ଦିଲ୍ଲୀରେ ସବ୍ ଇନ୍ସପେକ୍ଟରଙ୍କ ପରିବାର କରୋନା ପଜିଟିଭ୍, କାଶ୍ମୀରରେ ମଧ୍ୟ କ୍ୱାରେଣ୍ଟାଇନରେ ୪୦ ପୋଲିସ କର୍ମୀ
16/04/2020 at 12:49 PM

ନୂଆଦିଲ୍ଲୀ, ୧୬|୦୪: ସାରା ଦେଶରେ କରୋନା ଭାଇରସର ଆତଙ୍କ ଜାରି ରହିଛି । ଏହାର ମୁକାବିଲା କରିବା ପାଇଁ ମେଡିକାଲ କର୍ମଚାରୀ, ଡାକ୍ତର, ପୋଲିସ ବାହିନୀ ସମସ୍ତେ ସଜାଗ ରହିଛନ୍ତି । ତେବେ ଦିଲ୍ଲୀରେ ଜଣେ ପୋଲିସ ସବ ଇନ୍ସପେକ୍ଟରଙ୍କ ପରିବାର କରୋନା ଭାଇରସରେ ସଂକ୍ରମିତ ହୋଇଥିବା ଜଣାପଡିଛି । ଏହାପରେ ସେମାନେ ରହୁଥିବା ପୋଲିସ କଲୋନୀର ତିନୋଟି ବ୍ଲକ ସିଲ୍ କରି ଦିଆଯାଇଛି ।
ଦିଲ୍ଲୀର ମଡେଲ ଟାଉନରେ ଥିବା ଏହି ପୋଲିସ କଲୋନୀର ତିନୋଟି ବ୍ଲକକୁ ସିଲ୍ କରାଯାଇଛି । ଏହାକୁ ନିଷିଦ୍ଧାଞ୍ଚଳ ଭାବେ ଘୋଷଣା ମଧ୍ୟ କରାଯାଇଛି । ଆଜି ପୋଲିସ କର୍ମଚାରୀ, ତାଙ୍କ ପତ୍ନୀ ଓ ଶିଶୁ କରୋନା ସଂକ୍ରମିତ ହୋଇଥିବା ଜଣାପଡିଥିଲା । ଏହାପରେ ସେଠାରେ ଭୟର ବାତାବରଣ ଖେଳିଯାଇଛି । ସେମାନଙ୍କୁ ଦିଲ୍ଲୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।

ସେହିପରି ଜମ୍ମୁ-କାଶ୍ମୀରରେ ୪୦ ଜଣ ପୋଲିସ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି । କୁପଓ୍ୱାଡା ଅଞ୍ଚଳର ଜଣେ ସବ ଇନ୍ସପେକ୍ଟରଙ୍କ ପୁଅ କରୋନା ସଂକ୍ରମିତ ହେବା ପରେ ଏହି ପଦକ୍ଷେପ ନିଆଯାଇଛି । ଏହାସହ ଏସଆଇଙ୍କ ସମ୍ପର୍କରେ ଆସିଥିବା ସମସ୍ତ ପୋଲିସ କର୍ମୀଙ୍କୁ ୧୪ଦିନ ପାଇଁ ଘରେ ରହିବାକୁ ନିର୍ଦ୍ଦେଶ ଦିଆଯିବା ସହ ସେମାନଙ୍କ ଟେଷ୍ଟ୍ ହେବ ବୋଲି ମଧ୍ୟ ସୂଚନା ମିଳିଛି ।