟିଭ୍ ରେଟ୍, କୋଭିଡ୍ ଗାଇଡ୍ଲାଇନ୍ ଅନୁପାଳନକୁ ନଜରରେ ରଖି ଅନଲକ୍ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ।

ସେପଟେ ପଡ଼ୋଶୀ ରାଜ୍ୟ ଛତିଶଗଡ଼ରେ ସଂକ୍ରମଣ ବଢ଼ୁଥବାରୁ ଏବେ ଓଡ଼ିଶାର ସୀମାନ୍ତବର୍ତ୍ତୀ ଜିଲ୍ଲାଗୁଡ଼ିକ ଉପରେ ମଧ୍ୟ ସରକାରଙ୍କ ନଜର ରହିଛି । ତୃତୀୟ ଲହର ଆସୁ କି ନଆସୁ ରାଜ୍ୟରେ ସର୍ଭେଲାନ୍ସ ଓ ଟିକାକରଣ ଜାରି ରହିବ । କଟକ, ଭୁବନେଶ୍ବର, ବାଲେଶ୍ବର, ମୟୁରଭଞ୍ଜରେ ସଂକ୍ରମଣ ଅଧିକ ରହୁଛି । ପରିସ୍ଥିତିକୁ ନଜରରେ ରଖି ଜୁଲାଇ ୧୫ପରେ ମଧ୍ୟ ରାଜ୍ୟରେ ଧର୍ମାନୁଷ୍ଠାନ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିବା ସମ୍ଭାବନା ରହିଛି । ସେହିଭଳି ସାମାଜିକ, ସାଂସ୍କୃତିକ ଓ ରାଜନୈତିକ ସଭାସମିତିକୁ ଏବେ ଅନୁମତି ଦିଆଯାଇ ନପାରେ । ତେବେ ପଜିଟିଭିଟି ରେଟ୍ ୫ପ୍ରତିଶତ ତଳେ ଥିବା ଜିଲ୍ଲାଗୁଡ଼ିକରେ ମଲ, ପାର୍ଲର, ସ୍ପା, ସାଲୁନ୍, ଜିମ୍, ସୁଇମିଂ ପୁଲ ଓ ବସ୍ ଚଳାଚଳକୁ କୋଭିଡ୍ କଟକଣା ସହ ଖୋଲିବାକୁ ଅନୁମତି ଦେଇପାରନ୍ତି ସରକାର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.