ଆସିଲା ନୂଆ ଗାଇଡ୍‌ଲାଇନ୍‌ : କୋଭିଡ଼ ନିୟମ ଉଲ୍ଲଂଘନ କଲେ ଗଣିବେ ଅଧିକ ତଣ୍ଡ, ଭୋଗିବେ ୨ ବର୍ଷ ଜେଲ୍‌ଦଣ୍ଡ

Published By : Prameya-News7 Bureau | August 13, 2020 IST

ଭୁବନେଶ୍ୱର ୧୩।୦୮: କରୋନା ମହାମାରୀ ବିରୋଧରେ ଲମ୍ବା ଲଢ଼େଇ ପାଇଁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର। ଏଥିପାଇଁ କରୋନା ନିୟମାବଳୀ ଉଲ୍ଲଂଘନ ପାଇଁ ଥିବା ଦଣ୍ଡକୁ ବଢ଼ାଇଛନ୍ତି । କୋଭିଡ୍‌ ମାର୍ଗଦର୍ଶିକା ଉଲ୍ଲଂଘନ କଲେ ଏଣିକି ୧ ଲକ୍ଷ ଟଙ୍କା ଜରିମାନା କିମ୍ବା ଦୁଇବର୍ଷ ଜେଲଦଣ୍ଡ ହୋଇପାରେ । ଏପରିକି ସ୍ଥଳ ବିଶେଷରେ ଉଭୟ ଜରିମାନା ଓ ଜେଲଦଣ୍ଡ ମଧ୍ୟ ଲାଗୁ ହୋଇପାରେ । କରୋନା ସଂକଟ କାଳରେ ଏ ଦଣ୍ଡ ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟ୍‌ ଅନୁମୋଦନ କରିଛି । ଏହାକୁ ଅଧ୍ୟାଦେଶ ଆକାରରେ ତୁରନ୍ତ ଲାଗୁ ହେବ । ପୂର୍ବରୁ ଏହା ୧୦ ହଜାର ଟଙ୍କା ଓ ୨ ବର୍ଷ ଯାଏ ଜେଲ ଦଣ୍ଡ ରହିଥିଲା ।

କରୋନା ଏବେ ସମଗ୍ର ବିଶ୍ୱରେ ବଡ଼ ସଂକଟ ଛିଡ଼ା କରାଇଛି । ଏ ମହାମାରୀ ବିରୋଧରେ ରାଜ୍ୟ ସରକାର ଲଢ଼େଇକୁ ଜୋରଦାର କରିଥିଲା ବେଳେ ଏଥିରେ ଜନସାଧାରଣଙ୍କ ସହଯୋଗ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଗତ ମାସେ ହେବ କରୋନା ସଂକ୍ରମଣ ବଢ଼ି ବଢ଼ି ଚାଲଛି । ସରକାରଙ୍କ ବ୍ୟାପକ ସଚେତନତା ଅଭିଯାନ ସତ୍ତେ୍ୱ କିଛି ଆମାନିଆ ସାମାଜିକ ଦୂରତା ମାନୁନାହାନ୍ତି । ଏହା ଯଦି ଜାରି ରହେ କରୋନା ଗୋଷ୍ଠୀ ସଂକ୍ରମଣ ହୋଇପାରେ । ବହୁ ମୂଲ୍ୟବାନ ଜୀବନ ହରାଇବ ରାଜ୍ୟ ।

ମାସ୍କର ବ୍ୟବହାର, ସର୍ବସାଧାରଣ ସ୍ଥାନରେ ଛେପ ନପକାଇବା, ସାମାଜିକ ଦୂରତା ବଜାୟ ରଖିବା ନିୟମର ଉଲ୍ଲଂଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେଲେ ଏହାର ପ୍ରଭାବ ପଡ଼ିବ ବୋଲି ସରକାର ଅନୁମାନ କରୁଛନ୍ତି। ତେଣୁ ମହାମାରୀ ରୋଗ ଅଧିନିୟମ ୧୯୮୭ର ଧାରା ୩ରେ ଥିବା ଦଣ୍ଡବିଧାନରେ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରୀ ଦେଇଛି । ୫୦ ଜଣ ବ୍ୟକ୍ତିଙ୍କ ଉପସ୍ଥିତିରେ ବିବାହ କାର୍ଯ୍ୟ, ୨୦ ଜଣଙ୍କ ଉପସ୍ଥିତିରେ ଅନ୍ତିମ ସଂସ୍କାରକୁ ଅନୁମତି ଦିଆଯାଇଛି । ଏ କ୍ଷେତ୍ରରେ ମଧ୍ୟ ନିୟମ ଉଲ୍ଲଂଘନ ହେଉଥିବାର ଦେଖାଯାଉଛି । କରୋନା ନିୟମକୁ କଡ଼ାକଡ଼ି ପାଳନ କରି ରୋଗ ସଂକ୍ରମଣରେ ରୋକ ଲଗାଇବାକୁ କ୍ୟାବିନେଟ୍‌ ଦଣ୍ଡର ପରିମାଣକୁ ବହୁ ପରିମାଣରେ ବୃଦ୍ଧି ପ୍ରସ୍ତାବକୁ ମୋହର ମାରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.