କଳାହାଣ୍ଡି ରାଜନୀତିରେ ଆଉ ଜଣେ ପ୍ରଶାସନିକ ଅଧିକାରୀ: ବିଜେଡି ପ୍ରାର୍ଥୀ ଭାବେ ଇନିଂଶ ଆରମ୍ଭ କରିବେ ସୁଜିତ କୁମାର

Published By : Prameya-News7 Bureau | February 01, 2019 IST

କଳାହାଣ୍ଡି ୧/୨ : ପ୍ରତ୍ୟେକ୍ଷ ରାଜନୀତିରେ ଆଉ ଜଣେ ପ୍ରଶାସନିକ ଅଧିକାରୀ । କଳାହାଣ୍ଡି ଲୋକସଭା ଆସନରୁ ସୁଜିତ କୁମାର ବିଜେଡି ପ୍ରାର୍ଥୀ ଭାବେ ରାଜନୈତିକ ଇନିଂଶ ଆରମ୍ଭ କରିବେ ବୋଲି ଚର୍ଚ୍ଚା ହେଉଛି । ସୁଜିତ କୁମାର ବତ୍ତର୍ମାନ ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ସଚିବ ଭାବେ କାର୍ଯ୍ୟରତ ଅଛନ୍ତି । କଳାହାଣ୍ଡି ଜିଲ୍ଲାର ବାସିନ୍ଦା ସୁଜିତ ଓସ୍କଫୋର୍ଡ ଓ ହାବର୍ଡ ବିଶ୍ବବିଦ୍ୟାଳୟ ରୁ ଅର୍ଥନୀତିରେ ଶିକ୍ଷା ଲାଭ କରି ସୁଇଜରଲାଣ୍ଡ ଠାରେ ବିଶ୍ବ ଅର୍ଥନୀତି ଫୋରମରେ କାର୍ଯ୍ୟ କରୁଥିଲେ । ୨୦୧୪ ସାଧାରଣ ନିର୍ବାଚନରେ ମଧ୍ୟ ବିଜେଡିର ନିର୍ବାଚନ ପରିଚାଳନା କରିସାରିଛନ୍ତି । ବର୍ତ୍ତମାନ ସେ କଳାହାଣ୍ଡି ସଂସଦୀୟ କ୍ଷେତ୍ରରୁ ବିଜେଡିର ପ୍ରାର୍ଥୀ ହେବାକୁ ଯାଉଥିବା ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି ।

ଗତ କିଛି ସମୟରୁ ବିଜୁ ଯୁବ ବାହିନୀ ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସହ ସିଧାସଳଖ ଯୋଗସୂତ୍ର ରଖୁଥିବା ବେଳେ ନୂଆପଡା ଓ କଳାହାଣ୍ଡି ଜିଲ୍ଲାର ତୃଣମୂଳ କର୍ମୀ ସହ ଜଡିତ ଥିବା ଦେଖିବାକୁ ମିଳିଥିଲା । ଗତ ୨୦୧୮ ସେପ୍ଟେମ୍ବର ମାସରେ ବିଶ୍ଵସ୍ତରୀୟ କର୍ମଶାଳା କଳାହାଣ୍ଡି ଡାଇଲଗର ଆୟୋଜନ କରି ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରର ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତି ବିଶେଷ ସହ କଳାହାଣ୍ଡିର ସ୍ଥିତି ଓ ସମ୍ଭାବନାର ଆଲୋଚନା ବୁଦ୍ଧିଜୀବିଙ୍କୁ ପ୍ରଭାବିତ କରିଥିଲା । ବର୍ତ୍ତମାନ ସୁଜିତ କୁମାରଙ୍କ ପ୍ରତ୍ୟେକ୍ଷ ରାଜନୀତିକୁ ପ୍ରବେଶ କଳାହାଣ୍ଡିବାସୀଙ୍କୁ କେତେ ଗ୍ରହଣ କରୁଛନ୍ତି ତାହା ଆସନ୍ତା ସମୟରେ ଜଣାପଡିବ । ତାଙ୍କ ରାଜନୀତିକୁ ପ୍ରବେଶ ଉଭୟ ବିଜେଡି ତଥା ବିରୋଧୀଙ୍କ ପ୍ରତିକ୍ରିୟା ଜିଲ୍ଲା ରାଜନୀତିକୁ ସରଗରମ କରିବ । ଏନେଇ ସୁଜିତ କୁମାରଙ୍କ ପ୍ରତିକ୍ରିୟା କଣ ପଚରାଯାଇଥିଲା । ନିଜ ପ୍ରତିକ୍ରିୟାରେ ସେ କହିଥିଲେ ଯେ, ଲୋକଙ୍କ ଚର୍ଚ୍ଚାକୁ ନେଇ ସେ କି ପ୍ରତିକ୍ରିୟା ଦେବେ ବୋଲି କହିଥିଲେ । ଅପରପକ୍ଷରେ ପ୍ରତ୍ୟେକ୍ଷ ରାଜନୀତିକୁ ପ୍ରବେଶ କରିବାକୁ ନେଇ ଏଡାଇ ଯାଇଥିଲେ ବି ଖଣ୍ଡନ କରି ନାହାନ୍ତି । ଯାହାକୁ ନେଇ ଚର୍ଚ୍ଚା ଆହୁରି ଜୋର ଧରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.