କଂଗ୍ରେସର କୃଷି ଆଇନ୍‌ ବିରୋଧ ରାଲିରେ ପୋଲିସର ଲାଠି ଚାର୍ଜ, ଦିଗବିଜୟ ସିଂହଙ୍କ ସମେତ ୨୦ରୁ ଉର୍ଦ୍ଧ୍ବ ନେତା ଗିରଫ

Published By : Prameya-News7 Bureau | January 23, 2021 IST

ଭୋପାଳ ୨୩/୦୧: ମଧପ୍ରଦେଶ ରାଜଧାନୀ ଭୋପାଳରେ ନୂଆ କୃଷି ଆଇନ୍ ବିରୋଧରେ କଂଗ୍ରେସ ଜୋରଦାର ପ୍ରଦର୍ଶନ ଜାରି ରଖିଛି। ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ କମଳନାଥଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକର୍ତ୍ତା ଭୋପାଳରୁ ଜବାହାର ଚୌକ ଦେଇ ରାଜଭବନ ପର୍ଯ୍ୟନ୍ତ ରାଲି କରିଥିଲେ। କିନ୍ତୁ ପୋଲିସ ସେମାନଙ୍କୁ ରୋଶନପୁରା ନିକଟରେ ଅଟକାଇଥିଲା। ତେବେ କଗ୍ରେସ କାର୍ଯ୍ୟକର୍ତ୍ତାଙ୍କୁ ରୋକିବା ପାଇଁ ଲାଠି ଚାର୍ଜ ସାଙ୍ଗକୁ ପାଣି ମାଡ଼ କରିଥିଲା ପୋଲିସ।

ଏହି ସମୟରେ ପୋଲିସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏହା ପରେ ପୋଲିସ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ ଓ ତାଙ୍କ ବିଧାୟକ ପୁଅ ଜୟବର୍ଦ୍ଧନ ସିଂହଙ୍କ ସମେତ ୨୦ରୁ ଅଧିକ ନେତାଙ୍କୁ ଗିରଫ କରିଛି।

ଏହା ପୂର୍ବରୁ ଜାନୁଆରୀ ୧୫ରେ ରାଜ୍ୟର ୫୦୦ ସ୍ଥାନ​ରେ କୃଷି ଆଇନ୍‌ ବିରୋଧରେ ଆନ୍ଦୋଳନ କରିଥିଲା ଏମପି କଂଗ୍ରେସ। ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ କମଳନାଥ ଛିନ୍ଦାଓ୍ବାରାରେ ଟ୍ରାକ୍ଟର ଚଳାଇ ଆନ୍ଦୋଳନକୁ ସମର୍ଥନ କରିଥିବା ବେଳେ ବରିଷ୍ଠ ନେତା ଦିଗବିଜୟ ସିଂହ ସେହୋର ରାଲି​ରେ ସାମିଲ ହୋଇଥିଲେ। ମଧ୍ୟପ୍ରଦେଶର ଅର୍ଦ୍ଧାଧିକ ଚାଷୀ ନିଜ ଉତ୍ପାଦିତ ଫସଲର ଏମଏସ୍‌ପି ପାଉନାହାନ୍ତି। ତେଣୁ ନୂଆ ୩ କୃଷି ଆଇନ୍‌‌ କେବଳ ସେମାନଙ୍କ ଅସୁବିଧା ବଢ଼ାଇବ ବୋଲି କମଳନାଥ କହିଥିଲେ।

ବାକତାରାରେ ଟ୍ରାକ୍ଟର ରାଲିରେ ସାମିଲ ହୋଇଥିବା ବେଳେ କୃଷି ନିୟମକୁ ‘କଳା ନିୟମ’ ବୋଲି କହିବା ସହ ଏଗୁଡ଼ିକ ଚାଷୀଙ୍କ ବିରୋଧୀ ବୋଲି କହିଥିଲେ ଦିଗବିଜୟ ସିଂହ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.