ସାଂଘାତିକ/ନକ୍ସଲଙ୍କ ନୂଆ ରଣ କୌଶଳ; ଗାଁ ଲୋକଙ୍କୁ ନେଇ ମାଓବାଦୀଙ୍କ ନୂଆ ଛାମୁଆ ସଂଗଠନ ନିୟୁ ଡେମୋକ୍ରାସି ଦଳମ୍ କଲା ଆତ୍ମପ୍ରକାଶ, ଓଡିଶା ପାଇଁ ବି ଭୟ

Published By : Prameya-News7 Bureau | August 01, 2019 IST

ମାଲକାନଗିରି(ରଞ୍ଜିତ ସାହା )୧|୮: ନକ୍ସଲ ପନ୍ଥିଙ୍କ ନୂଆ ରଣ କୌଶଳ । ସଂଗଠନ ନାମ ବଦଳାଇ ପୋଲିସକୁ ଚକ୍‌ମା ଦେବାର ଉଦ୍ୟମ ଆରମ୍ଭ କରିଛନ୍ତି ମାଓବାଦୀ । ନୀରିହ ଆଦିବାସୀଙ୍କୁ ଢାଲକରି ପୁଣି ଥରେ ସଂଗଠନକୁ ମଜବୁତ କରିବାର ଚେଷ୍ଟା କରିଛି ଲାଲ୍ ବାହିନୀ । ସୀମାନ୍ତ ତେଲେଙ୍ଗାନାରେ ଯବାନଙ୍କ ଉପରେ ଗ୍ରାମବାସୀମାନେ ଆକ୍ରମଣ କରିବା ପରେ ଏହି ଘଟଣା ପଦକୁ ଆସିଛି । ତେବେ ଧିରେ ଧିରେ ଏହି ଏଭଳି କାର୍ଯ୍ୟ ଓଡିଶା ଭିତରେ କାୟା ବିସ୍ତାର କରିବାର ଯଥେଷ୍ଟ ସମ୍ଭାବନା ରହିଛି । ….

{"id":139788}

ଗାଁ ଲୋକେ ଯବାନଙ୍କ ଉପରେ ମାଡ କରିଛନ୍ତି ଟେକା ପଥର । ଠେଙ୍ଗାବାଡି ଧରି ଯବାନଙ୍କୁ ଗୋଡାଉଛନ୍ତି । ଆଉ ଗାଁ ଲୋକଙ୍କ ଏପରି ଅତର୍କିତ ଆକ୍ରମଣରେ ଛତ୍ରଭଙ୍ଗ ଦେଉଛନ୍ତି ଯବାନ। ଏହି ଦୃଶ୍ୟ ଦେଖିବାକୁ ମିଳିଛି ଓଡ଼ିଶା ତେଲେଙ୍ଗାନା ସୀମା କୋତ୍ତାଗୁଡେମ୍‌ ଜିଲ୍ଲା ଜବାଲାପାଲ୍ଲି ଜଙ୍ଗଲରେ । ଗାଁ ଲୋକଙ୍କୁ ନେଇ ନକ୍ସଲଙ୍କ ନୂଆ ଛାମୁଆ ସଂଗଠନ, ନିୟୁ ଡେମୋକ୍ରାସି ଦଳମ୍‌ ସଭା କରିଥିଲା । ଏହି ସମୟରେ ସି.ଆର.ପି.ଏଫ ଯବାନମାନେ ଚଢାଉ କରିଥିଲେ । ସଂଗଠନର ମୁଖ୍ୟ ଲିଙ୍ଗାନା ଗୁଳିବିନିମୟ ବେଳେ ପ୍ରାଣ ହରାଇଥିଲା । ହେଲେ ଘଟଣା ପରେ ଗାଁ ଲୋକେ ଯବାନଙ୍କୁ ଘେରି ଯାଇଥିଲେ । ଏମିତି କି ମହିଳା ଓ ପୁରୁଷ ସମସ୍ତେ ମିଶି ଯବାନଙ୍କୁ ଉପରେ ଜୋରଦାର ଆକ୍ରମଣ କରିଥିଲେ । ଶେଷରେ ଲିଙ୍ଗାନାଙ୍କ ମୃତଦେହ ଛାଡି ଯବାନ ମାନେ ଜୀବନ ବଞ୍ଚାଇବା ଲାଗି ଘଟଣା ସ୍ଥଳରୁ ଦୌଡି ପଳାଇଥିଲେ ।

{"id":139789}

ସି.ପି.ଆଇ ମାଓବାଦୀ ସଂଗଠନକୁ କେନ୍ଦ୍ର ସରକାର ବେଆଇନ ଘୋଷଣା କରିବା ପରେ ସାରା ଦେଶରେ ନକ୍ସଲଙ୍କ ଦମନ ପାଇଁ ଫୁଲ୍ ଦମରେ ଲାଗି ପଡିଛନ୍ତି ସୁରକ୍ଷା ବାହିନୀ । ଯେଉଁଥି ପାଇଁ ଏବେ ନୁତନ ରଣକୌଶଳ ଆରମ୍ଭ କରିଛନ୍ତି ମାଓବାଦୀ । ହାତରେ ବନ୍ଧୁକ ନଥିବା ଗ୍ରାମବାସୀଙ୍କୁ ନେଇ ନିୟୁ ଡେମୋକ୍ରାସି ଦଳମ୍‌ ନାଁରେ ଏକ ଛାମୁଆ ସଂଗଠନ ଆରମ୍ଭ କରିଛନ୍ତି । ସେହି ଆଦିବାସୀଙ୍କୁ ଢାଲକରି ପୁଣି ଥରେ ମାଓ ସଂଗଠନକୁ ମଜବୁତ କରିବାକୁ ଚେଷ୍ଟା ଚଳାଇଛି ଲାଲ୍‌ ବାହିନୀ । ତେବେ ଧିରେ ଧିରେ ଏହି ସଂଗଠନ ସୀମାନ୍ତ ଓଡ଼ିଶା ଉପରେ ନିଜ କାୟା ବିସ୍ତାର କରିବାର ଯଥେଷ୍ଟ ଆଶଙ୍କା ରହିଛି । ତେବେ ନକ୍ସଲ ସେମାନଙ୍କ ଏହି ନୂଆ ରଣ କୌଶଳରେ ସଫଳ ହେବେ ନାହିଁ ବୋଲି କହିଛନ୍ତି ବୁଦ୍ଧିଜୀବୀ ।

{"id":139790}

ନକ୍ସଲମାନେ ଜୁଲାଇ ୨୮ରୁ ଅଗଷ୍ଟ ୩ ପର୍ଯ୍ୟନ୍ତ ସହିଦ ସପ୍ତାହ ପାଳନ କରୁଛନ୍ତି । ନକ୍ସଲଙ୍କୁ ଦମନ ପାଇଁ ଆନ୍ଧ୍ର, ତେଲେଙ୍ଗାନା, ଛତିଶଗଡ ଓ ଓଡ଼ିଶା ପୋଲିସ ଲାଗି ପଡିଛନ୍ତି । ନିୟୁ ଡେମୋକ୍ରାସି ଦଳମ୍‌ର ମୁଖ୍ୟ ଯବାନଙ୍କ ଦ୍ବାରା ନିହତ ହୋଇଥିବାରୁ ନକ୍ସଲପନ୍ଥୀ କୌଣସି ବଡ ଧରଣର ଆକ୍ରମଣ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ଘଟଣା ପରେ ସଂପୃକ୍ତ ଅଞ୍ଚଳରେ ପୋଲିସ ଛାଉଣି କରାଯାଇଛି । ଅନ୍ୟ ସଦସ୍ୟଙ୍କୁ ଧରିବା ଲାଗି ଯବାନମାନେ ମଧ୍ୟ ଅପରେସନ୍ ଜାରି ରଖିଛନ୍ତି ।

{"id":139791}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.